ଦୀପାବଳି ପୂର୍ବରୁ ବିଜେପିକୁ ଶକ୍ତ ଝଟକା, ଉପ ନିର୍ବାଚନରେ ଜିତିଲା ମାତ୍ର ୭ ଆସନ

Published By : Prameya-News7 Bureau | November 02, 2021 IST

ନୂଆଦିଲ୍ଲୀ ୦୨।୧୧: ଦୀପାବଳି ପୂର୍ବରୁ ବିଜେପିକୁ ଝଟକା। ଆସନ୍ତା ବର୍ଷ ପାଞ୍ଚ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ପରାଜୟମୁହଁ ଦେଖିବାକୁ ପଡିଛି। ମଙ୍ଗଳବାର ପ୍ରକାଶ ପାଇଛି ୧୩ ରାଜ୍ୟରେ ଅନୁଷ୍ଠିତ ବିଧାନସଭା ଉପ ନିର୍ବାଚନର ଫଳାଫଳ। ଏଥିରେ କଂଗ୍ରେସ ସଫଳତା ପାଇଥିବା ବେଳେ ବିଜେପିକୁ ନିରାଶ ହେବାକୁ ପଡିଛି।

ହିମାଚଳ ପ୍ରଦେଶରେ ଗୋଟିଏ ଲୋକସଭା ଆସନ ଏବଂ ଗୋଟିଏ ବିଧାନସଭା ଆସନ ହାତରୁ ଖସିଥିବା ବେଳେ ପଶ୍ଚିମବଙ୍ଗରେ ଦଳ ମୁହଁ ମାଡି ପଡିଛି। ମୋଟ୍ ୨୯ ବିଧାନସଭାରେ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେପି ୨୨ଟି ଆସନରେ ଲଢିଥିଲା। ହେଲେ ଦଳ ମାତ୍ର ୭ଟି ସିଟ୍ ଜିତିବାକୁ ସକ୍ଷମ ହୋଇଛି। ଗୋଟିଏ ପଟେ ହିମାଚଳ ପ୍ରଦେଶରେ ବିଜେପିକୁ ମୁହଁତୋଡ ଜବାବ ଦେଇ କଂଗ୍ରେସ କ୍ଲିନ୍ ସୁଇପ୍ କରିଥିବା ବେଳେ ରାଜସ୍ଥାନରେ ବିଜେପିର ଗଡ କୁହାଯାଉଥିବା ଧରିଆବାଦ ଆସନ ଦଖଲ କରିଛି କଂଗ୍ରେସ। ଏହା ବ୍ୟତୀତ ବଲ୍ଲଭନଗର ଆସନରୁ ମଧ୍ୟ ଦଳ ବିଜୟ ହାସଲ କରିଛି।

ହିମାଚଳ ପ୍ରଦେଶରେ ମଣ୍ଡି  ଲୋକସଭା ସହିତ ଅର୍କି, ଫତେହପୁର, ଜୁବଲ-କୋଟଖାଇ ବିଧାନସଭା ଆସନରେ  ହୋଇଥିବା ଉପ ନିର୍ବାଚନରେ ବିଜେପିକୁ ଜୋରଦାର ଝଟକା ଲାଗିଥିବା କଂଗ୍ରେସ ସମସ୍ତ ତିନି ବିଧାନସଭା ଆସନରେ ବିଜୟ ହାସଲ କରିଛି। ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ୨୦୧୯ରେ  ବିଜେପି  ପ୍ରାର୍ଥୀ ରାମସ୍ଵରୂପ ଶର୍ମା ବିଜୟୀ ହୋଇଥିଲେ। ହେଲେ ଗତ ଦିନରେ ତାଙ୍କର ପରଲୋକ ଘଟିଥିଲା। ଏବେ ଉପ ନିର୍ବାଚନରେ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପତ୍ନୀ ପ୍ରତିଭା ସିଂହଙ୍କୁ ପ୍ରାର୍ଥୀ କରିଥିଲା। ଅନ୍ୟପଟେ ବିଜେପି କାରଗିଲ ଯୁଦ୍ଧର ହିରୋ କୁଶାଳଲ ସିଂହ ଠାକୁରଙ୍କୁ ମଇଦାନରେ ଓହ୍ଲାଇଥିଲା। ତେବେ କଂଗ୍ରେସ ପ୍ରାର୍ଥୀ ପ୍ରତିଭା ସିଂହ ୮୭୬୬ ଖଣ୍ଡ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ଏହି ଲୋକସଭା ସହିତ କଂଗ୍ରେସ ଅର୍କି, ଫତେହପୁର, ଜୁବଲ-କୋଟଖାଇ ବିଧାନସଭା ଆସନରେ ବିଜେପିକୁ ପରାସ୍ତ କରିବାରେ ସଫଳ ହୋଇଛି।

ପଶ୍ଚିମବଙ୍ଗରେ ବିଜେପି ଶୋଚନୀୟ ପରାଜୟ  ଭୋଗିଛି। ଜିତିଥିବା ଦୁଇଟି ଆସନ ମଧ୍ୟ ହରାଇବାକୁ ପଡିଛି। ଏଥିରୁ ଜଣା ପଡିଛି ବିଜେପିକୁ କେତେ ବଡ ଝଟକା ଲାଗିଛି। ବିଜେପିକୁ ମଧ୍ୟ ପ୍ରଦେଶ ଏବଂ ଆସାମରେ ସନ୍ତୋଷଜନକ ପରିଣାମ ମିଳିଛି। ଆସାମର ୫ ବିଧାନସଭା ଆସନରେ ଦଳ ସବୁଥିରେ ବିଜୟୀ ହୋଇଛି। ମଧ୍ୟପ୍ରଦେଶରେ ବିଜେପି ତିନୋଟି ଆସନରୁ ଦୁଇଟିରେ ବିଜୟୀ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.