ବିହାର ସରକାରଙ୍କ ମନ୍ତ୍ରୀ କପିଳଦେବ କାମତଙ୍କ କରୋନାରେ ପରଲୋକ : ଶୋକ ପ୍ରକାଶ କଲେ ନୀତିଶ କୁମାର
16/10/2020 at 11:32 AM

ପଟନା ୧୬/୧୦: ବିହାରରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଜାରି ମଧ୍ୟରେ ଆଉ ଜଣେ ମନ୍ତ୍ରୀଙ୍କର ପରଲୋକ ହୋଇଯାଇଛି। ନୀତିଶ କୁମାରଙ୍କ ନେତୃତ୍ବରେ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ କପିଳଦେବ କାମତଙ୍କ ପରଲୋକ ହୋଇଯାଇଛି। ସେ ଗତ କିଛି ସମୟରୁ ଅସୁସ୍ଥ ଥିଲେ। କପିଳଦେବ କାମତ ମଧୁବନୀ ଜିଲ୍ଲାର ବାବୁବରହୀ ବିଧାନସଭା କ୍ଷେତ୍ରରୁ ବିଧାୟକ ଥିଲେ। କାମତଙ୍କ ଚିକିତ୍ସା ପାଟନା ଏମ୍ସରେ ଚାଲୁଥିଲା।

ସୂଚନା ଅନୁଯାୟୀ କିଡନି ରୋଗରେ ପୀଡ଼ିତ ଥିବା କପିଳଦେବ କାମତ କରୋନା ଭାଇରସ ସଂକ୍ରମିତ ଥିଲେ। କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ପାଟନାର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏଠାରେ ଚିକିତ୍ସା ସମୟରେ ଗୁରୁବାର ବିଳମ୍ବିତ ରାତି ୧.୩୦ରେ ତାଙ୍କର ପରଲୋକ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଘନିଷ୍ଠ ଥିବା କପିଳଦେବ କାମତ ଭେଣ୍ଟିଲେଟରରେ ଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ନିଜ ଶୋକ ସନ୍ଦେଶରେ ମୁଖ୍ୟମନ୍ତ୍ରୀ ନୀତିଶ ,କପିଳଦେବ କାମତଙ୍କୁ ନିଃସ୍ବାର୍ଥପର ନେତା ଏବଂ କୁଶଳ ପ୍ରଶାସକ ବୋଲି କହିଛନ୍ତି। ସେ ପରିବାରକୁ ଏହି ଦୁଃଖ ସହନ କରିବାର ଶକ୍ତି ଦେବାକୁ ପ୍ରାର୍ଥନା କରି କହିଛନ୍ତି ଯେ କାମତଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହ କରାଯିବ।
