ବିହାରରେ ନୀତିଶ-ତେଜସ୍ୱୀ କାଣ୍ଟେ କା ଟକ୍କର, ଭେଟେରାନ ପଲିଟିସିଆନଙ୍କ ଦବଦବା ଅଛି କିନ୍ତୁ ଲାଲୁଙ୍କ ଦାୟାଦଙ୍କୁ ଅଛି ଭରସା

Published By : Prameya-News7 Bureau | October 20, 2020 IST

ପାଟନା, ୨୦/୧୦:  ବିହାର ବିଧାନସଭାରେ କିଏ ବାଜି ମାରିବ ତାହା ନଭେମ୍ବର ୧୦ ତାରିଖରେ ଜଣାପଡିବ । କିନ୍ତୁ ନିର୍ବାଚନ ପୂର୍ବରୁ ସାମ୍ୱାକୁ ଆସିବାରେ ଲାଗିଛି ବିଭିନ୍ନ ସଂସ୍ଥାର ଓପିନିୟନ ପୋଲ୍ ବା ଜନମତ ସର୍ଭେ । ବିଭିନ୍ନ ଓପିନିୟନ ପୋଲରେ ନୀତିଶ କୁମାର ବିହାରବାସୀଙ୍କ ପ୍ରଥମ ପସନ୍ଦ ବୋଲି ଦେଖିବାକୁ ମିଳିଛି । ଆରଜେଡି ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ରାଜ୍ୟବାସୀଙ୍କ ଦ୍ୱିତୀୟ ପସନ୍ଦ ବୋଲି ମଧ୍ୟ ସର୍ଭେରେ ଜଣାପଡିଛି ।

ଆଉ କିଛିଦିନ ପରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଲୋକନୀତି ଓ ସିଏସଡିଏସ ଦ୍ୱାରା କରାଯାଇଥିବା ଓପିନିୟନ ପୋଲରେ ୩୧ ପ୍ରତିଶତ ଲୋକ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ପସନ୍ଦ କରିଛନ୍ତି । କିନ୍ତୁ ନୀତିଶଙ୍କଠାରୁ ତେଜସ୍ୱୀ ଯାଦବ ବେଶୀ ପଛରେ ନାହାଁନ୍ତି । ତେଜସ୍ୱୀଙ୍କୁ ପ୍ରାୟ ୨୭ ପ୍ରତିଶତ ଲୋକ ଭରସା କରୁଛନ୍ତି ।

ଓପିନିୟନ ପୋଲର ଫଳାଫଳ ଅନୁସାରେ., ଉପ ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ୫ ପ୍ରତିଶତ, ଚିରାଗ ପାଶଓ୍ୱାନଙ୍କୁ ୪ ପ୍ରତିଶତ ଓ ଲାଲୁ ଯାଦବଙ୍କୁ ୩ ପ୍ରତିଶତ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ।

ଲୋକନୀତି-ସିଏସଡିଏସର ସର୍ଭେରେ ୩୭ଟି ବିଧାନସଭା ଆସନର ୧୪୮ଟି ବୁଥରୁ ୩୭୩୧ଜଣଙ୍କ ମତାମତ ନିଆଯାଇଥିଲା । ଏହି ଓପିନିୟନ ପୋଲ୍ ଅକ୍ଟୋବର ୧୦ରୁ ୧୭ ତାରିଖ ମଧ୍ୟରେ କରାଯାଇଥିଲା । ଏଥିରେ ୬୦ ପ୍ରତିଶତ ପୁରୁଷ ଓ ୪୦ ପ୍ରତିଶତ ମହିଳା ଭୋଟରଙ୍କ ସହ ଆଲୋଚନା କରାଯାଇଥିଲା ।

ଏହି ସର୍ଭେରେ ଗ୍ରାମାଞ୍ଚଳରୁ ୯୦ ପ୍ରତିଶତ ଓ ସହରରୁ ୧୦ ପ୍ରତିଶତ ଭୋଟରଙ୍କ ମତ ନିଆଯାଇଥିଲା । ଏଥିରେ ସମସ୍ତ ବୟସର ଭୋଟରଙ୍କୁ ସାମିଲ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.