ବିହାରରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ- ବିହାର ଲୋକଙ୍କୁ ଏବେ ଲଣ୍ଠନ ଦରକାର ନାହିଁ

Published By : Prameya-News7 Bureau | October 23, 2020 IST

ପାଟନା ୨୩।୧୦: ବିହାର ବିଧାନସଭା ନିର୍ବାଚନର ପ୍ରଚାର ମଇଦାନରେ ଶୁକ୍ରବାର ପ୍ରଥମ ଥର ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନିଜର ଭାଷଣରେ ସେ ବିରୋଧୀଦଳଗୁଡିକୁ ଶାଣିତ ସ୍ଵରରେ ହମଲା କରୁଛନ୍ତି। ସାସାରାମ ପରେ ପ୍ରଧାନମନ୍ତ୍ରୀ ଗୟା ରାଲିକୁ ସମ୍ବୋଧିତ କରି ଲାଲୁ ପ୍ରସାଦ ଯାଦବଙ୍କ ସରକାର ଉପରେ ଅନେକ ପ୍ରଶ୍ନବାଣ ଛାଡିଛନ୍ତି। ଏହା ପୂର୍ବରୁ ସାରାରାମରେ ନିଜର ପ୍ରଥମ ନିର୍ବାଚନୀ ରାଲିରେ ମୋଦୀ ବିରୋଧୀ ଦଳକୁ ନିଜର ଚିରାଚରିତ ଶୈଳୀରେ ଆକ୍ରମଣ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)କୁ ଟାର୍ଗେଟ୍ କରି କହିଛନ୍ତି ବିହାରର ଜନତାଙ୍କୁ ଏବେ ଆଉ ଲଣ୍ଠନର ଆବଶ୍ୟକତା ନାହିଁ। ଆଜି ବିହାରରେ ରହୁଥିବା ପ୍ରତ୍ୟେକ ଗରିବ ଲୋକଙ୍କ ଘରେ ବିଜୁଳି ରହିଛି। କିନ୍ତୁ ସମୟ ଥିଲା ଏହି ବିଜୁଳି କେବଳ ଧନୀ ପରିବାରଙ୍କ ପାଖରେ ଥିଲା। ମୋଦୀ କହିଛନ୍ତି ୯୦ ଦଶନ୍ଧିରେ ବିହାରବାସୀଙ୍କ ପ୍ରତି ଅନ୍ୟାୟ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟରେ ନକ୍ସଲବାଦ ପ୍ରସଙ୍ଗକୁ ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି  ବିରୋଧୀ ଦଳ ଏନଡିଏ ବିରୋଧରେ ମେଳି କରିଛନ୍ତି, ଯାହାକୁ ସେମାନେ ମହାମେଣ୍ଟ କହୁଛନ୍ତି। ମାତ୍ର ବିହାରର ପ୍ରତିଟି ନାଗରିକ ନକ୍ସଲ ଅଭିଯାନକୁ ଅନୁମତି ଦେଇଥିବା ଏହି ମହାମେଣ୍ଟକୁ ବେଶ୍‌ ଭଲ ଭାବେ ଜାଣିଛନ୍ତି। ସେ କହିଛନ୍ତି ବିହାରରେ ନକ୍ସଲବାଦ୍‌କୁ ଖୋଲା ଅନୁମତି ଦେଉଥିବା ବ୍ୟକ୍ତି ଏନଡିଏ ବିରୋଧୀ। ଗତ କିଛି ବର୍ଷରେ ଦେଶରେ ନକ୍ସଲ ଗତିବିଧି କମ କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇଛି। ଫଳସ୍ଵରୂପ ନକ୍ସଲ ବର୍ତ୍ତମାନ କିଛି ଅଞ୍ଚଳରେ ସୀମିତ ରହି ଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.