ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ବାଇଡେନଙ୍କ ଗୋଇଠିରେ ଫ୍ରାକ୍ଚର, ଟ୍ୱିଟ୍ କରି ଆଶୁ ଆରୋଗ୍ୟ କାମନା କଲେ ଟ୍ରମ୍ପ
30/11/2020 at 5:11 PM

ୱାସିଂଟନ : ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ପଡିଯିବାରୁ ତାଙ୍କ ଗୋଡରେ ଆଘାତ ଲାଗିଛି। ଏବେ ତାଙ୍କୁ ଚଲାଫେରା ଲାଗି ୱାକିଂ ବୁଟର ଆବଶ୍ୟକତା ପଡିବ ବୋଲି ଡାକ୍ତରମାନେ ସୋମବାର କହିଛନ୍ତି। ଗତ ଶନିବାର ବାଇଡେନ ଗତ ଶନିବାର ଘରେ ପୋଷା କୁକୁର ମେଜର ସହ ଖେଳୁଥିବା ବେଳେ ପାଦ ଖସିଯିବାରୁ ପଡିଯାଇଥିଲେ। ଏଥିରେ ତାଙ୍କ ଗୋଡ ମୋଡି ହୋଇଯାଇଥିଲା।

ବାଇଡେନଙ୍କ ତୁରନ୍ତ ଚିକିତ୍ସା କରାଯାଇଥିଲା। ଏକ୍ସ-ରେରୁ ଗୋଡରେ ଫାକ୍ଚର ନଥିବା ପ୍ରଥମେ ଜଣାପଡିଥିଲା। ତେବେ ଡାକ୍ତରମାନେ ପରେ ସିଟି ସ୍କାନ କରାଇବାରୁ ଗୋଡରେ ସାମାନ୍ୟ ଫାକ୍ଚର ଥିବା ଦେଖାଯାଇଛି । ଏଣୁ ଡାକ୍ତରମାନେ ତାଙ୍କର ଉପଚାର କରିଦେଇଛନ୍ତି। ତେବେ ତାଙ୍କୁ ଚାଲବୁଲ କରିବା ଲାଗି ଆଗାମୀ କେତେ ସପ୍ତାହ ପର୍ଯ୍ୟନ୍ତ ୱାକିଂ ବୁଟର ସାହାରେ ନେବାକୁ ପଡିବ ବୋଲି ଜିଡବ୍ଲୁ ମେଡିକଲ ଫାକଲ୍ଟି ଆସୋସିଏଟସ୍ ନିର୍ଦ୍ଦେଶକ ଡା.ଓକୋନ୍ନର କହିଛନ୍ତି।

ଡେମୋକ୍ରାଟ ରାଷ୍ଟ୍ରପତି ଜୋ ବାଇଡେନ ଗତ ନଭେମ୍ବର ୨୦ ତାରିଖ ଦିନ ତାଙ୍କର ୭୮ତମ ଜୟନ୍ତୀ ପାଳନ କରିଛନ୍ତି। ଆସନ୍ତା ଜାନୁୟାରୀ ମାସରେ ସେ ପ୍ରେସିଡେନ୍ସିଆଲ ୱେଲକମରେ ଦେଶର ସବୁଠୁ ବୟୋଜ୍ୟେଷ୍ଠ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ତେବେ ତା ପୂର୍ବରୁ ଏହି ସାମାନ୍ୟ ଦୁର୍ଘଟଣା ଏବେ ତାଙ୍କ ଲାଗି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ବାଇଡେନ ଆହତ ହୋଇଥିବା ଜାଣିବା ପରେ ରିପବ୍ଲିକାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟ୍ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
Get well soon! https://t.co/B0seiO84ld
— Donald J. Trump (@realDonaldTrump) November 30, 2020
ତେବେ ରାଷ୍ଟ୍ରପତି ହେବା ଲାଗି ଜୋ ବିଡେନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ତାଙ୍କ ଡାକ୍ତର କହିଛନ୍ତି। ସ୍ୱାସ୍ଥ୍ୟ ରିପୋର୍ଟ ଅନୁସାରେ ବାଇଡେନ ମଦ୍ୟ ଅଥବା କୌଣସି ପ୍ରକାର ତମ୍ବାଖୁ ସେବନ କରନ୍ତି ନାହିଁ। ସେ ସପ୍ତାହକୁ ୫ ଦିନ ବ୍ୟାୟାମ କରନ୍ତି। ସେ ଏସିଡ ରିଫ୍ଲକ୍ସ, କୋଲେଷ୍ଟରଲ ଓ ଋତୁକାଳୀନ ଏଲର୍ଜିରୁ ନିଜକୁ ସୁସ୍ଥ ରଖିବା ଲାଗି ବ୍ଲଡ ଥିନର ଓ ଅନ୍ୟ ଔଷଧ ସେବନ କରୁଛନ୍ତି।

ବାଇଡେନ ୨୦୧୮ ମସିହାରେ ମେଜରକୁ ଘରକୁ ନେଇଥିଲେ। ଏହା ଏକ ଜର୍ମାନ ସେଫର୍ଡ ପ୍ରଜାତିର କୁକୁର। ତାଙ୍କ ପାଖରେ ଚାମ୍ପ ନାମରେ ଆଉ ଏକ କୁକୁର ମଧ୍ୟ ଅଛି ଯାହାକୁ ବାଇଡେନ ଦମ୍ପତ୍ତି ୨୦୦୮ ମସିହାରେ ଉପରାଷ୍ଟ୍ରପତି ନିର୍ବାଚିତ ହେବା ପୂର୍ବରୁ ଘରକୁ ନେଇଥିଲେ। ବାଇଡେନ ଦମ୍ପତ୍ତି ଏବେ ସେମାନଙ୍କର ଦୁଇ କୁକୁରଙ୍କୁ ହ୍ୱାଇଟ୍ ହାଉସ୍ ନେବା ଲାଗି ଯୋଜନା କରୁଛନ୍ତି।