ବିହାରରେ ବାଜିଲା ନିର୍ବାଚନୀ ବିଗୁଲ : ତିନୋଟି ପର୍ଯ୍ୟାୟରେ ହେବ ମତଦାନ, ନଭେମ୍ବର ୧୦ରେ ଫଳାଫଳ, କରୋନା ଆକ୍ରାନ୍ତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | September 25, 2020 IST

ପାଟନା, ୨୫।୦୯: ବିହାର ବିଧାନସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଜୋର୍ ଧରିଲା ରାଜନୈତିକ ପାଣିପାଗ । ଆଜି ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ଇଲେକ୍ସନ କମିଶନ ବା ଇସି । ଏହାପରେ ରାଜ୍ୟରେ ରାଜନୈତିକ ଅଙ୍କକଷା ଆରମ୍ଭ ହୋଇଛାଇଛି । ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ମତଦାନ ହେବ ବୋଲି ଇସି ସୂଚନା ଦେଇଛନ୍ତି ।

ଇସି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ବିହାରରେ ମୋଟ୍ ୨୪୩ ଆସନରେ ମତଦାନ ହେବ । ରାଜ୍ୟରେ ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୨୯ରେ ସରିବ । ଚଳିତ ଥର ନିର୍ବାଚନରେ ୬ ଲକ୍ଷ ପିପିଇ କିଟ୍ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯିବ । ୪୬ ଲକ୍ଷ ମାସ୍କ ବ୍ୟବହାର ହେବ । ୬ ଲକ୍ଷ ଫେସ୍ ସିଲ୍ଡ ମଧ୍ୟ ପ୍ରଦାନ କରାଯିବ ।ରାଜ୍ୟରେ ୧୮ ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଲକ୍ଷ ଭୋଟ୍ ଦେଇପାରନ୍ତି । ପୋଷ୍ଟାଲ ବାଲାଟର ମଧ୍ୟ ସୁବିଧା ମିଳିବ । ଚଳିତ ଥର ମତଦାନ ପାଇଁ ଏକ ଘଣ୍ଟା ଅଧିକ ସମୟ ରହିବ ।ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏଁ ମତଦାନ ହେବ । ଡୋର୍ ଟୁ ଡୋର୍ କ୍ୟାମ୍ପେନରେ ୫ଜଣ ଯାଇପାରିବେ ।ଅନଲାଇନରେ ନାମାଙ୍କନ ପତ୍ର ପ୍ରଦାନ କରାଯିବ । ନାମାଙ୍କନ ବେଳେ ପ୍ରାର୍ଥୀଙ୍କ ସହ ୨ଜଣ ରହିପାରିବେ । ପ୍ରଚାରରେ କିଏ କାହା ସହ ହାତ ମିଶାଇପାରିବେ ନାହିଁ । ମତଦାନର ଶେଷ ସମୟରେ କରୋନା ଆକ୍ରାନ୍ତ ଭୋଟ୍ ଦେବେ । ସେମାନଙ୍କ ପାଇଁ ଅଲଗା ବ୍ୟବସ୍ଥା କରାଯିବ । ପ୍ରଚାର ଭର୍ଚୁଆଲ୍ ହେବ । ଜିଲ୍ଲା ଅଧିକାରୀ ଛୋଟ ରାଲି ପାଇଁ ସମୟ ଓ ସ୍ଥାନ ନିର୍ଧାରଣ କରିବେ । ପ୍ରତି ପୁଲିଂ ବୁଥରେ ସାବୁନ, ସାନିଟାଇଜର ସମେତ ଅନ୍ୟ ସାମଗ୍ରୀ ରହିବ ।

ଇସି ଆହୁରି କହିଛନ୍ତି ଯେ, ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ।ପ୍ରଥମ ପର୍ଯ୍ୟାୟ ମତଦାନ ଅକ୍ଟୋବର ୨୮ରେ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ନଭେମ୍ବର ୩ ଓ ତୃୀତୟ ପର୍ଯ୍ୟାୟ ନଭେମ୍ବର ୭ରେ ହେବ । ଫଳାଫଲ ନଭେମ୍ବର ୧୦ରେ ପ୍ରକାଶ ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.