ବିହାରରେ ବୃଦ୍ଧି ପାଉଛି ମଦମୃତ୍ୟୁ : ଦିନକରେ ୨ ସେନା ଯବାନଙ୍କ ସମେତ ଚାରିଜଣଙ୍କ ମୃତ୍ୟୁ, ୩୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

Published By : Prameya-News7 Bureau | November 06, 2021 IST

ପାଟନା ୦୬/୧୧ : ବିହାରରେ ବିଷାକ୍ତ ମଦ ଜନୀତ ମୃତ୍ୟୁ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ବିଷାକ୍ତ ମଦପିଇ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ସମସ୍ତୀପୁରରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ସେନା ଯବାନ ଥିବା ଜଣାପଡିଛି ଏବଂ ଅନ୍ୟ ଦୁଇ ଜଣ ସାଧାରଣ ଲୋକ । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କାହାରିକୁ ଗିରଫ କରାଯାଇ ନାହିଁ ।

ମଦ ଜନୀତ ମୃତ୍ୟୁ ଲଗାତାର ଭାବେ ବୃଦ୍ଧି ପାଉଥିବା ବେଳେ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି । କାରଣ ବିହାରରେ ମଦ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ ଅଛି । ତଥାପି ଚୋରା ମଦ କାରବାର ବ୍ୟାପକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ବିଷାକ୍ତ ମଦ ଜନୀତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଘେରିଛନ୍ତି ବିରୋଧୀ ।

ଶନିବାର ମୃତ୍ୟୁବରଣ କରିଥିବା ୪ ଜଣଙ୍କ ମଧ୍ୟରେ ୨ ଜଣ ଭାରତୀୟ ସେନାରେ କାର୍ଯ୍ୟରତ ଯବାନ ଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମସ୍ତୀପୁର ଏସ୍‌ପି ମାନବଜୀତ ସିଂହ ଡିଲ୍ଲୋ । ସେ କହିଛନ୍ତି, ‘ଭାରତୀୟ ସେନାର ଜଣେ ଯବାନ ମଦ ନେଇକି ଆସିଥିଲେ । ଘଟଣାସ୍ଥଳରୁ ମଦ ବୋତଲ ମଧ୍ୟ ଜବତ ହୋଇଛି । ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି । ମୃତକ ସେନାର ୨ ଯବାନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରାଯିବ ।’

ଗତ ଦୁଇ ଦିନ ମଧ୍ୟରେ ବିଷାକ୍ତ ମଦ ଜନୀତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୫ରେ ପହଞ୍ଚିଛି । ଗୋପାଳଗଞ୍ଜରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ବେତିୟାରେ ୧୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏବେ ମଧ୍ୟ ଅନେକ ଲୋକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣା ପରେ ଅକଳରେ ପଡିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିବାଦୀୟ ମନ୍ତବ୍ୟ ଦେଇ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଛନ୍ତି । ବିଷାକ୍ତ ମଦ ମୃତ୍ୟୁ ଘଟଣାକୁ ନେଇ ନୀତିଶ କୁମାର କହିଥିଲେ,‘ବାରମ୍ବାର ମନା କରିବା ପରେ ବି ଲୋକମାନେ ମଦ ପିଉଛନ୍ତି । ତେଣୁ ଯିଏ ବିଷାକ୍ତ ମଦ ପିଇବେ ତାଙ୍କ ଅବସ୍ଥା ଏମିତି ହିଁ ହେବ’ । ନୀତିଶ କୁମାରଙ୍କ ଏଭଳି ବୟାନ ପରେ ବିରୋଧୀ ଜୋରଦାର ଟାର୍ଗେଟ କରିଥି​‌ଲେ । ପୂଜା ପରବର୍ତ୍ତୀ ସମୟରେ ମଦ ବନ୍ଦକୁ ନେଇ ସମୀକ୍ଷା ବୈଠକ ଏବଂ ମଦ ବନ୍ଦ ନିୟମକୁ ଆହୁରି କଡାକଡି କରାଯିବ ବୋଲି ସିଏମ୍‌ ନୀତିଶ କୁମାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.