ରାଜ୍ୟ ରାଜନୀତିକୁ ପୁଣି ଫେରିଲା ବିଧାନ ପରିଷଦ ପ୍ରସଙ୍ଗ: ବିଜେଡି ହେଲାଣି ତର ତର, କଂଗ୍ରେସ କହିଲା ହେବ ଥଇଥାନ କେନ୍ଦ୍ର

Published By : Prameya-News7 Bureau | June 03, 2019 IST

ଭୁବନେଶ୍ବର ୩|୬: ରାଜ୍ୟ ରାଜନୀତିକୁ ପୁଣି ଫେରିଛି ବିଧାନ ପରିଷଦ ପ୍ରସଙ୍ଗ । ଗତବର୍ଷ ରାଜ୍ୟ ବିଧାନସଭାରେ ଏ ନେଇ ପ୍ରସ୍ତାବ ପାରିତ ହୋଇଥିଲା । ଏବେ ବଲ୍ କେନ୍ଦ୍ର ସରକାରଙ୍କ କୋର୍ଟରେ । ବିଜେଡି ନେତା କହୁଛନ୍ତି, ଖୁବ୍ ଶୀଘ୍ର ସଂସଦ ଏ ନେଇ ନିଷ୍ପତ୍ତି ନେବ ବୋଲି ଆଶା ରହିଛି । ସେପଟେ ବିଜେପି ଓ କଂଗ୍ରେସ କହିଲେଣି, ସରକାରୀ ଟଙ୍କାରେ ବିଜେଡିର ଥଇଥାନ କେନ୍ଦ୍ର ଲାଗି ଏତେ କସରତ ।

ବିଧାନସଭା ନିର୍ବାଚନ ସରିଲା । ଆଉ ଫେରିଲା ବିଧାନ ପରିଷଦ ଚର୍ଚ୍ଚା ।  ପୁଣି ଥରେ ରାଜ୍ୟ ରାଜନୀତିରେ ମୁଣ୍ଡ ଟେକିଛି ବିଧାନ ପରିଷଦ ପ୍ରସଙ୍ଗ ।  ଶାସକ ଦଳ ବିଧାୟକ ଅମର ଶତପଥୀ କହିଛନ୍ତି, ରାଜ୍ୟ ବିଧାନସଭା ବିଧାନପରିଷଦ ବିଲ୍ ପାରିତ କରିଛି । ଏବେ ଏହି ଦାୟିତ୍ୱ ସଂସଦ ଓ କେନ୍ଦ୍ର ସରକାରଙ୍କ ।  ରାଜ୍ୟର ସୁପାରିସକୁ ସ୍ୱୀକୃତି ଦେବାକୁ ପାର୍ଲାମେଣ୍ଟ  ତ୍ୱରିତ ପଦକ୍ଷେପ ନେବ ବୋଲି ଆଶା ଥିବା ସେ କହିଛନ୍ତି ।

ସେପଟେ ଅମରଙ୍କ ପ୍ରତିକ୍ରିୟାର ଜବାବ୍ ରଖିଛନ୍ତି ଉଭୟ ବିଜେପି-କଂଗ୍ରେସ । ବିଜେପି କହିଛି, ପ୍ରକୃତରେ ରାଜ୍ୟରେ ବିଧାନ ପରିଷଦର ଆବଶ୍ୟକତା ରହିଛି ନା ବିଜେଡି ନେତାଙ୍କ ଥଇଥାନ ଲାଗି ଏହା ଦରକାର ତାହାର ତର୍ଜମା ହେଉ । କଂଗ୍ରେସ କହିଛି, ମୋଦିଙ୍କୁ ଆଉ ନବୀନଙ୍କ ସହାୟତା ଦରକାର ନାହିଁ । ତେଣୁ ବିଧାନ ପରିଷଦ ପ୍ରସଙ୍ଗ କେନ୍ଦ୍ରର କୋଲ୍ଡଷ୍ଟୋରେଜରେ ରହିବ ।

୪ ବର୍ଷ ତଳେ ରାଜ୍ୟରେ ଆରମ୍ଭ ହୋଇଥିଲା ବିଧାନ ପରିଷଦ ଗଠନ ପ୍ରକ୍ରିୟା । ୨୦୧୫ରେ ବିଧାନସଭାର ଏକ ଟିମ୍ ବିଭିନ୍ନ ରାଜ୍ୟ ଗସ୍ତ କରି ରିପୋର୍ଟ ପ୍ରସ୍ତୁତ କରିଥିଲା । ୪୯ ସଦସ୍ୟ ବିଶିଷ୍ଟ ଅପର୍ ହାଉସ୍ ଗଠନକୁ କ୍ୟାବିନେଟ ମଂଜୁରୀ ପରେ ବିଧାନସଭାରେ ଏହା ପାରିତ ହୋଇଥିଲା ।  ଏଥିଲାଗି ଭିତ୍ତିଭୂମି ସହ ବର୍ଷକୁ ୩୫ କୋଟିର ଅତିରିକ୍ତ ଖର୍ଚ୍ଚର ଆକଳ ହୋଇଥିଲା ।  ଏବେ ଦେଶର ୭ଟି ରାଜ୍ୟରେ ବିଧାନପରିଷଦ କାର୍ଯ୍ୟ କରୁଛି ।  ଓଡ଼ିଶା ସମେତ ୪ଟି ରାଜ୍ୟର ନୂଆ କରି ବିଧାନ ପରିଷଦ ଗଠନ ଲାଗି କେନ୍ଦ୍ର ନିକଟରେ ସୁପାରିସ କରିଛନ୍ତି । ଏହା ବାଦ୍ ପୂର୍ବରୁ ବିଧାନପରିଷଦ ଥିବା ଓ ପରେ  ଅକାମୀ ହୋଇଥିବା ୫ଟି ରାଜ୍ୟ ମଧ୍ୟ ଏହାର ପୁନଃ କାର୍ଯ୍ୟକ୍ଷମ ଲାଗି ସୁପାରିସ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.