ଅନଲକ୍‌ର ପ୍ରଥମ ଦିନରେ ଦିଲ୍ଲୀବାସୀଙ୍କୁ ବଡ ଆଶ୍ଵସ୍ତି, ମାତ୍ର ୨୩୧ ନୂତନ ଆକ୍ରାନ୍ତ ଚିହ୍ନଟ, ୪ ଗୁଣ ବଢିଲା ସୁସ୍ଥହାର

Published By : Prameya-News7 Bureau | June 07, 2021 IST

ନୂଆଦିଲ୍ଲୀ ୦୭।୦୬: ରାଜଧାନୀ ଦିଲ୍ଲୀରେ କରୋନାର ଦ୍ଵିତୀୟ ଲହରର ପ୍ରକୋପ ଥମିବାରେ ଲାଗିଛି। ସ୍ଥିତିରେ ବହୁତ ସୁଧାର ଆସିଛି। ଅନଲକ୍‌ର ପ୍ରଥମ ଦିନ ଅର୍ଥାତ ସୋମବାର ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇ ୨୫୦ ତଳକୁ ଖସିଛି। ସଂକ୍ରମିତହାର ମଧ୍ୟ ଅଧା ପ୍ରତିଶତରେ ପହଞ୍ଚିଛି। ଦିଲ୍ଲୀରେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫,୨୦୮ ରହିଛି। ହୋମ ଆଇସୋଲେସନରେ ଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇ ୨୦୦୦ରୁ କମ ରହିଛି।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜଧାନୀରେ ୨୩୧ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନାରେ ୩୬ ଜଣଙ୍କ ମୃତ୍ୟୁ ଘଟିଛି। ଏବେ ସଂକ୍ରମଣହାର ୦.୩୬ ପ୍ରତିଶତକୁ ଖସି ଆସିଛି, ଯାହା ରବିବାର ୦.୫୦ ପ୍ରତିଶତ ରହିଥିଲା।

ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୮୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦିଲ୍ଲୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୪,୨୯, ୪୭୫ରେ ପହଞ୍ଚିଥିବା ବେଳେ ହୋମ ଆଇସୋଲେସନରେ ୧୯୩୨ ରୋଗୀ ଅଛନ୍ତି। ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୫,୨୦୮ରେ ପହଞ୍ଚିଛି। ସେପଟେ ଏ ପର୍ଯ୍ୟନ୍ତ ମୋଟ୍ ୧୩, ୯୯, ୬୪୦ ଜଣ ରୋଗୀ ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇ ସାରିଛନ୍ତି। କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪,୬୨୭କୁ ବୃଦ୍ଧି ଘଟିଛି।

ଦିଲ୍ଲୀ ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ମୋଟ୍ ୬୩,୬୧୦ ନମୂନା ପରୀକ୍ଷଣ ହୋଇଥିଲା। ଏଥିରୁ ୫୦,୧୩୯ ଆରଟିପିସିଆର/ସିବିଏନଏଏଟି/ଟ୍ରୁନେଟ୍ ଟେଷ୍ଟ ଓ ୧୩,୪୭୧ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ସାମିଲ। ରାଜଧାନୀରେ ଅଦ୍ୟାବଧି ମୋଟ୍ ୧୯,୮୨,୨୧,୩୧୫ ସାମ୍ପୁଲ ଯାଞ୍ଚ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.