ପରାଜୟ ପରେ ବିହାର କଂଗ୍ରେସରେ କନ୍ଦଳ, ପ୍ରାର୍ଥୀ ଚୟନ ଓ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଲେ ବରିଷ୍ଠ ନେତା ତାରିକ ଅନଓ୍ୱାର

Published By : Prameya-News7 Bureau | November 12, 2020 IST

ପାଟନା, ୧୨|୧୧: ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଦଳର ମାତ୍ର ୧୯ ଜଣ ପ୍ରାର୍ଥୀ ବିଜୟର ସ୍ୱାଦ ଚାଖିଛନ୍ତି । ଯାହା ଗତ ନିର୍ବାଚନ ତୁଳନାରେ ୮ କମ୍ । ଗତ ନିର୍ବାଚନରେ କଂଗ୍ରେସ ୧୭ଟି ଆସନ ଜିଣିଥିଲା ।ପରାଜୟ ପରେ କଂଗ୍ରେସର ମାନସମନ୍ଥନ ପର୍ବ ଆରମ୍ଭ ହୋଇଯାଇଛି । ଏହାମଧ୍ୟରେ ଦଳ ଭିତରୁ ବିରୋଧର ସ୍ୱର ଉଠିଲାଣି ।ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତାରିକ ଅନଓ୍ୱାର ଏହା ମଧ୍ୟରେ ଏକ ବଡ ପ୍ରତିକ୍ରିୟା ରଖିଛନ୍ତି ।

ତାରିଖ ସିଧାସଳଖ ଭାବେ ପ୍ରାର୍ଥୀ ଚୟନ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ହିଁ ବିହାରରେ ଦଳର ପରାଜୟର ସବୁଠାରୁ ବଡ କାରଣ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ପ୍ରଚାର ଓ ନେତୃତ୍ୱ ନେଉଥିବା ନେତାମାନେ ଅନେକ ତ୍ରୁଟି କରିଥିଲେ । ଦଳରେ ଏକ ବଡ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହି ପ୍ରସଙ୍ଗ ସେ ଦଳୀୟ ଫୋରମରେ ଉଠାଇବେ ବୋଲି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ବିହାରରେ କଂଗ୍ରେସର ଭବିଷ୍ୟତ ପାଇଁ ପରିବର୍ତ୍ତନ ଆବଶ୍ୟକତା ରହିଛି । ବିହାରରେ ଏକଦା ଦଳକୁ ୭୦ ଆସନ ମିଳିଥିଲା । କିନ୍ତୁ ଗତ ଥର ଭଳି ପ୍ରଦର୍ଶନ ଦୋହରାଇବାରେ ଦଳ ବିଫଳ ହୋଇଛି । ଫଳରେ ନିରାଶଜନକ ଆସନ ଜିତିଛି କଂଗ୍ରେସ । ସୂଚନାଯୋଗ୍ୟ, ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ଆରଜେଡି ଓ ବାମଦଳ ସହ ମେଣ୍ଟ କରି ନିର୍ବାଚନ ଲଢିଥିଲା । କିନ୍ତୁ ଅନିଜର ସହଯୋଗୀ ଦଳଠୁ ମଧ୍ୟ କଂଗ୍ରେସ କମ୍ ଆସନ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.