ସବୁ ସର୍ଭେରେ ଗୋଟିଏ କଥା, ବିହାରରେ 'ଅବ କି ବାର' ତେଜସ୍ଵୀ ସରକାର !

Published By : Prameya-News7 Bureau | November 07, 2020 IST

ପାଟନା ୦୭।୧୧: ବିହାରରେ କିଏ ସରକାର ଗଢିବ ତାର ଅନ୍ତିମ ନିର୍ଣ୍ଣୟ ନଭେମ୍ଵର ୧୦ରେ ହେବାକୁ ଯାଉଛି। ଏହା ପୂର୍ବରୁ ବିଭିନ୍ନ ଚ୍ୟାନେଲର ଏକଜିଟ୍‌ ପୋଲ୍‌ରେ ଏନଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଛି। ସମସ୍ତ ଏକଜିଟ୍‌ ପୋଲ୍‌ରେ ତେଜସ୍ଵୀ ଯାଦବଙ୍କ ନେତୃତ୍ଵାଧୀନ ମହାମେଣ୍ଟ ସରକାର ଗଠନ କରୁଥିବା ବେଳେ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଏନଡିଏ ବିରୋଧରେ କ୍ଷମତା ବିରୋଧୀ ଲହର ଦେଖିବାକୁ ମିଳିଛି। ଯଦି ଏକଜିଟ୍ ପୋଲ୍ ଅନୁରୂପ ଫଳାଫଳ ଆସେ ତେବେ ନୀତିଶ କୁମାର କ୍ଷମତାରୁ ବେଦଖଲ ହେବେ। ଉଲ୍ଲେଖନୀୟ ରାଜ୍ୟ ବିଧାନସଭାର ସିଟ୍ ସଂଖ୍ୟା ୨୪୩ ଏବଂ ବହୁତମ ପାଇଁ ଆବଶ୍ୟକ ସଂଖ୍ୟା ବଳ ହେଉଚି ୧୨୨।

ଟୁଡେ ଚାଣକ୍ୟର ଏକଜିଟ୍ ପୋଲ୍‌ ଅନୁଯାୟୀ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ବିଜେପି ଓ ଜେଡିୟୁ ମେଣ୍ଟ ମୂଳପୋଛ ହେଉଥିବା ନଜର ଆସୁଛି। ମହାମେଣ୍ଟ ସରକାର ଗଠନ କରୁଥିବା ଏବଂ ତେଜସ୍ଵୀ ଯାଦବ ମୁଖ୍ୟମନ୍ତ୍ରୀ ହେଉଥିବା ଏକଜିଟ୍‌ ପୋଲ୍‌ରେ କୁହାଯାଇଛି।  ଏକଜିଟ୍‌ ପୋଲ୍‌ ଅନୁସାରେ ଆରଜେଡି-କଂଗ୍ରେସ ମେଣ୍ଟକୁ ୧୮୦ରୁ ଅଧିକ ଆସନ ମିଳୁଥିବା ବେଳେ ବିଜେପି-ଜେଡିୟୁକୁ ୫୫ ଆସନ ଏବଂ ଅନ୍ୟ ଖାତାରେ ୪ ଯାଉଥିବାର ସମ୍ଭାବନା ରହିଛି।

ଏବିପି-ସି ଭୋଟର ସର୍ଭେରେ ମହାମେଣ୍ଟ ଆଗରେ

ଏବିପି-ସି ଭୋଟର ସର୍ଭେ ଅନୁଯାୟୀ ଏନଡିଏ ଓ ମହାମେଣ୍ଟ ମଧ୍ୟରେ କଡା ମୁକାବିଲା ହେବାର ସମ୍ଭାବନା ରହିଛି। ମହାମେଣ୍ଟକୁ ୧୦୮ ରୁ ୧୩୧ ଆସନ ମିଳିପାରେ। ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଏନଡିଏକୁ ୧୦୪ ରୁ ୧୨୮ ଆସନ ମିଳୁଥିବା ଦେଖିବାକୁ ମିଳିଛି। ଅନ୍ୟ ଖାତାକୁ ୧୧ ଆସନ ଯିବାର ସମ୍ଭାବନା ରହିଛି। ଏଲଜେପିକୁ ୧ ରୁ ୩ ଏବଂ ଅନ୍ୟକୁ ୪ ରୁ ୮ ସିଟ୍ ମିଳିପାରେ।

ରିପବ୍ଲିକ-ଜନ କି ବାତ୍‌ରେ ତେଜସ୍ଵୀ ସରକାର

ରିପବ୍ଲିକ ଜନ କି ବାତ୍‌ର ଏକଜିଟ୍ ପୋଲ୍‌ ଅନୁଯାୟୀ ତେଜସ୍ଵୀ ଯାଦବଙ୍କ ନେତୃତ୍ଵରେ ମହାମେଣ୍ଟ ବିହାରରେ ସରକାର ଗଢିବାକୁ ଯାଉଛି। ମହାମେଣ୍ଟକୁ ୧୧୮ ରୁ ୧୩୮ ଆସନ ଏବଂ ଏନଡିଏକୁ ୯୧ ରୁ ୧୧୭ ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି। ଏଲଜେପିକୁ ୫ ରୁ ୮ ସିଟ୍‌ ମିଳୁଥିବା ବେଳେ ଅନୟକୁ ୩ ରୁ ୬ ମିଳୁଥିବା ସମ୍ଭବନା ରହିଛି।

ଟାଇମ୍ସ ନାଓରେ ମହାମେଣ୍ଟ ଆଗୁଆ

ଏଥର ନିର୍ବାଚନରେ ପରିବର୍ତ୍ତନର ଲହର ଦେଖିବାକୁ ମିଳୁଛି। ଟାଇମ୍ସ ନାଓ ସି-ଭୋଟର ଏକଜିଟ୍ ପୋଲ୍‌ ଅନୁଯାୟୀ ଏନଡିଏକୁ ୧୧୬ ସିଟ୍ ଏବଂ ମହାମେଣ୍ଟ ଖାତାକୁ ୧୨୦ ସିଟ୍ ଯିବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.