୯ ବର୍ଷ ପରେ ବଦଳିବ ଚନ୍ଦ୍ରର ଅବସ୍ଥିତି : ସାରା ବିଶ୍ୱରେ ଆସିବ ଭୟଙ୍କର ବନ୍ୟା, ବୁଡିଯିବ ଅନେକ ସହର !

Published By : Prameya-News7 Bureau | July 13, 2021 IST

ନୂଆଦିଲ୍ଲୀ, ୧୩|୦୭: ସାରା ବିଶ୍ୱରେ ପାଣିପାଗରେ ପରିବର୍ତ୍ତନ ଘଟୁଛି । ବାତ୍ୟା ଓ ଝଡବର୍ଷାର ପରିମାଣ ବଢୁଛି । ଆମେରିକା ସମେତ ଅନେକ ଦେଶ ନିରନ୍ତର ଭାବେ ବାତ୍ୟା ମୁକାବିଲା କରୁଛନ୍ତି । ସମୁଦ୍ର ମଧ୍ୟ ମାଡି ଆସୁଛି । କାରଣ ସମୁଦ୍ରର ଜୁଆର ଚନ୍ଦ୍ର ଉପରେ ନିର୍ଭର କରେ । କିନ୍ତୁ ଏବେ ବୈଜ୍ଞାନିକମାନେ ଏକ ଭୟଙ୍କର ତଥ୍ୟ ଦେଇଛନ୍ତି । ଯଦି ଚନ୍ଦ୍ରର ଅବସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ହୁଏ ତେବେ ବଡ ବନ୍ୟା ଆସିବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

ବୈଜ୍ଞାନିକମାନେ କହିଛନ୍ତି ଯେ, ଉଚ୍ଚ ଜୁଆର ପାଇଁ ଆସୁଥିବା ବନ୍ୟାକୁ ନ୍ୟୁସେନ୍ସ ଫ୍ଲଡ୍ କୁହାଯାଏ । ସମୁଦ୍ରର ଲହରୀ ୨ ଫୁଟ ଉଚ୍ଚରେ ଆସିଥାଏ । ସହରରେ ଗୁଡିକରେ ପାଣି ଭର୍ତ୍ତି ହୋଇଯାଏ । ବର୍ଷା ଦିନେ ମୁମ୍ବାଇର ସ୍ଥିତି ଭଳି ସବୁଆଡେ ଏପରି ସ୍ଥିତି ଉପୁଜିପାରେ । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବାର ସମ୍ଭାବନା ରହିଛି ।

ଏବେ କିନ୍ତୁ ବୈଜ୍ଞାନିକମାନେ ମତ ଦେଇଛନ୍ତି ଯେ, ଚନ୍ଦ୍ର ତାର କକ୍ଷପଥରେ ସାମାନ୍ୟ ବିଚ୍ୟୁତ ହେଉଛି। ଯାହାର ପ୍ରଭାବ ପୃଥିବୀ ଉପରେ ବ୍ୟାପକ ଭାବେ ପଡ଼ିବା ଆଶଙ୍କା ଦେଖାଦେଇଛି। ସମୁଦ୍ରର ଲହଡ଼ି ୨ ଫୁଟ ଅଧିକ ବଢ଼ିଯାଇପାରେ। ଏହାର ପ୍ରଭାବରେ ସମୁଦ୍ର କୂଳବର୍ତ୍ତୀ ସହରରେ ବନ୍ୟା ଆସିବା ଆଶଙ୍କା ମଧ୍ୟ ବଢ଼ିଯାଇଛି। ନ୍ୟାସନାଲା ଓସିଏନିକ ଆଟମୋସ୍ଫିଅରିକ ଆଡମିନିଷ୍ଟ୍ରେସନର କହିବା କଥା ହେଲା ସମୁଦ୍ରରେ ଉଚ୍ଚ ଲହଡ଼ି ପାଇଁ ୨୦୧୯ରେ ୬ଶହ ବନ୍ୟା ଆସିଥିଲା। ତେବେ ୨୦୩୦ ବେଳକୁ ଏଭଳି ବନ୍ୟାର ସଂଖ୍ୟା ବଢ଼ିଯିବ। ସମୁଦ୍ରର ଲହଡ଼ିର ଉଚ୍ଚା ୩-୪ ଗୁଣା ବଢ଼ିଯିବ। ଏହାର ପ୍ରଭାବ ଅସମୟ ବନ୍ୟା ବା ନ୍ୟୁସାନସ ଫ୍ଲଡର ଆଶଙ୍କା ବୃଦ୍ଧି ପାଇବ।

ନାସା ଦ୍ବାରା କରାଯାଇଥିବା ଏହି ଅନୁଧ୍ୟାନ ନେଚର କ୍ଲାଇମେଟ ଚେଞ୍ଜରେ ପ୍ରକାଶିତ ହୋଇଛି। ୨୦୩୦ରେ ନ୍ୟୁଇସାନ୍ସ ଫ୍ଲଡ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇବ। ବର୍ଷକୁ ଥରେ ଦୁଇ ଥର ନୁହେଁ ବାରମ୍ବାର ଆସିବ ସାମୁଦ୍ରିକ ବନ୍ୟା। କାରଣ ଯେତେବେଳେ ଚନ୍ଦ୍ରର କକ୍ଷପଥରେ ସାମାନ୍ୟ ପରିବର୍ତ୍ତନ ହୋଇଥାଏ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥାଏ। ଧିରେ ଧିରେ ଚନ୍ଦ୍ରର କକ୍ଷପଥରେ ଯେତେ ପରିବର୍ତ୍ତନ ହେବ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ଆଶଙ୍କା ସେତେ ବୃଦ୍ଧି ପାଇବ। ଏଥିରୁ ବର୍ତ୍ତିବା ପାଇଁ ବିଭିନ୍ନ ଦେଶ ନୂଆ ନୂଆ ପ୍ଲାନ ପ୍ରସ୍ତୁତ କରିବାକୁ ବାଧ୍ୟ ହେବେ। ଯଦି ମାସକୁ ୧୦ ବା ୧୫ ଥର ଏମିତି ବନ୍ୟା ଆସିବ ତେବେ ଏହା ମଣିଷର ଜୀବନ ଶୈଳୀ ଉପରେ ମଧ୍ୟ ବ୍ୟାପକ ପ୍ରଭାବ ପକାଇବ ବୋଲି ୟୁନିଭର୍ସିଟି ଅଫ ହାୱାଇର ଆସିଷ୍ଟାଣ୍ଟ ପ୍ରଫେସର ଫିଲ ଥମସନ ଚେତାବନୀ ଦେଇଛନ୍ତି। ତେଣୁ ଆଗକୁ ସମୁଦ୍ର ହିଁ ମଣିଷ ପାଇଁ ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା ସୃଷ୍ଟି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.