ଜିନେଭା ସମ୍ମିଳନୀ: ହାତ ମିଶିଲା, କଣ ମନ ମିଶିବ ? ପ୍ରଥମ ଥର ପରସ୍ପରକୁ ଭେଟିଲେ ପୁଟିନ-ବାଇଡେନ୍

Published By : Prameya-News7 Bureau | June 16, 2021 IST

ଜେନେଭା ୧୬।୦୬: ବିଶ୍ଵ ରାଜନୀତିରେ ପରସ୍ପରର ଚିର ବିରୋଧୀ ଆମେରିକା ରାଷ୍ଟ୍ରପତି ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ଜିନେଭାରେ ଶିଖର ସମ୍ମିଳନୀ ଆରମ୍ଭ ହୋଇ ଯାଇଛି। ହସ ହସ ଚେହେରାରେ ଦୁଇ ନେତା ଜୋ ବାଇଡେନ୍ ଓ ଭ୍ଲାଦିମିର ପୁଟିନ ପରସ୍ପର ସହ ହାତ ମିଳାଇ ସମ୍ମିଳନୀ ଆରମ୍ଭ କରିଛନ୍ତି। ପୂରା ଦୁନିଆର ନଜର ଏବେ ଦୁଇ ମହାଶକ୍ତିଙ୍କ ଏହି ବୈଠକ ଉପରେ ରହିଛି। ଆଶା କରାଯାଉଛି ଏହି ସାକ୍ଷାତରେ ଦୁଇ ନେତା ଅନେକ ବିବାଦୀୟ ପ୍ରସଙ୍ଗରେ ସମାଧାନର ମାର୍ଗ ବାହାର କରିବାକୁ ଚେଷ୍ଟା କରିବେ।

ଆମେରିକାର ରାଷ୍ଟ୍ରପତି ହେବା ପରେ ବାଇଡେନ୍‌ଙ୍କ ପୁଟିନଙ୍କ ସହ ଏହା ପ୍ରଥମ ସାକ୍ଷାତ। ଏହା ପୂର୍ବରୁ ବାଇଡେନ ବାରାକ ଓବାମାଙ୍କା କାର୍ଯ୍ୟକାଳରେ ଉପ ରାଷ୍ଟ୍ରପତି ଥିବା ବେଳେ ପୁଟିନଙ୍କୁ ସାକ୍ଷାତ କରିଥିଲେ। ୨୦୧୧ରେ ହୋଇଥିବା ଏହି ସାକ୍ଷାତ ବେଳେ ପୁଟିନ ରୁଷର ପ୍ରଧାନମନ୍ତ୍ରୀ ଥିଲେ। ସେହି ସମୟରେ ବି ବାଇଡେନ୍ ଆମେରିକା ଫେରିବା ପରେ ପୁଟିନଙ୍କ ସମାଲୋଚନା କରିଥିଲେ।

ଚରମ ଉତ୍ତେଜନା ମଧ୍ୟରେ ଏହି ବୈଠକ

ଏହି ବୈଠକ ଏମିତି ସମୟରେ ହେଉଛି, ଯେଉଁ ସମୟରେ ଦୁଇ ଦେଶର ନେତା ଚିନ୍ତା କରୁଛନ୍ତି ଯେ, ଆମେରିକା ଓ ରୁଷ ସମ୍ଵନ୍ଧ ପୂର୍ବାପେକ୍ଷା ସେତେ ଖରାପ ନୁହେଁ। ଗତ ଚାରି ମାସରେ ଦୁଇ ନେତା ପରସ୍ପର ପ୍ରତି ଶାଣିତ ସ୍ଵରରେ ବୟାନବାଜି କରିଥିଲେ। ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷ ହ୍ୟାକର ଦ୍ଵାରା ସାଇବର ହମଲାକୁ ନେ ପୁଟିନ୍‌ଙ୍କୁ ଅନେକ ଥର ଟାର୍ଗେଟ୍ କରିଛନ୍ତି। ଅନ୍ୟପଟେ ପୁଟିନ୍ କହି ସାରିଛନ୍ତି ଯେ, ତାଙ୍କ ଦେଶ ନା ଆମେରିକା ନିର୍ବାଚନରେ ହସ୍ତକ୍ଷେପ କରିଛି ନା କୌଣସି ପ୍ରକାରର ସାଇବର ଆକ୍ରମଣ କରିଛି।

ଶିଖର ସମ୍ମିଳନୀର ରୂପ ରେଖ

ପ୍ରଥମ ପର୍ଯ୍ୟାୟରେ ବାଇଡେନ, ପୁଟିନ, ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି କ୍ଲିଣ୍ଟନ ଓ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ଅନୁଷ୍ଠିତ ହେବ। ପ୍ରତି ପକ୍ଷଙ୍କ ସହ ଜଣେ ଜଣେ ଅନୁବାଦକ ରହିବେ। ଏହା ପରେ ଦୁଇ ପକ୍ଷରୁ ପାଞ୍ଚ ଜଣ ଲେଖାଏଁ ବରିଷ୍ଠ ସହଯୋଗୀ ବୈଠକରେ ସାମିଲ ହେବେ। କିନ୍ତୁ ବାଇଡେନ୍ ଓ ପୁଟିନଙ୍କ ବୈଠକର ପୂରା ସୂଚନା ସାର୍ବଜନୀନ କରାଯିବ ନାହିଁ।

ଏହି ପ୍ରସଙ୍ଗରେ ହୋଇପାରେ ଆଲୋଚନା

ଏହି ବୈଠକ ସମୟରେ ଆମେରିକା ଓ ରୁଷ ମଧ୍ୟରେ କାରବାର ଏବଂ ଅସ୍ତ୍ର ଶସ୍ତ୍ର ନିୟନ୍ତ୍ରଣ ପରି ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଏହା ବ୍ୟତୀତ ଶିଖର ସମ୍ମିଳନୀରେ ସାମରିକ ସ୍ଥିରତା, ସାଇବର ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, କରୋନା ଭାଇରସ୍ ମହାମାରୀ ଓ ଆର୍କଟିକ ପରି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରେ। ପୁଟିନ ଓ ବାଇଡେନ୍ ୟୁକ୍ରେନ, ସିରିଆ ଓ ଲିବ୍ୟା ପରି ଆଞ୍ଚଳିକ ସଙ୍କଟ ଉପରେ ମଧ୍ୟ କଥାବାର୍ତ୍ତା ହୋଇ ପାରନ୍ତି। ଏଥିସହ ଇରାନ ପରମାଣୁ କାର୍ଯ୍ୟକ୍ରମ ଓ ଆଫଗାନିସ୍ତାନ ଉପରେ ମଧ୍ୟ ବିଚାର ବିମର୍ଶ କରି ପାରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.