ଛୋଟ ଋଣକାରୀଙ୍କୁ ବଡ ଝଟକା ! ଲୋନ ମୋରାଟୋରିୟମ ବଢାଇବାକୁ କେନ୍ଦ୍ରର ବିରୋଧ, କହିଲେ- ବଢିବ ମୁସ୍କିଲ

Published By : Prameya-News7 Bureau | November 28, 2020 IST

ନୂଆଦିଲ୍ଲୀ ୨୮।୧୧: କେନ୍ଦ୍ର ସରକାର ଲୋନ ମୋରାଟୋରିୟମ ସ୍କିମକୁ ବାରମ୍ବାର ବଢାଯିବାକୁ ବିରୋଧ କରିଛି। କେନ୍ଦ୍ର ସରକାରଙ୍କ ତରଫରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, କୋଭିଡ୍-୧୯ କାରଣରୁ ଦେଶର ଆର୍ଥିକ ଅବସ୍ଥା ସ୍ଵାଭାବିକ ହୋଇ ନାହିଁ। ବିଚାରପତି ଅଶୋକ ଭୂଷଣଙ୍କ ପୀଠରେ ମେହଟ୍ଟା କହିଛନ୍ତି, ଛୋଟ ଋଣକାରୀଙ୍କୁ ମୋରାଟୋରିୟମର ଲାଭ ଦିଆଯାଇଛି। ଏହାର ଅବଧି ମଧ୍ୟ ବଢାଯାଇଛି। ସୁପ୍ରିମକୋର୍ଟ ତରଫରୁ ଏହି ପ୍ରସଙ୍ଗରେ କିଛି ଆଶ୍ଵସ୍ତି ଦେଲେ ଏହା ଅଲଗା ଅଲଗା ସେକ୍ଟର ପାଇଁ ସମସ୍ୟାର କାରଣ ପାଲଟିପାରେ।

କେନ୍ଦ୍ର କହିଛନ୍ତି, ସାଧାରଣ ଲୋକଙ୍କୁ ସୁଧ ଉପରେ ସୁଧରୁ ମଧ୍ୟ ଆଶ୍ଵସ୍ତି ଦିଆଯାଇଛି। ଏବେ ଏହାକୁ ଆଗକୁ ଆଉ ବଢାଯାଇ ପାରିବ ନାହିଁ। ଏବେ ଭିନ୍ନ ଭିନ୍ନ ସେକ୍ଟରରେ ଅନୁଚ୍ଛେଦ-୩୨ ଆଧାରରେ ମୋରାଟୋରିୟମ ସୁବିଧା ଦେବା ସମସ୍ୟାର କାରଣ ହୋଇପାରେ। ସଲିସିଟର ଜେନେରାଲ କହିଛନ୍ତି, ଲୋନ ରିଷ୍ଟ୍ରକଚରିଂ ବ୍ୟବସ୍ଥା ଦିଆଯାଇଛି। ତେଣୁ ବର୍ତ୍ତମାନ ବ୍ୟାଙ୍କିଙ୍ଗ ସେକ୍ଟରକୁ ବ୍ୟବସ୍ଥା ଅନୁଯାୟୀ କାମ କରିବାକୁ ଦିଆଯାଉ। ଦେଶରେ ବୈଶ୍ଵିକ ମହାମାରୀ କରୋନା କାରଣରୁ ଦେଶରେ ଉପୁଜିଥିବା ଆର୍ଥିକ ଦୂରାବସ୍ଥାରୁ ମୁକୁଳିବା ଲାଗି କୌଣସି ସମୟ ସୀମା ନାହିଁ। କାହାକୁ ମଧ୍ୟ ଜଣା ନାହିଁ ଯେ, ସ୍ଥିତିରେ କେବେ ସୁଧାର ଆସିବ। ତେଣୁ ସଙ୍କଟଗ୍ରସ୍ତ ବଡ ବଡ ଋଣଦାତା ସମେତ ସମସ୍ତ ସେକ୍ଟରରେ ଏମିତି ଆଶ୍ଵସ୍ତି ଦେବା ମୁସ୍କିଲ ହେବ।

ବିଚାରପତି ଏମଆର ଶାହା ଏହା ଉପରେ କହିଛନ୍ତି, କଣ ସରକାର ଏହା କହିବାକୁ ଚାହୁଁଛନ୍ତି ଯେ, ସ୍ଥିର ଲାଇନ୍‌କୁ ଅତିକ୍ରମ କରାଯାଇ ପାରିବ ନାହିଁ। ବିଚାରପତି ଭୂଷଣ କହିଛନ୍ତି, କୋର୍ଟ କ୍ରେଡାଇ,  ବିଜୁଳି ଉତ୍ପାଦନ, ମଲ୍ ମାଲିକ ଓ ଅଳଙ୍କାର ଦୋକାନୀଙ୍କ ସମେତ ସମସ୍ତ ଆବେଦନକାରୀଙ୍କ ଦଲିଲ୍ ଶୁଣିବା ପରେ ଏହା ଉପରେ ନିଷ୍ପତ୍ତି ଶୁଣାଇବେ। ଉଲ୍ଲେଖଯୋଗ୍ୟ, ଖଣ୍ଡପୀଠ ପୂର୍ବରୁ ମଧ୍ୟ ଛୋଟ ଋଣକାରୀଙ୍କୁ ଆଶ୍ଵସ୍ତି ଦେଇ ସାରିଛନ୍ତି। କୋର୍ଟଙ୍କ ପ୍ରସ୍ତାବ କ୍ରମେ ସରକାର ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଋଣକାରୀଙ୍କୁ ସୁଧ ଉପରେ ସୁଧରେ ଆଶ୍ଵସ୍ତି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.