ସିନ୍ଧିଆଙ୍କ କାରକୁ ଛାଡି ଅନ୍ୟ ଗାଡିକୁ ୮ କି.ମି. ଯାଏଁ ଏସ୍କର୍ଟ ଦେଲେ ସୁରକ୍ଷାକର୍ମୀ , ଏହା ପରେ କ'ଣ ହେଲା ଜାଣନ୍ତୁ

Published By : Prameya-News7 Bureau | June 21, 2021 IST

ଗ୍ଵାଲିୟର ୨୧।୦୬: ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ମାମଲା ସାମ୍ନାକୁ ଆସିଛି। ଅନ୍ୟ କାରକୁ ସାଂସଦଙ୍କ କାର ଭାବି ପୋଲିସ ଟିମ୍ ଦେଇ ଚାଲିଥିଲେ ସୁରକ୍ଷା। ହେଲେ ଭୁଲ୍ ଜାଣିବା  ବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ଦିଲ୍ଲୀରୁ ଗ୍ଵାଲିୟର ଆସୁଥିବା ସିନ୍ଧିଆଙ୍କ କାର ନିରାବଲି ଗାଁରୁ ହଜିରା ଛକ ପର୍ଯ୍ୟନ୍ତ ପ୍ରାୟ ୮ କିଲୋମିଟର ବିନା ସୁରକ୍ଷାରେ ଚାଲି ଥିଲା। କାର୍ଯ୍ୟରେ ଅବହେଳା ପାଇଁ ଗ୍ଵାଲିୟର ଓ ମୁରେନା ଥାନାର ୧୪ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ପୋଲିସ କର୍ମୀଙ୍କ ଗାଡି ସିନ୍ଧିଆଙ୍କ କାରକୁ ଛାଡି ଅନ୍ୟ କାରକୁ ସୁରକ୍କଷା ଦେଇ ଚାଲିଥିଲେ। ରାତି ସମୟରେ ମଲଗଢା ତିରାହା ନିକଟରେ ହଜିରା ଥାନା ଅଧିକାରୀ ଆଲୋକ ପରିହାର ସିନ୍ଧିଆଙ୍କ ଗାଡିକୁ ଏକା ଯାଉଥିବା ଦେଖିବାକୁ ପାଇଥିଲେ। ଏହା ପରେ ନିଜେ ସୁରକ୍ଷା ଟିମକୁ ଧରି ସିଦ୍ଧିଆଙ୍କୁ ନେଇ ଜୟବିଲାସ ପ୍ୟାଲେସ୍ ପହଞ୍ଚିଥିଲେ।

ଦୁଇ ଜିଲ୍ଲାର ପୋଲିସ ମଧ୍ୟରେ ନାହିଁ ତାଳମେଳ
ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆୟୋଜିତ ଟିକାକରଣ ଅଭିଯାନରେ ଯୋଗ ଦେବା ପାଇଁ ରବିବାର ଦିଲ୍ଲୀରୁ ଗ୍ଵାଲିୟର ଅଭିମୁଖେ ବାହାରିଥିଲେ। ଦିଲ୍ଲୀରୁ ବାହାରିବା ପରେ ହାଇଓ୍ଵେରେ ସିନ୍ଧିଆଙ୍କ କାରକୁ ପ୍ରତି ଜିଲ୍ଲାରେ ପାୟଲଟିଂ-ଫଲୋ ଅର୍ଥାତ ପୋଲିସ ସୁରକ୍ଷା ମିଳି ଚାଲିଥିଲା। ମଧ୍ୟ ପ୍ରଦେଶରେ ମୁରେନା ସୀମାରେ ପ୍ରବେଶ କରିବା ମାତ୍ରେ ପାୟଲଟିଙ୍ଗ ଟିମ୍‌ ସିନ୍ଧିଆଙ୍କ କାର ଆଗରେ ଚାଲିବା ଆରମ୍ଭ କରିଥିଲେ। ଏହା ପରେ ନିରାବଲି ପଏଣ୍ଟ ପର୍ଯ୍ୟନ୍ତ ମୁରେନା ପୋଲିସ ଟିମ୍ ସିନ୍ଧିଆଙ୍କ ସହ ଥିଲେ। ଏଠାରୁ ଗ୍ଵାଲିୟର ପୋଲିସର ଟିମ୍ ଗାଡି ସହ ପ୍ରସ୍ତୁତ ଥିଲେ। ମାତ୍ର ଏଠାରେ ଦୁଇ ଜିଲ୍ଲାର ପୋଲିସ ମଧ୍ୟରେ ଉତ୍ତମ ସମନ୍ଵୟ ନଥିଲା। ଗ୍ଵାଲିୟର ପୋଲିସର ଟିମ୍ ଅନ୍ୟ କାରକୁ ସିନ୍ଧିଆଙ୍କ କାର ଭାବି ସୁରକ୍ଷା ଦେବାରେ ଲାଗିଥିଲେ। ସେପଟେ ସିନ୍ଧିଆଙ୍କ କାର ଏକା ଚାଲିବାରେ ଲାଗିଥିଲା। ଯେତେବେଳେ ପୋଲିସ ଅଧିକାରୀ ନିଜର ଭୁଲ୍ ଜାଣି ପାରିଲେ, ସେତେବେଳକୁ ସିନ୍ଧିଆଙ୍କ କାର ବହୁତ ଆଗକୁ ଯାଇ ସାରିଥିଲା।

ଅଫିସର ମାମଲାର ଯାଞ୍ଚ କରିବାକୁ ସାଂସଦଙ୍କ ସୁରକ୍ଷାରେ ଗ୍ଵାଲିୟର ଓ ମୁରେନା ପୋଲିସର ଅବହେଳା ଉଜାଗର  ହୋଇଥିଲା। ମୁରେନା ଜିଲ୍ଲାରୁ ସାଂସଦଙ୍କ ପାଇଁ ବାହାରିଥିବା ପୋଲିସ ଗାଡିରେ ୯ ଜଣ ପୋଲିସ କର୍ମଚାରୀ ଥିଲେ। ଅନ୍ୟପଟେ ଗ୍ଵାଲିୟର ଜିଲ୍ଲାର ସୀମାରେ ସିନ୍ଧିଆଙ୍କୁ ଆଣିବା ପାଇଁ ମୁତୟନ ଦଳରେ ୫ ପୋଲିସ କର୍ମଚାରୀ ଥିଲେ। ଦୁଇ ଦଳର ପୋଲିସ ପରସ୍ପର ମଧ୍ୟରେ ଆଲୋଚନା କରିନଥିଲେ। ତାଳମେଳ ନରହିବାରୁ ଗ୍ଵାଲିୟର ଟିମ୍ ଭୁଲ୍ ଗାଡିକୁ ସୁରକ୍ଷା ଦେବାରେ ଲାଗିଥିଲେ। ଏହି ଅବହେଳା ପାଇଁ ୧୪ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ଵନରେ ଦୁଇ ଜିଲ୍ଲାର ୫ ସବ ଇନ୍ସପେକ୍ଟର ସାମିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.