ନ୍ୟୁଜିଲାଣ୍ଡକୁ ଜୋରଦାର ଝଟକା, ତାରକା ବୋଲର ଟି-୨୦ ବିଶ୍ଵ କପ୍‌ରୁ ବାହାର

Published By : Prameya-News7 Bureau | October 26, 2021 IST

ଦୁବାଇ ୨୬।୧୦: କେନ ଓ୍ଵିଲିୟମସନଙ୍କ ନେତୃତ୍ଵାଧୀନ ନ୍ୟୁଜିଲାଣ୍ଡ ଟିମ୍‌କୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଜୋରଦାର ଝଟକା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ଲୋକି ଫର୍ଗ୍ୟୁସନ ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି। ଫର୍ଗ୍ୟୁସନଙ୍କ ଡାହାଣ ଗୋଡରେ ଆଘାତ ଲାଗିଛି। ଅଧିନାୟକ କେନ ଓ୍ଵିଲିୟମସନ ଟସ୍ ସମୟରେ ଏହାର ସୂଚନା ଦେଇଛନ୍ତି। ପର୍ଗ୍ୟୁସନଙ୍କ ସ୍ଥାନରେ ଆଡମ ମିଲନେଙ୍କୁ ଦଳରେ ସାମିଲ୍ କରାଯାଇଛି।

ନ୍ୟୁଜିଲାଣ୍ଡ କ୍ରିକେଟ୍ ନିଜ ବିବୃତିରେ କହିଛି, ୩୦ ବର୍ଷୀୟ ଫର୍ଗ୍ୟୁସନଙ୍କୁ ସୋମବାର ରାତିରେ ଡାହାଣ ଗୋଡର ଗୋଇଠି ଉପରକୁ ଖୁବ୍ ଯନ୍ତ୍ରଣା ହୋଇଥିଲା। ଏହା ପରେ ଏମଆରଆଇ ସ୍କାନ କରାଯାଇଥିଲା। ଏହା ପରେ ଗୋଡରେ ଗୁରୁତର ଆଘାତ ଲାଗିଥିବା ଜଣା ପଡିଛି। ସୁସ୍ଥ ହେବାକୁ ତାଙ୍କୁ ତିନିରୁ ଚାରି ସପ୍ତାହ ସମୟ ଲାଗିପାରେ। ଦଳର ମୁଖ୍ୟ କୋଚ୍ ଗ୍ୟାରି ଷ୍ଟିଡ୍ କହିଛନ୍ତି, ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଏମିତି ହେବା ଲୋକିଙ୍କ ପାଇଁ ନିରାଶଜନକ ଏବଂ ପୂରା ଦଳ ପାଇଁ ମଧ୍ୟ ନିରାଶଜନକ କଥା।

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡକୁ ଆଗାମୀ ଆଜିର ମ୍ୟାଚ୍ ପରେ ୧୨ ଦିନରେ ଚାରି ମ୍ୟାଚ୍ ଖେଳିବାର ଅଛି। ଏମିତିରେ ଫର୍ଗ୍ୟୁସନଙ୍କୁ ଦଳରୁ ବାଦ୍ କରିବା ବ୍ୟତୀତ ଦଳରେ ଆଉ କିଛି ବିକଳ୍ପ ନଥିଲା।  ହେଲେ ଆମେ ଭାଗ୍ୟଶାଳୀ ଯେ, ଆମ ପାଖରେ ଆଡମ ମିଲନେଙ୍କ ପରି ଭଲ ବିକଳ୍ପ ରହିଛି  ବୋଲି କୋଚ୍ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.