ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ ଘୋଷଣା, ଶିକ୍ଷକଙ୍କ ଦରମା ବଢିଲା ୨୨ ପ୍ରତିଶତ

Published By : Prameya-News7 Bureau | August 18, 2020 IST

ପାଟନା ୧୮।୦୮: ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ନୀତିଶ ସରକାର ବଡ ବାଜି ଖେଳିଛନ୍ତି। ନୀତିଶ କ୍ୟାବିନେଟ୍ ଶିକ୍ଷକଙ୍କ ଦରମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ୍  ବୈଠକରେ ଶିକ୍ଷକଙ୍କ ବେତନରେ ୨୨ ପ୍ରତିଶତ ବୃଦ୍ଧି କରାଯାଇଛି।

ଶିକ୍ଷକଙ୍କୁ ଏହି ବର୍ଦ୍ଧିତ ବେତନ ୨୦୨୧ ଏପ୍ରିଲ ୧ରୁ ମିଳିବ। ଏହି ନିଷ୍ପତ୍ତି ପରେ ସରକାରଙ୍କ ରାଜସ୍ଵ ଉପରେ ୨୭୬୫ କୋଟି ଟଙ୍କାର ଅତିରିକ୍ତ ବୋଝଭାର ପଡିବ। କ୍ୟାବିନେଟ୍‌ରେ ନିୟୋଜିତ ଶିକ୍ଷକଙ୍କ ପାଇଁ ସେବା ସର୍ତ୍ତ ନିୟମାବଳୀ ଉପରେ ମଧ୍ୟ ମୋହର ବାଜିଛି।

ନୂତନ ସେବା ସର୍ତ୍ତାବଳୀ ଲାଗୁ  ହେବା ପରେ ଶିକ୍ଷକଙ୍କ ପଦୋନ୍ନତି ଓ ସ୍ଥାନାନ୍ତର ପରି ସୁବିଧାର ଲାଭ ମଧ୍ୟ ମିଳିବ। କୁହାଯାଉଛି ସେପ୍ଟେମ୍ବର ୫ରୁ ଶିକ୍ଷକଙ୍କ ଦିବସ ଅବସରରେ ନୂତନ ସେବା ସର୍ତ୍ତ ନିୟମାବଳୀର ଅଧିସୂଚନା ଜାରି କରାଯିବ। ନୀତିଶ ସରକାରଙ୍କ ଏହି ନିଷ୍ପତ୍ତି ପରେ ପ୍ରାୟ ୩.୫ ଲକ୍ଷ ଶିକ୍ଷକ ଏଥିରେ ଉପକୃତ ହେବେ।

ଉଲ୍ଲେଖନୀୟ ଅଗଷ୍ଟ ୧୫ରେ ଗାନ୍ଧୀ ମଇଦାନରେ ନିଜର ଭାଷଣରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋଷଣା କରିଥିଲେ ଶିକ୍ଷକଙ୍କ ପାଇଁ ନୂତନ ସେବା ସର୍ତ୍ତ ନିୟମାବଳୀ ଶୀଘ୍ର ଲାଗୁ କରାଯିବ। ବିହାରର ଶିକ୍ଷକ ଗତ ଅନେକ ବର୍ଷରୁ ନୂତନ ସେବା ସର୍ତ୍ତ ନିୟମାବଳୀ ଲାଗୁ କରିବାକୁ ଦାବି କରି ଆସୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.