ବିହାରରେ ତୀବ୍ର ହେଲା ଆୟୁର୍ବେଦ ବନାମ ଏଲୋପାଥି ଲଢ଼େଇ, ରାମଦେବଙ୍କ ବିରୋଧରେ ପ୍ରତି ଥାନାରେ ଏତଲା ଦେବେ ଡାକ୍ତର

Published By : Prameya-News7 Bureau | June 06, 2021 IST

ପାଟନା ୬/୬: ଯୋଗଗୁରୁ ବାବା ରାମଦେବଙ୍କ ବୟାନ ପରେ ଆରମ୍ଭ ହୋଇଥିବା ଆୟୁର୍ବେଦ ବନାମ ଏଲୋପାଥି ଯୁଦ୍ଧ ଏବେ ବିହାରରେ ତୀବ୍ର ହୋଇଛି। ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡ଼ିଛି ଆଇଏମଏର ବିାହାର ୟୁନିଟ। ରବିବାର ପାଟନାରେ ହୋଇଥିବା ଆଇଏମଏ ବୈଠକରେ ରାମଦେବଙ୍କ ବିରୋଧରେ ରାଜ୍ୟରେ ୫୦ ଥାନରେ ଏତଲା ଦେବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ସମସ୍ତ ବ୍ରାଞ୍ଚର ସଦସ୍ୟଙ୍କୁ ପ୍ରସ୍ତୁତ ମଧ୍ୟ କରାଯାଇଛି।

ବାବାଙ୍କ ନାଁରେ ଗୋଟିଏ ଗୋଟିଏ ସମସ୍ତ ଥାନାରେ ଏତଲା ଦିଆଯିବ ବୋଲି ଆଇଏମଏର ପୂର୍ବତନ ସଭାପତି ଡାକ୍ତର ବିମଳ କାରକ କହିଛନ୍ତି। ଆଇଏମଏ ବିହାରର କାର୍ଯ୍ୟକାରୀ ଅଧ୍ୟକ୍ଷ ଡାକ୍ତର ଅଜୟ କୁମର, ରାଜ୍ୟ ସାଧାରଣ ସମ୍ପାଦକ ଡାକ୍ତର ସୁନିଲ କୁମାର ବୈଠକ ବେଳେ କହିଛନ୍ତି ରାମଦେବ ଏଲୋପାଥି, ଟିକାକରଣ ଏବଂ ଔଷଧକୁ ନେଇ ଭ୍ରମାତ୍ମକ ବୟାନ ଦେଇଛନ୍ତି। ସେ କୋଭିଡ ସହିଦଙ୍କୁ ଅପମାନ କରିଛନ୍ତି। ତେଣୁ ସମସ୍ତ ଶଖାର ଅଧିକାରୀ ବାବାଙ୍କ ବିରୋଧରେ ଜଣ ଜଣ କରି ଥାନାରେ ଏତଲା ଦେବେ।

ରାମଦେବ ଏଲୋପାଥିକୁ ନେଇ ବିବାଦୀୟ ବୟାନ ଦେବା ପରଠୁ ଦେଶର ଡାକ୍ତରମାନେ ବିରୋଧ କରୁଛନ୍ତି । ଏଲୋପାଥି ଚିକିତ୍ସା ପାଇଁ ଲକ୍ଷ ଲକ୍ଷ କରୋନା ରୋଗୀଙ୍କ ମୃତ୍ୟୁ ହେଉଥିବା କହିବା ସହ ଆୟୁର୍ବେଦ କରୋନା ପାଇଁ ରାମବାଣ ବୋଲି କହିଥିଲେ ଯୋଗଗୁରୁ ରାମଦେବ। ଏହା ପରେ ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ରାମଦେବଙ୍କ ବିରୋଧରେ ତାତିଛି। ଏପରିକି ଏହି ମାମଲାରେ ରାମଦେବଙ୍କ ବିରୋଧରେ ୧୦୦୦ କୋଟି ଟଙ୍କାର ମାନହାନୀ ମକୋଦ୍ଦମା ମଧ୍ୟ କରିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.