ବିକ୍ରି ହୋଇଗଲା ବିଗ୍ ବଜାର, ଏମିତି ଋଣ ଜାଲରେ ଫସି ଚାଲିଲେ ରିଟେଲ୍ କିଙ୍ଗ କିଶୋର ବିୟାନି

Published By : Prameya-News7 Bureau | August 30, 2020 IST

ନୂଆଦିଲ୍ଲୀ ୩୦।୦୮: ବିଗ୍ ବଜାରରେ ସେଲ୍‌ର ଅପେକ୍ଷା ସବୁ ବର୍ଗର ପରିବାର ଅପେକ୍ଷା କରିଥାନ୍ତି, କାରଣ ସେଲ୍‌ ସମୟରେ ବିଗ୍ ବଜାରରେ ସବୁ ପ୍ରକାରର ଉତ୍ପାଦ ବା ପ୍ରଡକ୍ଟ ଉପରେ ବହୁତ ଡିସକାଉଣ୍ଟ ମିଳିଥାଏ। କମ୍ପାନୀର ଟ୍ୟାଗଲାଇନ୍‌ ‘ସବସେ ଶସ୍ତା, ସବସେ ଆଚ୍ଛା’ ବିଗ୍‌ବଜାରକୁ ଘରେ ଘରେ ପରିଚିତ କରାଇଥିଲା। ମାତ୍ର ରିଟେଲ୍ କିଙ୍ଗ କୁହାଯାଉଥିବା କିଶୋର ବିୟାନି ଏବେ ନିଜର ଏହି ବ୍ୟବସାୟକୁ ମୁକେଶ ଅମ୍ବାନୀଙ୍କ ହାତରେ ଟେକି ଦେଇଛନ୍ତି। ଫଳରେ ବିଗ୍‌ବଜାର ଏବେ ମୁକେଶ ଅମ୍ବାନୀଙ୍କ ହୋଇ ଯାଇଛି।

କିଶୋର ବିୟାନି ଜଣେ ସଫଳ ଭାରତୀୟ ଉଦ୍ୟୋଗପତି। ୨୦୧୯ ପୂର୍ବରୁ ତାଙ୍କର ବ୍ୟବସାୟ ବଢି ଚାଲିଥିଲା। ହେଲେ କିଶୋରଙ୍କ ଫ୍ୟୁଚର ଗ୍ରୁପରେ ଆର୍ଥିକ ସଙ୍କଟ ଚଳିତ ବର୍ଷ ପ୍ରାରମ୍ଭରେ ଦେଖା ଦେଇଥିଲା। ଏହି ସ୍ଥିତି ତେବେ ଉପୁଜିଲା ଯେବେ ଫ୍ୟୁଚର ଗ୍ରୁପ ରିଟେଲ୍‌ ଋଣ ପରିଶୋଧ କରିବାରେ ବିଫଳ ହୋଇଥିଲା। ଏହା ପରେ ବ୍ୟାଙ୍କ କମ୍ପାନୀକୁ ବନ୍ଧା ରଖି ଅଂଶଧନ ଜବତ କରିଥିଲା।

{"id":322693,"sizeSlug":"large"}

୨୦୧୯ରେ ଫୋବର୍ସ ତାଲିକାରେ କିଶୋର ବିୟାନି ୮୦ ତମ ସବୁଠୁ ଧନୀ ବ୍ୟବସାୟୀ ଥିଲେ। ମାତ୍ର ଏବେ ଋଣ ସୁଝିବା ପାଇଁ ସେ ନିଜର  ବଡ କାରବାରକୁ ରିଲାଏନ୍ସ ଆଣ୍ଡ ଫ୍ୟାସନ ଲାଇଫଷ୍ଟାଇଲ୍ ଲିମିଟେଡ୍କୁ ୨୪୭୧୩ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଏହି ଚୁକ୍ତି ପରେ କିଶୋର ବିୟାନିଙ୍କ ଉପରୁ ରିଟେଲ କିଙ୍ଗର ବଡ ଉପାଧି ମଧ୍ୟ ହଟି ଯାଇଛି।

ସୂଚନାଯୋଗ୍ୟ, ଶାଢୀର ବ୍ୟବସାୟରୁ ଯାତ୍ରା ଆରମ୍ଭ କରି ବିଗ୍‌ବଜାର ପର୍ଯ୍ୟନ୍ତ ପହଞ୍ଚିଥିବା ମାରଓ୍ଵାଡି ପରିବାରରୁ ଜନ୍ମିତ କିଶୋର ବିୟାନି ୧୯୮୭ରେ ପାଣ୍ଟାଲୁନର ଆରମ୍ଭ କରିଥିଲେ। ମାତ୍ର ଅର୍ଥାଭାବ କାରଣରୁ ସେ ଏହି କାରବାରକୁ ୨୦୧୨ରେ ଆଦିତ୍ୟ ବିର୍ଲା ଗ୍ରୁପକୁ ବିକ୍ରି କରିଥିଲେ। ପାଣ୍ଟାଲୁନ ଓ ବିଗ ବଜାରର ଆରମ୍ଭ ବିୟାନି କୋଲକାତାରୁ କରିଥିଲେ।

{"id":322694,"sizeSlug":"large"}

କିଶୋର ବିୟାନି ନିଜର ବ୍ୟବସାୟ ୧୯୮୭ରୁ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ କମ୍ପାନୀ ଥିଲା ମେଞ୍ଜ ବିୟର। ପରେ ଏହାର ନାମ ବଦଳାଇ ପାଣ୍ଟାଲୁନ ରଖିଥିଲେ। ପୁଣି ୧୯୯୧ରେ ଏହାର ନାମ ପାଣ୍ଟାଲୁନ ଫ୍ୟାସନ ଲିମିଟେଡ କରିଥିଲେ। ୨୦୦୧ରେ କିଶୋର ବିୟାନି ପୂରା ଦେଶରେ ବିଗ୍ ବଜାର ଷ୍ଟୋର ଖୋଲିଥିଲେ।

କିଶୋର ବିୟାନିଙ୍କ ପାଇଁ ୨୦୧୯ ସବୁଠୁ ସଙ୍କଟର ବର୍ଷ ଥିଲା। ୨୦୧୯ର ସମାପ୍ତ ତ୍ରୈମାସରେ ଫ୍ୟୁଚର ରିଟେଲର ମୁନାଫାରେ ୧୫ ପ୍ରତିଶତ ହ୍ରାସ ଘଟିଥିଲା। ଫଳରେ ରାଜସ୍ଵ ୩ ପ୍ରତିଶତ କମିଥିଲା। ଏବେ କରୋନା କାରଣରୁ ସଙ୍କଟ ଆହୁରି ଘନୀଭୁତ ହୋଇଥିଲା। କ୍ରମାଗତ ଋଣର  ବୋଝ ବଢିବାରୁ ରେଟିଂ ଏଜେନ୍ସି ମଧ୍ୟ ରେଟିଂ ହ୍ରାସ କରିଥିଲେ। ଏହାର  ପ୍ରଭାବରେ ଫ୍ୟୁଚର ରିଟେଲ ଅଂଶଧନରେ ପ୍ରାୟ ୭୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.