RJD ନେତାଙ୍କୁ ଗୁଳିକରି ହତ୍ୟା, ସେପଟେ କନ୍ୟା ସନ୍ତାନ ଜନ୍ମ ଦେଲେ ପତ୍ନୀ, ଝିଅକୁ ଦେଖିପାରିଲେନି ପିତା

Published By : Prameya-News7 Bureau | December 26, 2020 IST

ଆରା ୨୬/୧୨ :  ବିହାରର ଭୋଜପୁର ଜିଲ୍ଲାରେ ରାଷ୍ଟ୍ରୀୟ ଜନତା ଦଳର ଯୁବ ନେତା ରବି ଯାଦବଙ୍କୁ ଆତତାୟୀମାନେ ଗୁଳି କରି ହତ୍ୟା କରିଛନ୍ତି । ବିଡମ୍ବନାର ବିଷୟ ହେଉଛି ଏପଟେ ରବିଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ସେପଟେ ଘରେ ତାଙ୍କ ପତ୍ନୀଙ୍କର ପ୍ରସଦ ଯନ୍ତ୍ରଣା ହେଉଥିଲା । ଏବେ ତାଙ୍କ ପତ୍ନୀ ଗୋଟିଏ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି । କିନ୍ତୁ ଝିଅ ହେବା ଖୁସିଠାରୁ ଏକମାତ୍ର ପୁଅକୁ ହରାଇ ଦୁଃଖରେ ମର୍ମାହତ ପରିବାର ଲୋକ ।

ସୂଚନା ଅନୁସାରେ ଭୋଜପୁରର ଭେଣ୍ଡରୀ ଗାଁ ନିବାସୀ ହରିଦ୍ବାର ସିଂହଙ୍କ ପୁଅ ତଥା ଯୁବ ନେତା ରବି ଯାଦବଙ୍କୁ ଆତତାୟୀମାନେ ଗୁଳିକରି ହତ୍ୟା କରିଥିଲେ । ବୁଧବାର ଦିନ ରବି ଏକ ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେଇ ଘରକୁ ଫେରୁଥିଲେ । ବିଳମ୍ବିତ ରାତ୍ରି ଯାଏଁ ଘରକୁ ନଫେରିବାରୁ ପରିବାର​‌ ଲୋକ ଖୋଜାଖୋଜି କରିଥିଲେ । ତେବେ ଗୁରୁବାର ସକାଳୁ ଗାଁ ନିକଟ ରାମଡିହରା ରାସ୍ତା ନିକଟରୁ ରବିଙ୍କ ମୃତ ଦେହ ଜବତ କରାଯାଇଥିଲା । ତେବେ ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା ଥାଇପାରେ ବୋଲି ଅନୁମାନ କରୁଛି ପୋଲିସ ।

ଦୁଃଖର ବିଷୟ ହେଉଛି ଆରଜେଡିର ଯୁବ ନେତା ରବି ଯାଦବ ନିଜ ଶିଶୁ କନ୍ୟାକୁ ଦେଖିବା ଆଗରୁ ତାଙ୍କର ହତ୍ୟା ହୋଇଯାଇଛି । ଶବ ସତ୍କାର ପାଇଁ ନେବା ବେଳକୁ ଏପଟେ ତାଙ୍କ ପତ୍ନୀଙ୍କର ନିକଟସ୍ଥ ହସ୍ପିଟାଲରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପରିବାର ଲୋକଙ୍କ ସମେତ ଆରଜେଡି କାର୍ଯ୍ୟକର୍ତ୍ତା ଜାତୀୟ ରାଜପଥରେ ଶବ ରଖି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଯାଇ ଲୋକମାନେ ଧାରଣାରୁ ହଟିଥିଲେ । ତେବେ ପୋଲିସ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.