ଆଇସିସି ପ୍ଲେୟାର ଅଫ୍ ଦ ମନ୍ଥ ଆଓ୍ଵାର୍ଡ ପାଇଁ ଭୁବନେଶ୍ଵର କୁମାର ମନୋନୀତ, ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ କରିଥିଲେ ଘାତକ ବୋଲିଂ

Published By : Prameya-News7 Bureau | April 08, 2021 IST

ନୂଆଦିଲ୍ଲୀ ୦୮।୦୪: ଭାରତର ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ଵର କୁମାର ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ଦମଦାର ବୋଲିଂ କାରଣରୁ ଆଇସିସିର ମାର୍ଚ୍ଚ ମାସର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଭୁବନେଶ୍ଵର କୁମାରଙ୍କ ବ୍ୟତୀତ ପୁରୁଷ ବର୍ଗରେ ଆଫଗାନିସ୍ତାନର ରଶିଦ ଖାନ ଓ ଜିମ୍ବାଓ୍ଵେର ସିନ ଓ୍ଵିଲିୟମସନ ମାସର ସର୍ବଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ ହୋଇଛନ୍ତି। ମହିଳା ବର୍ଗରେ ଭାରତର ରାଜେଶ୍ଵରୀ ଗାଏକୋଓ୍ଵାଡ, ପୁନମ ରାଉତ ଓ ଦକ୍ଷିଣ ଆଫ୍ରିକାର ଲିଜଲେ ଲି ସାମିଲ।

ଗତ ମାସରେ ଭୁବନେଶ୍ଵର କୁମାର ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଦମଦାର ପ୍ରଦର୍ଶନ କରି ୪.୬୫ ହାରରେ ଛଅ ଓ୍ଵିକେଟ୍ ନେଇଥିଲେ। ସେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୬.୩୮ ହାରରେ ଚାରୋଟି ଓ୍ଵିକେଟ୍ ନେଇଥିଲେ। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ସୀମିତ ଓଭର କ୍ରିକେଟ୍‌ରେ ଦୁଇ ଦଳ ପକ୍ଷରୁ ସର୍ବଶ୍ରେଷ୍ଠ ବୋଲର ରହିଥିଲେ।

ଅନ୍ୟପଟେ ରଶିଦ ଖାନ ଜିମ୍ବାଓ୍ଵେ ବିପକ୍ଷ ଦ୍ଵିତୀ୍ୟ ଟେଷ୍ଟରେ ୧୧ ଓ୍ଵିକେଟ୍ ନେଇ ଦଳ ବିଜୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏଥିସହ ଟି-୨୦ ସିରିଜ୍‌ରେ ଦଳର ୩-୦ ସିରିଜ୍ ବିଜୟରେ ୬ ଓ୍ଵିକେଟ୍ ନେଇଥିଲେ। ଜିମ୍ବାଓ୍ଵେର ସିନ୍ ଓ୍ଵିଲିୟମସନ ଆଫଗାନିସ୍ତାନ ବିପକ୍ଷ ଦୁଇ ଟେଷ୍ଟ ମ୍ୟାଚ୍ ସିରିଜ୍‌ରେ ମୋଟ୍ ୨୬୪ ରନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.