ବିଜେପିକୁ ଶକ୍ତ ଝଟକା: ମହାରାଷ୍ଟ୍ର MLC ନିର୍ବାଚନରେ ୬ରୁ ୪ ଆସନ କବଜା କରିନେଲା ମହା ବିକାଶ ଅଘାଡୀ

Published By : Prameya-News7 Bureau | December 04, 2020 IST

ମୁମ୍ବାଇ ୦୪/୧୨ : ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଛି । ୬ଟି ରୁ ୪ଟି ସିଟ୍ କ୍ଷମତାରେ ଥିବା ମହାରାଷ୍ଟ୍ର ବିକାଶ ଅଘାଡି ଦଳ କବଜା କରିନେଇଛି । ଧୁଲ୍ଲେ-ନନ୍ଦୁରବାରରୁ ଗୋଟିଏ ସିଟ୍ ବିଜେପି ଖାତାକୁ ଯାଇଛି । ଅମରାବତୀର ଗୋଟିଏ ସିଟରେ ମତଗଣନା ଜାରି ରହିଛି ଏବଂ ସେଠାରୁ ସ୍ବାଧୀନ ବିଧାୟକ ଆଗରେ ଅଛନ୍ତି । ବିଜେପିର ଦୁଇ ଗଡ କୁହାଯାଉଥିବା ନାଗପୁର ଏବଂ ପୁଣେ ସିଟରେ ଚିତପଟାଙ୍ଗ୍ ମାରିଛି ଦଳ ।  

ପୁଣେ ଡିଭିଜନ ସିଟରେ ଏନସିପିର ଅରୁଣ ଲାଡ୍ ଏବଂ ଔରଙ୍ଗାବାଦ ଡିଭିଜନ ସିଟରେ ସତୀଶ ଚୌହ୍ବାନ ବିଜୟୀ ହୋଇଛନ୍ତି । ଏହା ପୂର୍ବରୁ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟିର ଅମରେଶ ପଟେଲ ମହାରାଷ୍ଟ୍ର ବିଧାନ ପରିଷଦର ଧୁଲ୍ଲେ-ନନ୍ଦୁରବାର କ୍ଷେତ୍ର ଉପ-ନିର୍ବାଚନରେ ବିଜୟ ହାସଲ କରିଥିଲେ ।

ପୁଣେ ଡିଭିଜନରୁ କଂଗ୍ରେସର ଜୟନ୍ତ ଦିନକର ଆଗରେ ଅଛନ୍ତି । ସେହିପରି ନାଗପୁର ଡିଭିଜନରୁ କଂଗ୍ରେସର ଅଭିଜିତ ବଞ୍ଜାରୀ ବିଜୟ ହାସଲ କରିଛନ୍ତି । ଅମରାବତୀ ଡିଭିଜନରୁ ସ୍ବାଧୀନ ପ୍ରାର୍ଥୀ କିରଣ ସରନାୟକ ଆଗରେ ଅଛନ୍ତି । ନାଗପୁର ସିଟ ହାରିବା ପରେ ବିଜେପିକୁ ଶକ୍ତ ଝଟକା ଲାଗିଛି । କାରଣ ବିଗତ ୫୦ ବର୍ଷ ହେଲା ଏଠାରେ ବିଜେପି ଏବଂ ଆରଏସଏସର ଗଡ ରହିଆସିଥିଲା । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ପିତା ଗଙ୍ଗାଧରରାୟ ଫଡନବିସ ଏଠାରେ ୧୨ ବର୍ଷ ଧରି ପ୍ରତିନିଧି ଥିଲେ । କେବଳ ସେତିକି ନୁହେଁ କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କର ମଧ୍ୟ ଏଠାରେ ୨୫ ବର୍ଷ ଧରି ଦବଦବା ରହିଥିଲା ।

ନିର୍ବଚନ ଫଳାଫଳକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ କହିଛନ୍ତି, ‘ଆମେ ଫଳାଫଳ ନେଇ ଯାହା ଭାବିଥିଲୁ ତାହାର ବିପରୀତ ହୋଇଛି । ଆମେ ମେହେନତ କରିଥିଲୁ ଏବଂ ଏକାସଙ୍ଗେ ଲଢୁଥିବା ୩ ଦଳଙ୍କ ବିପକ୍ଷରେ ଲଢୁଥିଲୁ । ତେବେ ଆଗାମୀ ଦିନରେ ଏହାକୁ ନେଇ ସମୀକ୍ଷା କରାଯିବ । ’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.