WTC ଫାଇନାଲ୍‌ ଉପରେ ଘନେଇଲା ବଡ ବିପଦ, ଯୁଗ୍ମ ବିଜେତା ଘୋଷିତ ହୋଇ ପାରନ୍ତି ଭାରତ-ନ୍ୟୁଜିଲାଣ୍ଡ

Published By : Prameya-News7 Bureau | June 15, 2021 IST

ସାଉଥମ୍ପଟନ ୧୫।୦୬: ବହୁ ପ୍ରତୀକ୍ଷିତ ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍‌କୁ ମାତ୍ର ଆଉ ତିନି ଦିନ ବାକି ରହିଛି। ଏହି ହାଇଭୋଲଟେଜ୍ ମୁକାବିଲା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥମ୍ପଟନରେ ଖେଳାଯିବ। ଏହାକୁ ନେଇ ଖେଳାଳି, ପ୍ରଶଂସକ, ବିଶେଷଜ୍ଞ ଓ କ୍ରିକେଟ୍ ଦିଗ୍‌ଜ ସମସ୍ତେ ରୋମାଞ୍ଚିତ ଅଛନ୍ତି। ଅନେକ ପୂର୍ବତନ ଖେଳାଳି ମ୍ୟାଚ୍‌କୁ ନେଇ ନିଜ ନିଜର ଭବିଷ୍ୟତବାଣୀ କରୁଛନ୍ତି। ମାତ୍ର ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍‌ ଉପରେ ବଡ ବିପଦ ଘନେଇଛି। ଏହି କାରଣରୁ  ଭାରତ ଓ ନ୍ୟୁଜିଲାଣ୍ଡ ଯୁଗ୍ମ ବିଜେତା ଘୋଷଣା ହୋଇ ପାରନ୍ତି ଏବଂ ପୁରସ୍କାର ରାଶି ଅଧା ଅଧା  ବଣ୍ଟା ଯାଇପାରେ। ଜୁନ ୧୮ ରୁ ୨୨ ତାରିଖ ମଧ୍ୟରେ ଇଂଲଣ୍ଡରେ ବର୍ଷା ହେବାର ପୂର୍ବାମୁମାନ କରିଛି ପାଣିପାଗ ବିଭାଗ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ସାଉଥମ୍ପଟନର ରୋଜ ବାଉଲରେ ଜୁନ ୧୮ରୁ ଆରମ୍ଭ ହେଉଥିବା ଭାରତ ଓ ଇଂଲଣ୍ଡ ଟେଷ୍ଟ ମ୍ୟାଚ୍‌ର ପୂରା ୫ ଦିନ ବର୍ଷା ହୋଇପାରେ। ଏମିତି ହେଲେ  ଭାରତ ଅଧିନାୟକ  ବିରାଟ କୋହଲି ଓ ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ଵିଲିୟମସନଙ୍କୁ ପ୍ରଥମ ଥର ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ୍‌ର ଟାଇଟଲ୍ ଭାଗ କରିବାକୁ ବାଧ୍ୟ ହେବେ। ଆଇସିସି ଜୁନ ୧୩ ତାରିଖକୁ ଟେଷ୍ଟ ମ୍ୟାଚ୍ ପାଇଁ ବିକଳ୍ପ ଦିନ ଭାବେ ରଖିଛି। ଯଦି ଫାଇନାଲ୍ ମ୍ୟାଚ୍ ଡ୍ର କିମ୍ବା ଟାଇ ରହେ ତେବେ ଭାରତ ଓ ନ୍ୟୁଜିଲାଣ୍ଡକୁ ଯୁଗ୍ମ  ଭାବେ ବିଜେତା ଘୋଷଣା କରାଯିବ।

ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ସୋମବାର ସାଉଥମ୍ପଟନ ପାଇଁ ପାଣି ପାଗର ପୂର୍ବାନୁମାନ ପୋଷ୍ଟ କରିଛନ୍ତି। ଏଥିରେ ସଂରକ୍ଷିତ ଦିନ ସହ ବାକି ପାଞ୍ଚ ଦିନରେ ୭୦ ରୁ ୮୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଥିବା ଉଲ୍ଲେଖ ରହିଛି।

ପାଣିପାଗ ଚ୍ୟାନେଲ ଓ ଏକ୍ୟୁଓ୍ଵେଦର ଅନୁଯାୟୀ, ସାଉଥମ୍ପଟନରେ ଜୁନ ୧୭ ଓ ୧୮ ତାରିଖରେ ଘଡଘଡି ସହ ବର୍ଷା ହେବାର ୮୦ ପ୍ରତିଶତ ସମ୍ଭାବନା ରହିଛି। ଏହି ଦୁଇ ଦିନ ଝଡବର୍ଷାର ଚେତାବନୀ ଜାରି କରାଯାଇଛି। ଦ୍ଵିତୀୟ ଦିନ ବାଦଲ ଛାଇ ରହିବାର ଅଶା ରହିଛି, କିନ୍ତୁ ବର୍ଷା  ହେବାର ସମ୍ଭାବନା କମ ରହିଛି।  ସମସ୍ତ ପାଞ୍ଚ ଦିନରେ ରହି ରହି ବର୍ଷା ହୋଇପାରେ ବୋଲି ଭବିଷ୍ୟତବାଣୀ କରାଯାଇଛି।

ଏହା କେବଳ  ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ଓ ପରିଣାମକୁ ପ୍ରଭାବିତ କରିବ ନାହିଁ ବରଂ ଏହି ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଥିବା ଦୁଇ ଦଳର ଜୁନ ୧୭ରେ ଥିବା ଗୁରୁତ୍ଵପୂର୍ଣ୍ଣ ଅଭ୍ୟାସ୍ ମଧ୍ୟ ଧୋଇ ହୋଇଯିବ। ଏହା  ବ୍ୟତୀତ ରାତିରେ ପ୍ରବଳ ବର୍ଷା  ହେଲେ ଏହା ଆଉଟ୍ ଫିଲ୍ଡ ଓ ପିଚ୍‌କୁ ପ୍ରଭାବିତ କରିପାରେ। ଫଳରେ ଦୁଇ ଦଳର ଅଧିନାୟକଙ୍କୁ ନିଜର ରଣନୀତି ମଧ୍ୟ ବଦଳାଇବାକୁ ପଡିପାରେ।

ଯଦି ପାଗ ଶୁଖିଲା ରହେ ତେବେ ଅନ୍ତିମ ଦୁଇ ଦିନ ପିଚ୍ ସ୍ପିନରଙ୍କୁ ସୁହାଇବ। ଭାରତ ପାଖରେ ଓ୍ଵାଶିଂଟନ ସୁନ୍ଦରଙ୍କ ବ୍ୟତୀତ ଦୁଇ ଜଣ ବିଶ୍ଵ ସ୍ତରୀୟ ସ୍ପିନର ଅଛନ୍ତି। ବିରାଟ କୋହଲି ୩ ଦ୍ରୁତ ବୋଲର ଓ ଦୁଇ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡେଜାଙ୍କ ସହ ପଡିଆକୁ ଓହ୍ଲାଇ ପାରନ୍ତି। ମାତ୍ର ପାଣିପାଗ ପୂର୍ବାନୁମାନ ବିରାଟଙ୍କୁ ଚାରି ଦ୍ରୁତ ବୋଲରଙ୍କ ସହ ମ୍ୟାଚ୍ ଖେଳିବାକୁ ବାଧ୍ୟ କରିପାରେ। ଯଦି ଏମିତି ହୁଏ ତେବେ ଦଳରେ ଚାରି ଦ୍ରୁତ  ବୋଲର ଯଶପ୍ରୀତ ବୁମରା, ମହମ୍ମଦ ସାମି, ଇଶାନ୍ତ ଶର୍ମା ଓ ମହମ୍ମଦ ସିରାଜଙ୍କୁ ଦେଖିବାକୁ ମିଳିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.