ବିହାର ନିର୍ବାଚନ: ଏନଡିଏରେ ଆସନ ବୁଝାମଣା, ଜେଡିୟୁ ୧୨୨ ଓ ବିଜେପି ୧୨୧ ସିଟ୍‌ରେ ଲଢିବ

Published By : Prameya-News7 Bureau | October 06, 2020 IST

ପାଟନା ୦୬।୧୦: ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ରେ ବିଜେପି ଓ  ଜେଡିୟୁ ମଧ୍ୟରେ ଆସନ ବୁଝାମଣା ପ୍ରକ୍ରିୟା ପୂରା ହେବା ପରେ ଦୁଇ ପାର୍ଟିର ନେତା  ମେଣ୍ଟ ଓ ସିଟ୍‌ ବଣ୍ଟନ ନେଇ ଔପଚାରିକ ଘୋଷଣା କରିଛନ୍ତି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାର ୧୧୫ ଆସନରେ ଜେଡିୟୁ ଏବଂ ୧୧୨ ଆସନରେ ବିଜେପି ନିର୍ବାଚନ ଲଢିବ। ମହାମେଣ୍ଟ ଛାଡି ଏନଡିଏରେ ମିଶିଥିବା ମୁକେଶ ସହନିଙ୍କ ପାର୍ଟି ଭିଆଇପି ନଅଟି ଆସନରେ ତ ଜିତନରାମ ମାଞ୍ଝୀଙ୍କ ପାର୍ଟି  ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା ୭ଟି ଆସନରେ ନିଜର ପ୍ରାର୍ଥୀ ଦେବ।

ଏଥିରେ ସ୍ପଷ୍ଟ କରାଯାଇଛି ଯେ, ଜେଡିୟୁ ନିଜର ୧୨୨ ଆସନର କୋଟାରୁ ୭ ଆସନ ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା ଓ ବିଜେପି ୧୨୧ ଆସନରୁ ୯ ଆସନ ବିକାଶଶୀଳ ଇନସାନ ପାର୍ଟିକୁ ଦେବ। ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାର ଘୋଷଣା କରିଛନ୍ତି। ପାଟନାରେ ବିଜେପି-ଜେଡିୟୁର ମିଳିତ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ ସଭାପତି ସଞ୍ଜୟ ଜୟସଓ୍ଵାଲ ନୀତିଶ କୁମାର ଏନଡିଏର ନେତା ବୋଲି ପୁଣି ଥରେ ଦୋହରାଇଛନ୍ତି।

{"id":339658,"width":578,"height":434,"sizeSlug":"large"}

ଘୋଷଣାର ଠିକ୍ ପୂର୍ବରୁ ଆଜି ବିଜେପିର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ବାସଭବନ ଯାଇଥିଲେ। ବିଜେପି ନେତା ତଥା ବିହାର ନିର୍ବାଚନ ପ୍ରଭାରୀ ଦେବେନ୍ଦ୍ର ଫଡଣବିସ, ବିହାର ପ୍ରଭାରୀ ଭୂପେନ୍ଦ୍ର ଯାଦବ, ଉପ ମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀ ଓ ବିଜେପି ରାଜ୍ୟ ସଭାପତି ସଞ୍ଜୟ ଜୟସଓ୍ଵାଲ  ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ଦେଢ ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ।

ଉଲ୍ଲେଖନୀୟ ବିଜେପି ଓ ଜେଡିୟୁ ୨୦୧୦ ବିଧାନସଭା ନିର୍ବାଚନ ଏକାଠି ଲଢିଥିଲେ। ସେହି ସମୟରେ ଜେଡିୟୁ ୧୪୧ ଓ ବିଜେପି ୧୦୨ ଆସନରେ ନିଜର ପ୍ରାର୍ଥୀ ଦେଇଥିଲେ। ଏହି ନିର୍ବାଚନରେ ଜେଡିୟୁ ୧୧୫ ତ ବିଜେପି ୯୧ ଆସନରେ ନିର୍ବାଚନ ଜିତିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.