ପୁରୀର ନିଆରା ଗୋଷାଣୀ ଯାତ୍ରାରେ ବିରାଟକାୟ ନାଗାମୂର୍ତ୍ତି : ପର୍ଯ୍ୟଟକଙ୍କୁ କରୁଛି ଆକର୍ଷିତ
18/10/2018 at 4:58 PM

ପୁରୀ ୧୮|୧୦: ଶାରଦୀୟ ଦୂର୍ଗା ପୂଜାକୁ ଗୋଷାଣୀ ଯାତ୍ରା ଭାବେ ପାଳନ କରାଯାଇଥାଏ ପୁରୀରେ। ଏହି ଅବସରରେ ବିଭିନ୍ନ ସାହି ମାନଙ୍କରେ ମା’ ଙ୍କର ମୃଣ୍ମୟ ଗୋଷାଣୀ ପ୍ରିତିମା ସହ ବିରାଟକାୟ ନାଗାମୁର୍ତ୍ତି ନିର୍ମାଣ ଏବଂ ପୂଜା କରିବାର ପରମ୍ପରା ରହିଛି। ଶହ ଶହ ବର୍ଷ ଧରି ନାଗା ପୁରୀବାସୀଙ୍କ ପାଇଁ ପୌରୁଷ ଓ ବିରତ୍ବର ପ୍ରତୀକ ହୋଇଥିବାରୁ ଏହି ଅବସରରେ ନାଗା ମୂର୍ତ୍ତିଗୁଡ଼ିକ ପୂଜା ଓ ଆବାହନ ପୁରୀର ଏକ ନିଆରା ପରମ୍ପରା।
ଶାରଦୀୟ ପୁଜା ପାଇଁ ଶ୍ରୀକ୍ଷେତ୍ର ପୁରୀ ଏବେ ବେଶ୍ ଚଳଚଞ୍ଚଳ। ବିଭିନ୍ନ ସାହି ବସ୍ତିରେ ପୂଜା ପାଉଛନ୍ତି ମା’ ଙ୍କର ମୃଣ୍ମୟ ପ୍ରତିମା ଗୋଷାଣୀ। ବିଶେଷ କରି ସହରର ପାରମ୍ପରିକ ଗୋଷାଣୀ ମାନଙ୍କ ସହିତ ଏଠାରେ ଥିବା ନାଗା ପୂଜାର ବିଧି ବ୍ୟବସ୍ଥା ମଧ୍ୟ ବେଶ୍ ନିଆରା। ଏହି ଅବସରରେ ବିରାଟ ବିରାଟକାୟ ନାଗା ମୂର୍ତ୍ତିର ନିର୍ମାଣ ସହ ସାଜସଜ୍ଜାରେ ଲାଗିଛନ୍ତି ସ୍ଥାନୀୟ ଯୁବକମାନେ। ନାଗା ମୂର୍ତ୍ତି ପୁରୀବାସୀଙ୍କ ପାଇଁ ଶକ୍ତି, ବୀରତ୍ବ ଓ ପୌରୁଷର ପ୍ରତୀକ ହୋଇଥିବାରୁ ଶାରଦୀୟ ପୂଜାରେ ସେମାନଙ୍କୁ ମଧ୍ୟ ପୂଜା କରିବାର ପରମ୍ପରା ରହିଛି। ନାଗା ମୂର୍ତ୍ତି ମାନଙ୍କୁ ବାଘଛାଲ, ବନ୍ଧୁକ, ଢ଼ାଲ, ଓରମାଳ, ହାଣ୍ତିଆ ଏବଂ ଅସ୍ତ୍ରଶସ୍ତ୍ର ପ୍ରଭୃତି ଦ୍ବାରା ସଜ୍ଜିତ କରିବାର ପରମ୍ପରା ମଧ୍ୟ ରହିଛି।
କିମ୍ବଦନ୍ତୀ ଅନୁଯାୟୀ ବଳିଷ୍ଠ ନାଗାସାଧୁମାନେ ଶ୍ରୀମନ୍ଦିରକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରୁଥିଲେ। ନାଗାମାନଙ୍କର ଏଭଳି ପୌରୁଷତ୍ବକୁ ନେଇ ଯାଗା ଆଖଡ଼ା ମାନଙ୍କରେ ନାଗା ନୃତ୍ୟର ଶିକ୍ଷା ଦିଆଯିବା ସହିତ ସାହିଯାତ ସମୟରେ ଏହା ପ୍ରଦର୍ଶିତ ହୋଇଥାଏ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ହେବାର ପରମ୍ପରା ମଧ୍ୟ ରହିଛି। ଏଣୁ ସହରର ପୁରାତନ ସାହି ବାଲି ସାହି, ହରଚଣ୍ଡି ସାହି, ମାର୍କଣ୍ଡେଶ୍ବର ସାହି, ଦୋଳମଣ୍ଡପ ସାହି, ହେରାଗୋହିରୀ ସାହି, ନରେନ୍ଦ୍ର କୋଣ ଏବଂ ବଳଗଣ୍ଡି ଛକ ପ୍ରଭୃତି ଅଞ୍ଚଳରେ ବିରାଟକାୟ ନାଗାମୂର୍ତ୍ତି ନିର୍ମାଣ କରାଯାଇ ଭଷାଣୀ ଦିନ ଏମାନଙ୍କୁ ସିଂଦ୍ବାର ନିକଟରେ ଏକତ୍ରିତ କରାଯାଇ ପ୍ରଦର୍ଶିତ କରାଯାଏ।
ଶାରଦୀୟ ପୂଜା ଅବସରରେ ନାଗାମୂର୍ତ୍ତି ନିର୍ମାଣ ଶ୍ରୀକ୍ଷେତ୍ରର ଏକ ନିଆରା ପରମ୍ପରା। ସାହି ଗୁଡ଼ିକରେ ଗୋଷାଣୀ ପୂଜା ସହ ନାଗାମୂର୍ତ୍ତି ଗୁଡ଼ିକର ଆକର୍ଷଣୀୟ ପୂଜା ଭକ୍ତ ଓ ପର୍ଯ୍ୟଟକଙ୍କୁ ବେଶ୍ ଆକର୍ଷିତ କରିଥାଏ।