କରୋନା ପ୍ୟାକେଜ୍ : ୩ କୋଟି ଦିବ୍ୟାଙ୍ଗ, ବୃଦ୍ଧା ଏବଂ ବିଧବାମାନଙ୍କ ପାଇଁ ବଡ ଘୋଷଣା

Published By : Prameya-News7 Bureau | March 26, 2020 IST

ନୂଆଦିଲ୍ଲୀ ୨୬।୩: କେନ୍ଦ୍ର ସରକାର କରୋନା ସଙ୍କଟ ପାଇଁ ଗୁରୁବାର ଯେଉଁ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି ସେଥିରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ ମଧ୍ୟ ବଡ ପ୍ୟାକେଜ୍ ରହିଛି । ଏହାସହ ସରକାର ସମାଜର ସେହି ୩ କୋଟି ଅସହାୟ ଲୋକଙ୍କ ପାଇଁ ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଛନ୍ତି । ଯେଉଁମାନେ ଅଧିକ ଅସହାୟ ଅବସ୍ଥାରେ ଜୀବନ ବିତାଉଛନ୍ତି।

ମୋଦି ସରକାରଙ୍କ ତରଫରୁ ଗରିବ ଏବଂ ଅସହାୟ ଲୋକଙ୍କ ପାଇଁ ୧.୭୦ ଲକ୍ଷ କୋଟି ଟଙ୍କାର ମେଗା ରିଲିଫ୍ ପ୍ୟାକେଜ ଘୋଷଣା କରିଛନ୍ତି । ଏଥିରେ ସମାଜର ସେହି ଅସହାୟ ବର୍ଗର ଧ୍ୟାନ ରଖିବାର ପ୍ରୟାସ କରାଯାଇଛି ଯେଉଁମାନେ ଶାରୀରିକ ସ୍ତରରେ ମଧ୍ୟ ସକ୍ଷମ ନୁହଁନ୍ତି ଯେ ଏହି ସଙ୍କଟ ସମୟରେ ନିଜର ରକ୍ଷା କରିପାରିବେ । ସାମାଜିକ ଦୃଷ୍ଟିରୁ ସେମାନେ ମଧ୍ୟ ସଶକ୍ତ ନୁହଁନ୍ତି । ଆଜିର ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମାଜର ପ୍ରାୟ ୩ କୋଟି ଦିବ୍ୟାଙ୍ଗ, ବୃଦ୍ଧ ଓ ବିଧବାଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଦେବାଲାଗି ଘୋଷଣା କରିଛନ୍ତି। ଆସନ୍ତା ୩ ମାସ ପାଇଁ କେନ୍ଦ୍ର ସରକାର ସିଧାସଳଖ ସେମାନଙ୍କ ଆକାଉଣ୍ଟରେ ଅତିରିକ୍ତ ୧୦୦୦ ଟଙ୍କା ଜମାକରିବେ । ଏହି ଟଙ୍କା ୨ଟି କିସ୍ତିରେ ସେମାନଙ୍କ ଆକାଉଣ୍ଟରେ ଜମା ହେବ । ପ୍ରତି ମାସରେ ୫୦୦-୫୦୦ କରି ଦୁଇଟି କିସ୍ତିରେ ଦିଆଯିବ |

କେବଳ ଏତିକି ନୁହେଁ, ଅର୍ଥ ମନ୍ତ୍ରୀ ମଧ୍ୟ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଦୀନଦୟାଲ ଯୋଜନା ଅନୁଯାୟୀ ବିନା ଗ୍ୟାରେଣ୍ଟିରେ ଲୋନ୍ ସୀମାକୁ ୨୦ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହାପୂର୍ବରୁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଦିଆଯାଉଥିଲା | ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସ୍ବୟଂ ସହାୟିକା ଗୋଷ୍ଠୀର ୬୩ ଲକ୍ଷ ମହିଳା ଉପକୃତ ହେବେ |

ଏହି କରୋନା ସଙ୍କଟ ସମୟରେ କେନ୍ଦ୍ର ସରକାର ଉଜ୍ବଳା ଯୋଜନା ଅନ୍ତର୍ଗତ ୮ କୋଟିରୁ ଅଧିକ ଗରିବ ମହିଳା ହିତାଧିକାରୀଙ୍କୁ ୩ ମାସ ପାଇଁ ଏଲପିଜି ସିଲିଣ୍ଡର (ରିଫିଲ) ମାଗଣାରେ ଦେବାକୁ ଘୋଷଣା କରିଛନ୍ତି ।
ଏହି ଘୋଷଣାରେ ମନରେଗା ଶ୍ରମିକମାନଙ୍କ ମଜୁରୀ ମଧ୍ୟ ୧୮୨ ଟଙ୍କାରୁ ୨୦ ଟଙ୍କା ବଢାଇ ୨୦୨ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି ।

ଆଜିର ଏହି ଘୋଷଣାରେ ଅର୍ଥମନ୍ତ୍ରୀ କରୋନା ସଙ୍କଟର ମୁକାବିଲା ପାଇଁ ଗରିବ ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସିଧାସଳଖ ଆକାଉଣ୍ଟକୁ ନଗଦ ଟଙ୍କା ଟ୍ରାନ୍ସଫର ବିଷୟରେ ୮ଟି ବଡ ଘୋଷଣା କରିଛନ୍ତି । ଯେଉଁଥିରେ କୃଷକ, ମନରେଗା ଶ୍ରମିକ, ଗରିବ ବିଧବା, ଗରିବ ଦିବ୍ୟାଙ୍ଗ, ଗରିବ ପେନ୍‌ସନ୍‌ଭୋଗୀ, ଜନଧନ ଯୋଜନା, ଉଜ୍ବଳା ଯୋଜନାର ହିତାଧିକାରୀ, ସ୍ବୟଂ ସହାୟକ ଗୋଷ୍ଠୀର ମହିଳା, ସଂଗଠିତ କ୍ଷେତ୍ର କର୍ମଚାରୀ ଏବଂ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କର ଧ୍ୟାନ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.