'ପ୍ଲେୟାର ଅଫ ଦ ମନ୍ଥ ଆଓ୍ଵାର୍ଡ' ଜିତିଲେ ଭୁବନେଶ୍ଵର କୁମାର, ପଛରେ ରହିଗଲେ ଏହି ଖେଳାଳି

Published By : Prameya-News7 Bureau | April 13, 2021 IST

ନୂଆଦିଲ୍ଲୀ ୧୩।୦୪: 'ପ୍ଲେୟାର ଅଫ ଦ ମନ୍ଥ ଆଓ୍ଵାର୍ଡ'ରେ ଭାରତୀୟ ଖେଳାଳିଙ୍କ ଦବ୍‌ଦବା।  ମାର୍ଚ୍ଚ ମାସ ପାଇଁ 'ପ୍ଲେୟାର ଅଫ ଦ ମନ୍ଥ ଆଓ୍ଵାର୍ଡ' ଜିତିଲେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ଵର କୁମାର। ଏନେଇ ମଙ୍ଗଳବାର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ଘୋଷଣା କରିଛି। ଅନ୍ୟପଟେ ମହିଳା ବର୍ଗରେ ଦକ୍ଷିଣ ଆଫ୍ରିକାର ଲିଜେଲ୍ ଲି 'ପ୍ଲେୟାର ଅଫ ଦ ମନ୍ଥ ଆଓ୍ଵାର୍ଡ' ଜିତିଛନ୍ତି। ଭାରତୀୟ ପ୍ରଶଂସକଙ୍କ ପାଇଁ ଏହା ଗର୍ବର ବିଷୟ ଯେ, କ୍ରମାଗତ ତୃତୀୟ ଥର କୌଣସି ଭାରତୀୟ ଖେଳାଳି ଏହି ଆଓ୍ଵାର୍ଡ ଜିତିଛନ୍ତି। ଭୁବନେଶ୍ଵର କୁମାରଙ୍କ ପୂର୍ବରୁ ରବିଚନ୍ଦ୍ରନ ଅଶ୍ଵିନ ଓ ଋଷଭ ପନ୍ତ ଏହି ପୁରସ୍କାର ଜିତିଛନ୍ତି।

ଏହି ପୁରସ୍କାର ଜିତିବା ପରେ ଭୁବନେଶ୍ଵର କୁମାର କହିଛନ୍ତି, ଦୀର୍ଘ ଦିନର ବ୍ୟବଧାନ ପରେ ଭାରତୀୟ ଦଳ ପକ୍ଷରୁ ଖେଳି ମୁଁ ବହୁତ ଖୁସି। ଏହି ସମୟରେ ମୁଁ ନିଜର ଫିଟନେସ୍‌ ଓ କ୍ଷମତା ଉପରେ କାମ କରିଛି। ମୁଁ ନିଜ ଦେଶ ପାଇଁ ଓ୍ଵିକେଟ୍ ନେଇ ଖୁସି। ମୁଁ ନିଜର ପରିବାର, ସାଙ୍ଗ ଓ ସାଥୀଙ୍କୁ ଧନ୍ୟବାଦ ଦେଉଛି। ଆଇସିସି ଭୋଟିଂ ଏକାଡେମୀକୁ ମୋର ବିଶେଷ ଧନ୍ୟବାଦ। ଏଥିସହ ଭୋଟ୍ କରିଥିବା ଲୋକଙ୍କୁ ଧନ୍ୟବାଦ, ଯେଉଁମାନେ ମୋତେ ମାର୍ଚ୍ଚ ମାସର 'ପ୍ଲେୟାର ଅଫ ଦ ମନ୍ଥ ଆଓ୍ଵାର୍ଡ' ବନାଇଛନ୍ତି।

ଗତ ମାସରେ ଭୁବନେଶ୍ଵର କୁମାର ଇଂଲଣ୍ଡ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ସେ ୪.୬୫ ହାରରେ ୬ ଓ୍ଵିକେଟ୍ ନେଇଥିଲେ। ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ ଖେଳିଥିଲେ। ସେ ୬.୩୮ ହାରରେ ୪ ଓ୍ଵିକେଟ୍ ନେଇଥିଲେ। ଭାରତ ଓ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜ୍‌ରେ ସେ ଦୁଇ ଦଳ ପକ୍ଷରୁ ସର୍ବଶ୍ରେଷ୍ଠ ବୋଲର ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.