୨୫ ହଜାର କୋଟି ଜମି ଦୁର୍ନୀତି ମାମଲାର ଖୁଲାସା: ଫାରୁକ୍ ଅବଦୁଲ୍ଲା, ମେହବୁବା ମୁଫତିଙ୍କ ସମେତ ଅନେକ ସାଥିଙ୍କ ନାଁ ସାମିଲ

Published By : Prameya-News7 Bureau | November 24, 2020 IST

ନୂଆଦିଲ୍ଲୀ ୨୪/୧୧ : ଜାମ୍ମୁ କାଶ୍ମୀରରେ ୨୫ ହଜାର କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ନାମୀ ଲୋକଙ୍କ ନାଁ ସାମ୍ନାକୁ ଆସିଛି। ଏହି ତାଲିକାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମକ୍ରାଟିକ ପାର୍ଟିର ଅଧ୍ୟକ୍ଷ ମେହବୁବା ମୁଫତି, ନ୍ୟାସନାଲ କନ୍ଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲାଙ୍କ ସମେତ ଅନେକ ସାଥିଙ୍କ ନାଁ ସାମିଲ ଅଛି। ଜାମ୍ମୁ କାଶ୍ମୀର ହାଇକୋର୍ଟଙ୍କ ଆଦେଶରେ ୟୁଟି ଆଡମିନିଷ୍ଟ୍ରେସନ ଏବଂ ସିବିଆଇ ଯାଞ୍ଚ ଅନୁଯାୟୀ, ଅବଦୁଲ୍ଲା ୧୯୯୮ ମସିହାରେ ଜାମ୍ମୁ ଡିଭିଜନ ସଞ୍ଜବାନ ଅଞ୍ଚଳରେ ଭିନ୍ନ ଭିନ୍ନ ଲୋକଙ୍କ ଠାରୁ ତିନିଟି କେନାଲ ଜମି କିଣିଥିଲେ। ଏହାସହ ପାଖାପାଖି ଅଞ୍ଚଳର ୭ଟି କେନାଲ ଜଙ୍ଗଲ ଜମି ଉପରେ କବଜା କରି ଘର ନିର୍ମାଣ କରିଛନ୍ତି।

ସିବିଆଇ ଯାଞ୍ଚ ଅନୁଯାୟୀ, ଫାରୁକ ଅବଦୁଲ୍ଲା ଜାମ୍ମୁ ଓ ଶ୍ରୀନଗରରେ ରୋଶନୀ ଆକ୍ଟ ଅନୁଯାୟୀ ଜମି ଆବଣ୍ଟନ କରିଛନ୍ତି। ଭଉଣୀ ସୁରେୟା ଭଟ୍ଟୁଙ୍କୁ ମଧ୍ୟ ଜମି ଦେଇଥିଲେ। ତାଛଡା ତାଙ୍କର କିଛି ସମ୍ପର୍କୀୟ ମଧ୍ୟ ଜଙ୍ଗଲ ଜମି ଓ ସରକାରୀ ଜମି ଉପରେ କବଜା କରିଛନ୍ତି। ଏହି ତାଲିକାରେ ଏନସି ନେତା ସେଯଦ ଅଲି ଅଖୁନଙ୍କ ନାଁ ମଧ୍ୟ ସାମିଲ ଅଛି।

ଫାରୁକ ଅବଦୁଲ୍ଲା ଯେଉଁ ୭ଟି ଜମି ଉପରେ ଅବୈଧ କବଜା କରିଛନ୍ତି ତାର ମୂଲ୍ୟ ପାଖାପାଖି ୧୦ କୋଟି ଟଙ୍କା। ସେହି ଅଞ୍ଚଳରେ ଯେଉଁ ୩୦ଟି କେନାଲ ଜମି ଉପରେ ଭିନ୍ନ ଭିନ୍ନ ଲୋକ ଅବୈଧ କବଜା କରିଛନ୍ତି ତାର ମୂଲ୍ୟ ପାଖାପାଖି ୪୦ କୋଟି ଟଙ୍କା।

୨୦୦୧ ରେ ରୋଶନୀ ଆକ୍ଟ ଗଠନ ହୋଇଥିଲା। ଯେତେବେଳେ ସରକାରୀ ଜମିରେ ଅବୈଧ ତରିକାରେ କବଜା କରୁଥିବା ଲୋକଙ୍କୁ ଏକା ରାଶି ଜମା କଲେ ଏହି ଜମିର ମାଲିକାନା ଦେବାକୁ ଏହି ଆଇନ ଗଠନ କରାଯାଇଥିଲା। ଏହି ଆଇନ ବାହାନାରେ କାଶ୍ମୀରର ବଡ ବଡ ଲୋକ ହଜାର କୋଟି ଟଙ୍କାର ଜମି କିଣିଥିଲେ। ମାମଲା କୋର୍ଟକୁ ଯିବାପରେ ବର୍ତ୍ତମାନ ସିବିଆଇ ଯାଞ୍ଚ କରୁଛି।

ସୂଚନା ଅନୁଯାୟୀ, ଜମି ଦୁର୍ନୀତି ମାମଲାରେ ବଡ ଦଳ, ନ୍ୟାସନାଲ କନ୍ଫରେନ୍ସ, ପିଡିପି ଓ କଂଗ୍ରେସର ପାଖାପାଖି ୨୦୦ ନେତାଙ୍କ ନାଁ ସାମିଲ ଅଛି। କିଛି ବଡ ଆଇଏଏସ ଅଧିକାରୀ, ବଡ ବ୍ୟବସାୟୀ ଓ ହୋଟେଲ ମାଲିକଙ୍କ ନାଁ ମଧ୍ୟ ସାମିଲ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.