ବଡ ଧରଣର ଆତଙ୍କୀ ହମଲା ଯୋଜନା ବିଫଳ, ବିମାନବନ୍ଦର ଓ ରେଳ ଷ୍ଟେସନରୁ ଅଫୁଟା ବୋମା ଉଦ୍ଧାର
6/03/2019 at 9:03 AM

ଲଣ୍ଡନ ୬|୩ : ଲଣ୍ଡନରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ବିଫଳ ହୋଇଛି । ଲଣ୍ଡର ଦୁଇଟି ବିମାନବନ୍ଦର ଏବଂ ଗୋଟିଏ ରେଲଓ୍ବେ ଷ୍ଟେସନରୁ ବୋମା ଉଦ୍ଧାର ହୋଇଛି । ପୋଲିସ ଏହି ତିନୋଟି ସ୍ଥାନ ସହ ଏହାର ଆଖପାଖ ଅଞ୍ଚଳରେ ତଦନ୍ତ ଆରମ୍ଭ କରିଛି। ହିଥ୍ରୋ ବିମାନବନ୍ଦରରୁ ମିଳିଥିବା ଏକ ବୋମାରେ ନିଆଁ ମଧ୍ୟ ଲାଗିଯାଇଥିଲା । ସ୍ପେସାଲିଷ୍ଟ ଅଫିସରମାନେ ସେଠାରେ ପହଞ୍ଚି ପ୍ୟାକେଟଟିକୁ ନିରାପଦ ଭାବେ ନିଷ୍କ୍ରିୟ କରିଥିଲେ। ତେବେ ଏହା ଫଳରେ କାହାର କିଛି କ୍ଷତି ହୋଇନାହିଁ ।
ଏକାସହ ତିନୋଟି ସ୍ଥାନରୁ ବୋମା ମିଳିଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ପ୍ରଥମେ ହିଥ୍ରୋ ବିମାନବନ୍ଦରରୁ ବୋମା ଥିବା ଖବର ମିଳିଥିଲା । ବିମାନବନ୍ଦରର ଜଣେ କର୍ମଚାରୀ ଏକ ପାର୍ସଲ ଖୋଲିବାରୁ ସେଥିରେ ନିଆଁ ଲାଗିଯାଇଥିଲା ।

ଏହାପରେ ଲଣ୍ଡନର ଓ୍ବାଟରଲୁ ରେଲଓ୍ବେ ଷ୍ଟେସନରୁ ଆସିଥିଲା । ଯେଉଁଠାରେ ଏପରି ପାର୍ସଲ ମିଳିଥିଲା । ସେଠାରେ ମଧ୍ୟ ଏହାକୁ ନେଇ ଆତଙ୍କ ଖେଳିଯାଇଥିଲା । ତୃତୀୟରେ ଲଣ୍ଡନ ସିଟି ବିମାନବନ୍ଦରରୁ ଏପରି ଖବର ଆସିଥିଲା । ସେଠାକୁ ମଧ୍ୟ ପାର୍ସଲ ଜରିଆରେ ବୋମା ପଠାଯାଇଥିଲା । ତେବେ ଏ ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ ଏବଂ କୌଣସି ବିମାନ ଉଡାଣରେ ବିଭ୍ରାଟ ହୋଇନାହିଁ। ତିନୋଟି ଅଲଗା ଅଲଗା ସ୍ଥାନରୁ ବୋମା ମିଳିବା ଘଟଣାକୁ ପରସ୍ପର ସହ ସମ୍ପୃକ୍ତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାଥାଉକି, ୨୦୧୭ ମସିହାରେ ଲଣ୍ଡନ ଏବଂ ମାଞ୍ଚେଷ୍ଟରରେ ହୋଇଥିବା ୫ ଆତଙ୍କୀ ହମଲା ପରେ ଲଣ୍ଡନ ପୋଲିସ ଅଧିକ ସତର୍କ ରହିଛି । ଲଣ୍ଡନରେ ଏଭଳି ହମଲା ରୋକିବା ପାଇଁ କେତେକ ପଦକ୍ଷେପ ମଧ୍ୟ ନିଆଯାଇଛି ।