ବିହାର ରେଜଲ୍ଟ ପୂର୍ବରୁ କଂଗ୍ରେସକୁ ଘାରିଛି ଘୋଡା ବେପାର ଭୟ, ବିଜୟୀ ବିଧାୟକଙ୍କୁ ରାଜସ୍ଥାନ ଓ ପଞ୍ଜାବ ପଠାଇବାକୁ ଯୋଜନା

Published By : Prameya-News7 Bureau | November 09, 2020 IST

ପାଟନା, ୦୯୧୧:  ମଙ୍ଗଳବାର ପ୍ରକାଶ ପାଇବ ବିହାର ବିଧାନସଭାର ଫଳାଫଳ । ବିଜେପି-ଜେଡିୟୁ ମେଣ୍ଟ ପୁଣି ସରକାର ଗଠନ କରିବେ ନା କଂଗ୍ରେସ-ଆରଜେଡି ମହାମେଣ୍ଟ ଶାସନ ଡୋରି ଛଡାଇ ନେବ ତାହା ଉପରେ ରହିଛି ସମସ୍ତଙ୍କ ନଜର । ତେବେ ଅନେକ ଏକଜିଟ୍ ପୋଲରେ ଚଳିତ ନିର୍ବାଚନରେ ବିଜେପି-ଜେଡିୟୁକୁ ନିରାଶ ହେବାକୁ ପଡିପାରେ ବୋଲି ସୂଚନା ମିଳିଛି । ଲାଲୁ ନନ୍ଦନ ତେଜସ୍ୱୀ ଯାଦବ ଚଳିତ ଥର ବିହାରର ତାଜ୍ ପିନ୍ଧିବାକୁ ଯାଉଥିବା ଆକଳନ କରିଛି ଅନେକ ସଂସ୍ଥାର ଏକଜିଟ୍ ପୋଲ୍ । ଏହାକୁ ନେଇ ଆରଜେଡି ଶିବିରରେ ଖୁସିର ମାହୋଲ । କିନ୍ତୁ ନିରାଶ ହୋଇନି ବିଜେପି । ଦଳ ବିଜୟ ହେବା ନେଇ ମଧ୍ୟ ଆଶା ରଖିଛି । କାରଣ ଏକ କ୍ୱିଣ୍ଟାଲ୍ ଲଡୁ ପାଇଁ ଦଳ ଅର୍ଡର କରିସାରିଛି । ସେହିପରି କଂଗ୍ରେସ ମଧ୍ୟ ନିଜ ବିଧାୟକଙ୍କୁ ଘୋଡା ବେପାରରୁ ରକ୍ଷା କରିବାକୁ ପ୍ଲାନ୍ ପ୍ରସ୍ତୁତ କରିଛି ।

କଂଗ୍ରେସ ବିଧାନସଭାର ଫଳାଫଳ ଆସିବା ପୂର୍ବରୁ ଅଧିକ ସକ୍ରିୟ ହୋଇ ଉଠିଛି । ଏକଜିଟ୍ ପୋଲକୁ ବିଶ୍ୱାସ କରି ଦଳ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ବିଜୟ ଲାଭ କଲେ ତୁରନ୍ତ ବରିଷ୍ଠ ନେତାଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଛି । କାରଣ ଦଳ କୌଣସି ରିସ୍କ ନେବାକୁ ଚାହୁଁ ନାହିଁ । ଦଳରେ କିପରି ସମନ୍ୱୟ ରଖିଦେବ ସେନେଇ ତୁଙ୍ଗ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ଅନେକ ନେତା ବିହାରର ରାଜଧାନୀ ପାଟନାରେ ଆସି ଡେରା ପକାଇଛନ୍ତି । ବିଧାୟକଙ୍କ ସହ ଯୋଗାଯୋଗର ଦାୟିତ୍ୱ ରଣଦୀପ ସୁରେଜଓ୍ୱାଲାଙ୍କୁ ଦିଆଯାଇଛି ।  

କଂଗ୍ରେସ ଆଶଙ୍କା କରୁଛି ଯେ, ଯଦି କୌଣସି ଦଳ ସ୍ପଷ୍ଟ ବହୁମତ ହାସଲ ନକରେ ତେବେ ଘୋଡା ବେପାରର ସମ୍ଭାବନା ରହିଛି । ବିଜୟୀ ବିଧାୟକଙ୍କୁ ଦଳ ପଞ୍ଜାବ କିମ୍ବା ରାଜସ୍ଥାନ ପଠାଇପାରେ ।

ତେବେ ଏଖଜିଟ୍ ପୋଲ ପରେ ଆରଜେଡି ଶିବିରରେ ଆନନ୍ଦର ଲହରୀ ଖେଳି ଯାଇଛି । କିଛି ସ୍ଥାନରେ ଆରଜେଡି ନେତା ତଥା ଲାଲୁ ପ୍ରସାଦ ଯାଦବଙ୍କ ନନ୍ଦନ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ବୋଲି ମଧ୍ୟ ପୋଷ୍ଟର ଲାଗିଲାଣି । ଅର୍ଥାତ ଦଳର ଆତ୍ମବିଶ୍ୱାସ ସର୍ବାଧିକ ରହିଛି । ଏପଟେ ବିଜେପି ମଧ୍ୟ ସରକାର ଗଠନ କରିବା ନେଇ ଆଶାବାଦୀ ଅଛି । ତେଣୁ ବିଜୟ ମନାଇବା ପାଇଁ ଏକ କ୍ୱିଣ୍ଟାଲ ଲଢୁ ବରାଦ କରିଛି ଦଳ । ତେବେ ବିହାରର ମୁକୁଟ କିଏ ପିନ୍ଧୁଛି, ନୀତିଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ନା ନାହିଁ ତାହା ଫଳାଫଳ ଆସିବା ପରେ ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.