ବର୍ଷକୁ ବର୍ଷ ଗରିବ ହେଉଛନ୍ତି ନୀତିଶ କୁମାର, ପୁଅ ହେଉଛନ୍ତି ଧନୀ ! ସମ୍ପତ୍ତି ତାଲିକା ପ୍ରକାଶ କଲେ ବିହାର ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | January 01, 2021 IST

ପାଟନା ୦୧/୦୧: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରତିବର୍ଷ ଭଳି ୨୦୨୦ର ଶେଷ ଦିନରେ ନିଜର ସମ୍ପତ୍ତି ତାଲିକା ପ୍ରକାଶ କରିଛନ୍ତି। ପ୍ରଥମ ଥର ଭଳି ଏଥର ତାଙ୍କ ପୁଅ ନିଶାନ୍ତ ନୀତିଶଙ୍କଠୁ ଅଧିକ ଧନୀ। ମୁଖ୍ୟମନ୍ତ୍ରୀ ଦ୍ବାରା ଘୋଷଣା କରାଯାଇଥିବା ସମ୍ପତ୍ତି ଅନୁସାରେ ନୀତିଶଙ୍କ ପାଖରେ ନଗଦ ୩୫ ହଜାର ଟଙ୍କା ଥିବା ବେଳେ ପୁଅ ନିଶାନ୍ତଙ୍କ ପାଖରେ ୨୮ ହଜାର ଟଙ୍କା ଅଛି। କ୍ୟାବିନେଟ ବିଭାଗ ଓ୍ବେବସାଇଟ୍‌ରେ ସମ୍ପତି ବ୍ୟୁରୋ ଅନୁସାରେ ନିଶାନ୍ତଙ୍କ ପାଖରେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଏକ କୋଟିରୁ ଅଧିକ ଟଙ୍କା ରହିଛି । ନୀତିଶ କୁମାରଙ୍କ ବ୍ୟାଙ୍କ ଆକାଉଣ୍ଟରେ କୌଣସି ଫିକ୍ସ ଡିପୋଜିଟ୍‌ ନାହିଁ।

ନୀତିଶ କୁମାରଙ୍କ ପାଖରେ ଥିବା ଏକ ଫୋର୍ଡ କାରର ମୂଲ୍ୟ ୧୧ ଲକ୍ଷ ୩୨ ହଜାର ଟଙ୍କା। ନିଶାନ୍ତଙ୍କ ପାଖରେ ବାପାଙ୍କ ଭଳି କୌଣସି ଦାମୀ କାର ନାହିଁ। କେବଳ ୬.୪୦ ଲକ୍ଷ ଟଙ୍କାର ଏକ ହ୍ୟୁଣ୍ଡାଇ କାର ଅଛି। ନୀତିଶ କୁମାରଙ୍କ ଠାରୁ ନିଶାନ୍ତଙ୍କ ପାଖରେ ଅଧିକ ମୂଲ୍ୟର ଗହଣା ଥିବା ସମ୍ପତ୍ତି ତାଲିକାରେ ଉଲ୍ଲେଖ ରହିଛି।

ନୀତିଶ କୁମାରଙ୍କ ପାଖରେ ମୋଟ ୯୮ ହଜାର ଟଙ୍କାର ଗହଣା ରହିଥିବା ବେଳେ ନିଶାନ୍ତଙ୍କ ପାଖରେ ୨୦,୭୩,୫୦୦ ଟଙ୍କାର ଗହଣା ଥିବା ଜଣାପଡ଼ିଛି। ସମ୍ପତ୍ତି ତାଲିକାରେ ନିଜ ପାଖରେ ଥିବା ଏକ ଏସି, ଗୋଟିଏ କମ୍ପ୍ୟୁଟର, ୧୨ଟି ଗାଈ, ୬ଟି ବାଛୁରୀ, ସାଇକେଲ୍‌, ସିଲାଇ ମେସିନ୍‌ ଓ ଏକ ମାଇକ୍ରୋ ଓଭେନ୍‌ ଅଛି। ନୀତିଶ କୁମାରଙ୍କ ପାଖରେ ଦିଲ୍ଲୀରେ ଏକ ଫ୍ଲାଟ ରହିଛି।

ସୂଚନାଯୋଗ୍ୟ, ନୀତିଶ କୁମାରଙ୍କ ପାଖରେ ୨୦୧୮ରେ ନଗଦ ୪୨ ହଜାର ଟଙ୍କା ଥିଲା। ୨୦୧୯ରେ ଏହା କମି ୩୮ ହଜାର ଟଙ୍କାରେ ପହଞ୍ଚିଥିବା ବେଳେ ଏବେ ୩୫ ହଜାର ଟଙ୍କାରେ ପହଞ୍ଚିଥିବା ସମ୍ପତ୍ତି ତାଲିକା ବୟାନ କରୁଛି। ଏହା ସହ ନୀତିଶ କୁମାରଙ୍କ ପାଖରେ ୧୬ ଲକ୍ଷ ୨୮ ହଜାର ଟଙ୍କାର ସ୍ତାବର ଓ ୪୦ ଲକ୍ଷ ଅସ୍ତାବର ସମ୍ପତି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.