କୌଣସି ମୁହୂର୍ତ୍ତରେ ବି ଓଲଟି ପାରେ ବିହାର ଫଳାଫଳ, ୪୯ଟି ଆସନରେ ଭୋଟ୍ ବ୍ୟବଧାନ ୨୦୦୦ରୁ କମ, ୨୦ଟି ଆସନରେ ୫୦୦ରୁ କମ

Published By : Prameya-News7 Bureau | November 10, 2020 IST

ପାଟନା ୧୦।୧୧: ବିହାର ବିଧାନସଭା ନିର୍ବାଚନରେ ସକାଳ ୮ଟାରୁ ଭୋଟ୍ ଗଣତି ଜାରି ରହିଛି। ମତଗଣନାର ସଦ୍ୟତମ ଟ୍ରେଣ୍ଡ ଦେଖି ଲାଗୁଛି ଯେ, ରାଜ୍ୟରେ ପୁଣି ଥରେ ନୀତିଶ ସରକାର କ୍ଷମତାସୀନ ହେବାକୁ ଯାଉଛି। ମାତ୍ର ଏହା କେବଳ ଏକ ଟ୍ରେଣ୍ଡ। ସକାଳୁ ଭୋଟ୍ ଗଣତି ଆରମ୍ଭ ହେବା ମାତ୍ରେ ମହାମେଣ୍ଟ ଆଗୁଆ ରହିଥିଲା ହେଲେ କିଛି ଘଣ୍ଟା ପରେ ସ୍ଥିତି ବଦଳିଗଲା। ଏମିତିରେ ଟ୍ଵିଷ୍ଟ ଏବେ ମଧ୍ୟ ବଦଳି ପାରେ। ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡା ଟକ୍କର ଦେଖିବା ବାକି ରହିଛି।

ଅପରାହ୍ନ ୧ଟା ସୁଦ୍ଧା ମିଳିଥିବା ସଦ୍ୟତମ ତଥ୍ୟ ଅନୁଯାୟୀ ୧୬୬ଟି ଆସନରେ ଭୋଟ୍ ବ୍ୟବଧାନ ୫୦୦୦ରୁ କମ୍ ରହିଥିବା ବେଳେ ୧୨୩ ଆସନରେ ଭୋଟ୍ ବ୍ୟବଧାନ ୩୦୦୦ରୁ କମ୍ ରହିଛି। ୮୦ ସିଟ୍‌ରେ ଏହି ବ୍ୟବଧାନ ୨୦୦୦ରୁ ମଧ୍ୟ କମ ରହିଛି। ୪୯ଟି ସିଟ୍‌ରେ ଭୋଟ୍ ବ୍ୟବଧାନ ୧୦୦୦ରୁ ମଧ୍ୟ କମ ରହିଛି। ଏମିତି ୨୦ଟି ଆସନ ରହିଛି ଯେଉଁଠି ଭୋଟ୍ ଅନ୍ତର ୫୦୦ରୁ କମ ରହିଛି। ସାତ ଆସନରେ ଭୋଟ୍ ମାର୍ଜିନ ୨୦୦ରୁ କମ ରହିଛି। ଏଥିରୁ ସ୍ପଷ୍ଟ ଯେ ବାଜି କେତେବେଳେ କୁଆଡେ ବି ପଲଟିପାରେ। ଏବେଠୁ ନିର୍ବାଚନର ଫଳାଫଳ କହିବା ତରବରିଆ ହେବ।

ନିର୍ବାଚନ ଆୟୋଗ ସୂତ୍ର ଅନୁଯାୟୀ, ଏଥର ନିର୍ବାଚନ ଘୋଷଣା କିଛିଟା ବିଳମ୍ବ ଘଟିପାରେ। କାରଣ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ର ୭୨,୭୨୩ରୁ ବଢାଯାଇ ୧,୦୬, ୫୧୫ କରାଯାଇଥିଲା। ପୋଲିଂ ବୁଥ୍ ୪୬.୫ ପ୍ରତିଶତ ବୃଦ୍ଧି କରାଯାଇଥିଲା।

ବିହାରର ୨୪୩ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ଟ୍ରେଣ୍ଡ ଅନୁଯାୟୀ ରାଜ୍ୟରେ ଏନଡିଏ ସରକାର ଗଠନ କରୁଥିବା ଦେଖିବାକୁ ମିଳୁଛି। ସଦ୍ୟତମ ସୂଚନା ଅନୁଯାୟୀ ଏନଡିଏ ୧୨୭ ଆସନରେ ଆଗୁଆ ରହିଛି। ମହାମେଣ୍ଟ ୧୦୩ ଆସନରେ ଅଗ୍ରଣୀ ରହିଛି। ବିଜେପି ରାଜ୍ୟର ସବୁଠୁ ବଡ ପାର୍ଟି ଭାବେ ନିଜକୁ ସ୍ଥାପନ କରିବାରେ ସଫଳ ହୋଇଛି। ପାର୍ଟି ବର୍ତ୍ତମାନ ୭୩ଟି ଆସନରେ ଆଗୁଆ ରହିଛି। ଆରଜେଡି ଦ୍ଵିତୀୟ ପାର୍ଟି ଭାବେ ଆର୍ବିଭାବ ହୋଇଛି ଏବଂ ଦଳ ଏବେ ୬୪ଟି ଆସନରେ ଅଗ୍ରଣୀ ହାସଲ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.