ନାବାଳିକାକୁ ଘରୁ ଉଠାଇ ନେଲେ, ପଡୋଶୀ ସହ ସାଙ୍ଗମାନେ ମିଶି କଲେ ଗଣଦୁଷ୍କର୍ମ : ପରିବାର ଲୋକଙ୍କୁ ଗୁଳିକରି ଉଡାଇଦେବାକୁ ଦେଲେ ଧମକ

Published By : Prameya-News7 Bureau | January 10, 2021 IST

ପାଟଣା ୧୦/୦୧ : ବିହାର ରୋହତସ ଜିଲ୍ଲାର ଦରିଗାଁ ଥାନା ଅଞ୍ଚଳରେ ରବିବାର ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ୧୨ ବର୍ଷର ନାବାଳିକାକୁ ସେହି ଗାଁର କିଛି ଯୁବକ ଗଣଦୁଷ୍କର୍ମ କରିଥିବା ପୀଡିତାର ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ନାବାଳିକାଙ୍କ ପଡୋଶୀରେ ରହୁଥିବା ଯୁବକ ଗୋଲୁ, ଶନିବାର ରାତିରେ ନାବାଳିକାକୁ ତାଙ୍କ ଘରୁ ଉଠାଇ ଆଣିଥିଲା । ପରେ ତାର ଆଉ ୩ ଜଣ ସାଙ୍ଗଙ୍କ ସହ ମିଶି ଏକ ନିଛାଟିଆ ସ୍ଥାନରେ ରଖି ଦୁଷ୍କର୍ମ କରିଥିଲେ ।

ତେବେ କୌଣସି ମତେ ପୀଡିତାଜଣକ ଘରେ ପହଞ୍ଚି ଘଟଣା ବାବଦରେ କହିଥିଲେ । ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପାଇଁ ବାହାରୁଥିବା ବେଳେ ଅଭିଯୁକ୍ତମାନେ ତାଙ୍କ ଘରେ ପହଞ୍ଚି, ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଗୁଳି କରି ଉଡାଇ ଦେବାକୁ ଧମକ ଦେଇଥିଲେ । ଏହାକୁ ନେଇ ଗାଁର କିଛି ଲୋକ ପଞ୍ଚାୟତ କରିବା ପାଇଁ ଉଦ୍ୟମ କରିଥିଲେ ।

ଏହାରି ମଧ୍ୟରେ ଗାଁରୁ କେହି ଜଣେ ପୋଲିସକୁ ଖବର ଦେଇଦେଇଥିଲେ । ପୋଲିସ ରବିବାର ସକାଳୁ ଗାଁରେ ପହଞ୍ଚି ପୀଡିତା ନାବାଳିକାକୁ ଥାନାକୁ ଆଣିବା ସହ ପରିବାର ଲୋକଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରିଥିଲା । ଥାନାରେ ପୀଡିତାଙ୍କ ବୟାନ ରେକର୍ଡ ପରେ ମାମଲା ରୁଜୁ କରିଥିଲା ପୋଲିସ ।

ଏହା ସହ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଘଟଣା ବାବଦରେ ଏସଡିପିଓ ଅରବିନ୍ଦ ପ୍ରତାପ ସିଂହ କହିଛନ୍ତି, ପୀଡିତା ନାବାଳିକାଙ୍କ ବୟାନ ଆଧାରରେ ପକ୍ସୋ ଆଇନ ଆଧାରରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣକୁ ଗିରଫ କରାଯାଇଛି । ପୀଡିତାଙ୍କ ବୟାନ ଆଧାରରେ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ କାବୁ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.