ଇମ୍ରାନ୍‌ ଖାନଙ୍କ ସହ ଫୋନ୍‌ରେ କଥା ହେବାକୁ ଚାହୁଁନାହାନ୍ତି ବାଇଡେନ୍‌, ପାକିସ୍ତାନରେ ଚର୍ଚ୍ଚା ଜୋର

Published By : Prameya-News7 Bureau | August 05, 2021 IST

ଇସ୍ଲାମାବାଦ ୫/୦୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟେଲିଫୋନ୍‌ରେ କଥା ହେବାକୁ ଅନିଚ୍ଛା ପ୍ରକାଶ କରୁଥିବା ଜଣାପଡ଼ିଛି। ଏନେଇ ଇମ୍ରାନ୍‌ ଖାନଙ୍କ ସରକାର ନାରାଜ ହୋଇଥିବା ବେଳେ ପାକ୍‌ ସୁରକ୍ଷା ପରାମର୍ଶଦାତା ଆମେରିକାକୁ ଚେତାବନୀ ଦେଇଛନ୍ତି । ପାକ ଏନଏସଏ ସୟଦ ୟୁସୁଫ କହିଛନ୍ତି, ଯଦି ଆମେରିକା ନେତା ଦେଶର ନେତୃତ୍ବଙ୍କୁ ଅଣଦେଖା କରନ୍ତି ତେବେ ଇସ୍ଲାମାବାଦ ପାଖରେ ଅନ୍ୟ ବିକଳ୍ପ ରହିଛି।

ଡନ୍‌ ଖବର କାଗଜରେ ପ୍ରକାଶିତ ଖବର ମୁତାବିକ, ୟୁସୁଫ କହିଛନ୍ତି, ‘ଆମେରିକା ରାଷ୍ଟ୍ରପତି ମହତ୍ବପୂର୍ଣ୍ଣ ଦେଶର ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାକୁ ଚାହୁଁନାହାନ୍ତି। କିନ୍ତୁ  ଆଫଗାନିସ୍ତାନ ମାମଲାକୁ ସେ ଗୁରୁତ୍ବପୂର୍ଣ୍ଣ ବୋଲି କହୁଛନ୍ତି। ଆମେ ଏହି ସଙ୍କେତକୁ ବୁଝି ପାରୁନାହୁଁ।’ ସେ ଆହୁରି ମଧ୍ୟ କହିଛନ୍ତି, ଆ​ମେ ପ୍ରତ୍ୟେକ ସମୟରେ ଫୋନ୍‌ରେ କଥା ହେବୁ ବୋଲି କୁହାଯାଇଥିଲା । ଯାନ୍ତ୍ରିକ ତ୍ରୁଟି ପାଇଁ ହେଉ କିମ୍ବା ଅଲଗା କାରଣ ପାଇଁ ଏହାକୁ କେହି ବିଶ୍ବାସ କରୁନାହାନ୍ତି। ଏହା ସହ ସେ ଇସ୍ଲାମାବାଦ ପାଖରେ ଅନ୍ୟ ବିକଳ୍ପ ଥିବା ନେଇ କହି ଆମେରିକାକୁ ଚେତାବନୀ ମଧ୍ୟ ଦେଇଛନ୍ତି।

ସେପଟେ ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ପାକିସ୍ତାନକୁ ଆଶ୍ବସନା ଦିଆଯାଇଛି। ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଦିଗରେ ପାକିସ୍ତାନର ଭୂମିକା ଗୁରୁତ୍ବପୂର୍ଣ୍ଣ ଏବଂ ଆଶା ଅଛି ଇମ୍ରାନ ଖାନଙ୍କ ସରକାର ତାହା କରି ଦେଖାଇବେ ବୋଲି ଆମେରିକା ବୈଦେଶିକ ବିଭାଗ ପ୍ରବକ୍ତା ନେଡ୍‌ ପ୍ରାଇସ୍‌ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.