ଏମିତି ହୋଇଥିଲା ବିହାରରେ NDA vs RJD ଟକ୍କର, ମାତ୍ର ୧୨ଟି ଭୋଟରେ ଜିତିଛନ୍ତି ପ୍ରାର୍ଥୀ, ଅନେକ ସ୍ଥାନରେ ମାର୍ଜିନ ୧ହଜାରରୁ ଢେର କମ୍

Published By : Prameya-News7 Bureau | November 11, 2020 IST

ନୂଆଦିଲ୍ଲୀ ୧୧।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହୋଇସାରିଲାଣି। ଏନଡିଏ ମେଣ୍ଟ ହାତରେ ପୁଣି ପଡିଛି ରାଜ୍ୟ ଶାସନର ଡୋରୀ। ହେଲେ ଏଥର ନିର୍ବାଚନରେ ହୋଇଥିବା ପ୍ରତିଦ୍ୱନ୍ଦ୍ୱୀତା ଦେଶର ଇତିହାସ ସୃଷ୍ଟି କରିଛି। ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ମଧ୍ୟରେ କଣ୍ଟାକୁ କଣ୍ଟା ମୁକାବିଲା ହୋଇଛି। ମାତ୍ର ୧୦ ରୁ ୧୨ଟି ଭୋଟରେ ନିର୍ଦ୍ଧାରିତ ହୋଇଛି ପ୍ରତିଦ୍ୱନ୍ଦ୍ୱୀଙ୍କ ଜୟ ପରାଜୟ। ଭାରତର ରାଜନୈତିକ ଇତିହାସରେ ଏହା ପ୍ରଥମ ଘଟଣା। ତେବେ ରାଜନୀତିରେ ଅନଭିଜ୍ଞ ଯୁବ ନେତା ତେଜସ୍ୱୀ ଯାଦବଙ୍କ ଦଳୀୟ ନେତୃତ୍ୱ ଓ ନିର୍ବାଚନ ପରିଚାଳନା କଳା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

୨୪୩ ସଦସୀୟ ବିଧାନସଭା ନିର୍ବାଚନରେ ଆରଜେଡି ଓ ମେଣ୍ଟ ଦଳଙ୍କୁ ୧୧୧ଟି ଆସନ ମିଳିଛି। ଏହାର ଜବାବରେ ଶାସକ ଏନଡିଏ ମେଣ୍ଟ ୧୨୪ଟି ଆସନ ପାଇଛି। ଏଠାରେ ସରକାର ଗଠନ  ଲାଗି ୧୨୨  ସଂଖ୍ୟାଗରିଷ୍ଠତା ନମ୍ବର। ଏନଡିଏ ଅଧିକ ୨ଟି ଆସନ ଜିତି ସରକାର ଗଠନ ଲାଗି ରାସ୍ତା ଉନ୍ମୁକ୍ତ କରିଦେଇଛି।  ତେବେ ଅନେକ ସ୍ଥାନରେ ଆରଜେଡି ପ୍ରାର୍ଥୀଙ୍କ ଟକ୍କର ବିଜେପି ପ୍ରତିଦ୍ୱନ୍ଦ୍ୱୀଙ୍କୁ ଅଣନିଶ୍ୱାସୀ କରିଦେଇଥିଲା। ଅନେକ ସ୍ଥାନରେ ୧ହଜାରରୁ ବି କମ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ନିର୍ବାଚନ ବୈତରଣୀ ପାର କରିଥିବା ବେଳେ ହିଲସା ଜେଡିୟୁ ପ୍ରାର୍ଥୀ ମାତ୍ର ୧୨ ଖଣ୍ଡ ଭୋଟରେ ବିଜୟ ଲାଭ କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏନଡିଏ ମେଣ୍ଟରେ ବିଜେପି ୭୩ଟି ଆସନ ଜିତିଥିବା ବେଳେ ଆରଜେଡି ଏକାକୀ ଜିତିଛି ୭୬ଟି ଆସନ। ଭୋଟ ଭାଗବଣ୍ଟାରେ ଆରଜେଡି୨୩.୦୩ ପ୍ରତିଶତ ଭୋଟ ମିଳିଛି। ଯାହା ବିହାର ବିଧାନସଭା ଇତିହାସରେ କୌଣସି ଏକକ ରାଜନୈତିକ ଦଳ ହାସଲ କରିଥିବା ଭୋଟ ପ୍ରତିଶତ ଠାରୁ ମଧ୍ୟ ଅଧିକ।

ନିର୍ବାଚନ ପୂର୍ବରୁ ଏନଡିଏରୁ ଚିରାଗ ପାଶ୍ୱାନ୍‌ଙ୍କ ଲୋକଜନଶକ୍ତି ପାର୍ଟି(ଏଲଜେପି) ପୃଥକ ହୋଇଯାଇଥିଲା। ରାଜ୍ୟରେ ୧୫୦ ଆସନରେ ପ୍ରାର୍ଥୀ ଦେଇଥିଲେ ବି ଅତିକଷ୍ଟରେ ଗୋଟିଏ ଆସନ ସହ ରାଜ୍ୟରେ ପାର୍ଟିର ଉପସ୍ଥିତି ଜାହିର କରିଛି। ତେବେ ସବୁଠୁ ଯାହା ବଡ଼ କଥା ହେଉଛି ନିର୍ବାଚନରେ ପ୍ରାର୍ଥୀଙ୍କ ବିଜୟର ଦୂରତ୍ୱ। ବାରବିଘାରେ ଜେଡିୟୁ ପ୍ରାର୍ଥୀ ସୁଦର୍ଶନ କୁମାର ତାଙ୍କ ନିକଟତମ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱୀ ଗଜାନନ ସାହୀଙ୍କୁ ମାତ୍ର ୧୧୩ଟି ଭୋଟରେ ହରାଇଛନ୍ତି। ସେହିପରି ଭୋରରେ ବିଜୟ ମାର୍ଜିନ ମାତ୍ର ୪୬୨ ଭୋଟ ଥିବା ବେଳେ ହିଲସା ସବୁ ରେକର୍ଡ ଭାଙ୍ଗିଛି। ଏଠାରେ ଶାସକ ଜେଡିୟୁ ପ୍ରାର୍ଥୀ କୃଷ୍ଣମୂରାରୀ ସରନଙ୍କୁ ଟକ୍କର ଦେଇଥିଲେ ଆରଜେଡି ପ୍ରାର୍ଥୀ ଅତ୍ରି ମୁନି। ସରନଙ୍କୁ ମୋଟ ୬୧ହଜାର ୮୪୮ଟିଭୋଟ ମିଳିଥିବା ବେଳେ ମୁନି ପାଇଛନ୍ତି ୬୧ହଜାର ୮୩୬ ଭୋଟ। ମାତ୍ର୧୨ଟି ଭୋଟ ବ୍ୟବଧାନରେ ଜିତିଛନ୍ତି ଶାସକ ଦଳ ପ୍ରାର୍ଥୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.