ଆଫଗାନିସ୍ତାନକୁ ନେଇ ଡୋଭାଲ୍‌ଙ୍କ ମାଷ୍ଟରପ୍ଲାନ୍‌ କଣ ? ବୁଧବାର ଏକାଧିକ ଦେଶର ଏନଏସ୍‌ଏଙ୍କ ସହ ବୈଠକ

Published By : Prameya-News7 Bureau | November 08, 2021 IST

ନୂଆଦିଲ୍ଲୀ ୦୮/୧୧: ନଭେମ୍ବର ୧୦ରେ ଆଫଗାନିସ୍ତାନ ଉପରେ ବଡ଼ ବୈଠକ ହେବାକୁ ଯାଉଛି। ଏଥିରେ ଇରାନ ଏବଂ ରୁଷ ସମେତ ମଧ୍ୟ ଏସିଆ ଦେଶଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସ୍‌ଏ) ସାମିଲ ହେବେ। ଏନଏସଏ  ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ସୃଷ୍ଟି ହୋଇଥିବା ସୁରକ୍ଷା ସମ୍ବନ୍ଧିତ ସମସ୍ୟା ଉପରେ ଆଲୋଚନା ହେବ।

ଭାରତ ସମେତ ବୈଠକରେ ସାମିଲ ହେବାକୁ ଥିବା ଦେଶଗୁଡ଼ିକ ଆଫଗାନିସ୍ତାନରେ ସ୍ଥିର, ଭାଗିଦାରୀ ସରକାର ଏବଂ ତାଲିବାନ ସରକାରକୁ ମାନ୍ୟତା ଦେବା ପ୍ରସଙ୍ଗ ଉତ୍ଥାପନ କରିପାରନ୍ତି। ନିକଟରେ ଅନ୍ତର୍ଜାତୀୟ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଆଫଗାନିସ୍ତାନରେ ବର୍ତ୍ତମାନର ସରକାର ଆଦୌ ଭାଗିଦାରୀ ସରକାର ନୁହେଁ। ବିନା କୌଣସି ଆଲୋଚନା ଏବଂ ରାଜିନାମାରେ ଗଠିତ ହୋଇଛି। ତେଣୁ ଏହାକୁ ମାନ୍ୟାତା ଭାବିଚିନ୍ତି ଦେବାର ଆବଶ୍ୟକତା ରହିଛି। ଆମେରିକା ସେନା ପ୍ରତ୍ୟାହାର କରିନେବା ପରେ ଆଫଗାନିସ୍ତାନରେ ଉପୁଜୁଥିବା ସମସ୍ୟା ଖୋଦ ଆଫଗାନ ସରକାର କରିବା ଦରକାର ବୋଲି ଭାରତ ସରକାର ବିଶ୍ବାସ କରୁଛନ୍ତି। 

ନ୍ୟୁଜ୍‌ ୧୮ ରେ ପ୍ରକାଶିତ ଖବର  ମୁତାବିକ, ବୁଧବାର ହେବାକୁ ଯାଉଥିବା ବୈଠକରେ ରୁଷ, ଇରାନ୍‌, ଉଜବେକିସ୍ତାନ, ତାଜକିସ୍ତାନ ଭଳି ଦେଶ ସାମିଲ ହେବାକୁ ଥିବା ବେଳେ ଏଥିରୁ ସ୍ପଷ୍ଟ ହୋଇଯାଉଛି ଯେ କ୍ଷେତ୍ରୀୟ ସ୍ତରରେ ଶାନ୍ତି ଏବଂ ସୁରକ୍ଷାରେ ଭାରତର ଭୂମିକାକୁ ମହତ୍ବପୂର୍ଣ୍ଣ ବୋଲି ଏହି ସବୁ ଦେଶ ମାନୁଛନ୍ତି । ଏହା ସହ ଭାରତ ସହ ମିଶି ଆଗାମୀ ରଣନୀତି ଉପରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି।

ଏନେଇ ଚୀନ ଏବଂ ପାକିସ୍ତାନକୁ ଆମନ୍ତ୍ରଣ କରାଯାଇଛି। କିନ୍ତୁ ପାକିସ୍ତାନର ଏନଏସଏ  ସୟିଦ ୟୁସୁଫ ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଛନ୍ତି। ନଭେମ୍ବର ୧୦ରେ ଏହି ବୈଠକରେ ଅଜିତ ଡୋଭାଲ ପ୍ରତ୍ୟେକ ଏନଏସଏଙ୍କୁ ଦ୍ବିପାକ୍ଷିକ ସାକ୍ଷାତ କରିବେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ସାକ୍ଷାତ କରିବେ ଏନଏସଏ  ଅଜିତ ଡୋଭାଲ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.