କାଳିଆ ଯୋଜନାରେ ବିରାଟ ଠକେଇ, ଅନଲାଇନ୍‌ରେ ଲକ୍ଷାଧିକ ଟଙ୍କା ଠକି ଥିଲା, ଏବେ ବନ୍ଧା ହେଲା

Published By : Prameya-News7 Bureau | July 28, 2020 IST

ମାଲକାନଗିରି୨୮/୭:  ସମଗ୍ର ବିଶ୍ବବାସୀ ମହାମାରି କରୋନା କବଳରେ ସନ୍ତୁଳିତ ହେଉଥିବା ବେଳେ ମାଲକାନଗିରି ଜିଲ୍ଳାରେ କାଳିଆ ଯୋଜନାରେ ସାମିଲ କରିବା ନାମରେ ଅନଲାଇନ୍‌ରେ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣା ଲୋକ ଲୋଚନକୁ ଆସିଛି। ଏହି ଘଟଣାରେ ପୁଲିସ୍ ଜଣେ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏପରି କି ଅନଲାଇନ ଠିକାମି ଘଟଣା ଘଟିଛି ମାଲକାନଗିରି  ଜିଲ୍ଳା ମୋଟୁ ଥାନା  ଅନ୍ତର୍ଗତ ମାଦତଳାଗୁଡା ଗ୍ରାମରେ ।

ଗତ ୨୪ ତାରିଖରେ ଏମ୍‌ଭି ୭୫ ଗ୍ରାମର ଫିନୋବ୍ୟାଙ୍କ ଖୋଲିଥିବା ସରଜିତ ମଣ୍ଡଳ ( ୨୪) ନାମକ ଯୁବକ ଓ ଆର-୦୨- ଏଭି-୧୦୩୯ ନମ୍ବର ହୁଣ୍ଡାଇ କାର ଯୋଗେ ମାଦତଳା ଗୁଡା ଗ୍ରାମକୁ ଯାଇ କାଳିଆ ଯୋଜନାରେ ସାମିଲ କରିବା ପାଇଁ ଗ୍ରାମବାସୀମାନଙ୍କ ଠାରୁ ଆଧାରକାର୍ଡ ଭୋଟର କାର୍ଡ଼, ରାସନ କାର୍ଡ, ବ୍ୟାଙ୍କ ଖାତା, ଜମିପଟା ଆଦି ସଂଗ୍ରହ କରି ସେମାନଙ୍କ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଥିଲେ।  ଅନଲାଇନ୍‌ରେ ଫର୍ମ ଦାଖଲ ହେବ କହି ପ୍ରତି ଫର୍ମ ପାଇଁ ୯୦ ଜଣଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ନେଇ ମୋଟ୍‌ ୯ ହଜାର ସଂଗ୍ରହ କରିଥିଲେ।  ତାପରଦିନ ଗ୍ରାମର ୪୧ ଜଣଙ୍କ ଜମାଖାତାରୁ ଏକ ଲକ୍ଷ ୧୫ ହଜାର ଟଙ୍କା ଟ୍ରାନ୍ସଫର  ହୋଇଯାଇଥିଲା। ଏହାଗ୍ରାମବାସୀମାନେ ଜାଣିବା ପରେ  ଗତ ୨୬ ତାରିଖରେ ମୋଟୁ ଥାନାରେ  ସରଜିତ ମଣ୍ଡଳଙ୍କ ନାମ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। 

ଏ ସଂପର୍କରେ ମୋଟୁ ଥାନା କେସ୍‌ ନମ୍ବର ୫୦/୨୦ ରେ ମକୋଦ୍ଦମା ରୁଜୁକରି ମୋଟୁ ଥାନା ଅଧିକାରୀ ସୁଶାନ୍ତ ସାହୁ ଏବଂ ପୋଲିସ୍ ଟିମ୍ ସେହି ଗ୍ରାମରେ ପହଁଞ୍ଚିଥିଲେ।  ଅନଲାଇନ୍‌ରେ ବ୍ୟାଙ୍କ ଟଙ୍କା ଠକି ନେବା ଅଭିଯୋଗରେ  ଏମ୍‌ଭି ୭୫ ଗ୍ରାମର ସରଜିତ ମଣ୍ଡଳଙ୍କୁ ଗତକାଲି ରାତ୍ରରେ ଗିରଫ କରାଯାଇ ଆଜି ସକାଳେ ତାଙ୍କୁ ମୋଟୁ ପୁଲିସ କୋର୍ଟ ଚାଲାଣ କରିଛି। ତାଙ୍କ ନିକଟରୁ ଏକ ଲାପଟପ୍‌ . ମୋବାଇଲ ଫୋନ୍,  ସହ ଅନ୍ୟାନ କାଗଜପତ୍ର ସବୁ ପୁଲିସ ଜବତ କରି ଏହି ଅନଲାଇନ୍ ଠକେଇରେ ଆଉ କାହାର ସଂପୃକ୍ତ  ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.