ବିହାର ସରକାରଙ୍କ ବଡ ନିଷ୍ପତ୍ତି, ମାଟ୍ରିକ୍ ଓ ଇଣ୍ଟର ପରୀକ୍ଷାରେ ଫେଲ ଛାତ୍ରଛାତ୍ରୀଙ୍କୁ ଘୋଷଣା କଲେ ପାସ୍
6/08/2020 at 7:29 PM

ପାଟନା ୬।୮: ବିହାରରେ ଜାରି କରୋନା ସଂକଟରେ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ଲାଗି ଗୁରୁବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଏଥିରେ ମାଟ୍ରିକ୍ ଓ ଇଣ୍ଟର ପରୀକ୍ଷାରେ ଫେଲ ହୋଇଥିବା ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପାସ୍ ଘୋଷଣା କରିଛନ୍ତି। କରୋନା ଯୋଗୁ କମ୍ପାର୍ଟମେଣ୍ଟାଲ ପରୀକ୍ଷା କରାଇବା ଏବେ ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ। ଏଣୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
ବିହାର ବିଦ୍ୟାଳୟ ପରୀକ୍ଷା କମିଟି ପକ୍ଷରୁ ଏ ନେଇ ଅଧିସୂଚନା ଜାରି କରାଯାଇଛି। ଯେଉଁଥିରେ ମେଟ୍ରିକ ଓ ଇଣ୍ଟର ପରୀକ୍ଷାରେ ଅନେକ ଛାତ୍ରଛାତ୍ରୀ ଗୋଟିଏ ଅଥବା ୨ଟି ପତ୍ରରେ ଫେଲ ହୋଇଛନ୍ତି। ଏପରି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ରେଜଲ୍ଚରେ ଫେଲ ଘୋଷିତ କରାଯାଇଥିଲା। ସରକାରଙ୍କ ନିୟମ ମୁତାବକ ଏପରି ଛାତ୍ରଛାତ୍ରୀଙ୍କୁ କମ୍ପାର୍ଟମେଣ୍ଟାଲ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷାରେ ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ପାସ୍ ଘୋଷଣା କରାଯାଏ।
ତେବେ ବିହାରରେ ଏବେ କରୋନା ଭାଇରସ ମହାମାରୀ ବ୍ୟାପିବାରେ ଲାଗିଛି। ଏଥିରେ ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ଲାଗି କମ୍ପାର୍ଟମେଣ୍ଟାଲ ପରୀକ୍ଷା କରିବା ସମ୍ଭବ ନୁହେଁ। ଏଥିଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତିରେ ସରକାର ଏଭଳି ଛାତ୍ରଛାତ୍ରୀ ଯେଉଁ ବିଷୟରେ ଫେଲ ହୋଇଛନ୍ତି ସେହି ବିଷୟରେ ସେମାନଙ୍କ ନମ୍ବର ବଢାଇ ପାସ୍ କରିଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସରକାର ଥରକ ଲାଗି ଏପରି ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଦେଇଛନ୍ତି। ଆଗାମୀ ବର୍ଷ ପରୀକ୍ଷା ନିୟମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି।