ରାଜ୍ୟର ସବୁଠାରୁ ମହଙ୍ଗା ମଧୁଶାଳା: ମଦ ଦୋକାନ ଲାଇସେନ୍ସ ପାଇଁ ଗୋଟିଏ ପରିବାରର ଦୁଇ ମହିଳାଙ୍କ ମଧ୍ୟରେ ଲାଗିଲା ବୋଲି, ୫୧୦ କୋଟିରେ ଫାଇନାଲ

Published By : Prameya-News7 Bureau | March 07, 2021 IST

ହନୁମାନଗଡ ୦୭/୦୩ : ରାଜସ୍ଥାନ ହନୁମାନଗଡ ଜିଲ୍ଲାର ଏକ ଗାଁରେ ମଦ ଦୋକାନ ଲାଇସେନ୍ସ ନେବାକୁ ୫୧୦ କୋଟିର ବୋଲି ଲାଗିଛି। ମଦ ଦୋକାନ ଲାଇସେନ୍ସ ପାଇଁ ରାଜ୍ୟରେ ଏହା ସବୁଠାରୁ ମହଙ୍ଗା ବୋଲି। ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି। ରାଜ୍ୟରେ ମଦ ଦୋକାନ ଲାଇସେନ୍ସ ପାଇଁ ଅନଲାଇନ ନିଲାମୀ ପ୍ରକ୍ରିୟା ବେଳେ ହନୁମାନଗଡ ଜିଲ୍ଲା ନୋହର ତହସିଲ ଖୁଇୟାଂ ଗାଁରେ ଏକ ମଦ ଦୋକାନ ଲାଇସେନ୍ସ ପାଇଁ ୫୧୦ କୋଟି ୧୦ ଲକ୍ଷ ୧୫ ହଜାର ୪୦୦ ଟଙ୍କା ଲାଗିଛି। ଅବକାରୀ ବିଭାଗ ଏହି ଦୋକାନର ରିଜର୍ଭ ପ୍ରାଇଜ ୭୨ ଲକ୍ଷ ଟଙ୍କା ରଖିଥିଲେ।

ଗତ ବର୍ଷ ଏହି ଦୋକାନ ଲାଇସେନ୍ସ ୬୫ ଲକ୍ଷ ଟଙ୍କା ଛୁଇଁଥିଲା। କିନ୍ତୁ ଏଥର ୫୧୦ କୋଟି ବୋଲି ଲାଗିଥିବା ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମଦ ଦୋକାନ ଲାଇସେନ୍ସ ପାଇଁ ଏହା ରାଜ୍ୟର ସବୁଠାରୁ ମାହାଙ୍ଗା ବୋଲି। ଅବକାରୀ ଅଧିକାରୀ ଚି଼ମନଲାଲ ମିଣା କହିଛନ୍ତି ଯେ ବୋଲି ଲଗାଇଥିବା କିରଣ କିମ୍ବରଙ୍କୁ ଡିମାଣ୍ଡ ନୋଟିସ ପଠାଇ ଦିଆଯାଇଛି। ତାଙ୍କୁ ୩ ଦିନ ଭିତରେ ଟଙ୍କା ଜମା କରିବାକୁ ପଡିବ।

ଅବକାରୀ ଅଧିକାରୀଙ୍କ କହିବାନୁସାରେ, ପ୍ରିୟଙ୍କା କମ୍ବର ମଧ୍ୟ ବୋଲି ଲଗାଇଥିଲେ। ସେ ଦ୍ୱିତୀୟ ସ୍ଥାନରେ ଥିଲେ। ଲାଇସେନ୍ସ ପାଇଁ ଦୁଇ ପରିବାର ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା। ଦୁଇ ପରିବାର ମଧ୍ୟରେ ଚାଲିଥିବା ପ୍ରତିଦ୍ବନ୍ଦିତା ଯୋଗୁଁ ବୋଲି ରେକର୍ଡ ସ୍ଥରରେ ପହଞ୍ଚିଛି ବୋଲି କୁହାଯାଉଛି। ଲାଇସେନ୍ସ ଯେମିତି କାହାକୁ ନ ମିଳୁ ସେଥିପାଇଁ ଏତେ ଟଙ୍କା ନିଲାମୀ ଡକାଯାଇଥିଲା ବୋଲି ମଧ୍ୟ କୁହାଯାଉଛି। କାରଣ ସେତିକି ରାଶି ଜମା ନ କଲେ ଜମା ରାଶି ଜବତ କରିବାର ପ୍ରାବଧାନ ରହିଛି। ଯାହାଫଳରେ ସରକାରଙ୍କୁ ପୁନଃ ଲାଇସେନ୍ସ ପାଇଁ ନିଲାମୀ ଡାକିବାକୁ ପଡିବ। ବର୍ତ୍ତମାନ ଠିକାଦାର ଯଦି ଏତେ ବଡ ରାଶି ଜମା କରନ୍ତି ତାହେଲେ ଏହା ରାଜ୍ୟର ସବୁଠାରୁ ମାହାଙ୍ଗା ମଦ ଦୋକାନ ହୋଇଯିବ। ମାମଲାକୁ ନେଇ ଖୁବ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.