ଭୁଟ୍ଟାନ ଅଟକାଇଦେଲା ଭାରତର ପାଣି: ଆସାମ ଉପରେ ପ୍ରଭାବ, କୃଷକଙ୍କ ବିକ୍ଷୋଭ

Published By : Prameya-News7 Bureau | June 25, 2020 IST

ଗୌହାଟୀ, ୨୫|୦୬:  ଭାରତ ଓ ଚୀନ ମଧ୍ୟରେ ଗତ କିଛିଦିନ ଧରି ଏଲଏସିରେ ଉତ୍ତେଜନା ଲାଗି ରହିଛି । ଏହା ମଧ୍ୟରେ ଭାରତର ପଡୋଶୀ ଦେଶ ଭୁଟ୍ଟାନ ଆସାମର ସୀମାବର୍ତ୍ତୀ ଅଞ୍ଚଳରେ କୃଷି କାର୍ଯ୍ୟରେ ଉପଯୋଗ ହେଉଥିବା ପାଣିକୁ ରୋକି ଦେଇଛି । ଭୁଟ୍ଟାନ ସରକାରଙ୍କ ଏହି ନିଷ୍ପତ୍ତି ପରେ ଆସାମର ହଜାର ହଜାର ପରିବାର ପ୍ରଭାବିତ ହୋଇଛନ୍ତି । ତେବେ କରୋନା ଲକଡାଉନ୍ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଭୁଟ୍ଟାନ କହିଛି ।

ଭୁଟ୍ଟାନର ଏହି ନିଷ୍ପତ୍ତିକୁ ବିରୋଧ କରି ହଜାର ହଜାର କୃଷକ ଆସାମ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ସରକାର ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ଦାବି କରିଛନ୍ତି ।

ପାଣି ନଆସିବାରୁ ଆସାମ ସୀମାବର୍ତ୍ତୀ ଅଞ୍ଚଳରେ କୃଷିକାର୍ଯ୍ୟ ପ୍ରଭାବିତ ହୋଇଛି । ପ୍ରାୟ ୬ ହଜାର ପରିବାର କୃଷିକାର୍ଯ୍ୟ କରିପାରି ନାହାଁନ୍ତି । ପ୍ରାୟ ୨୫ଟି ଗ୍ରାମର କୃଷକ ଭୁଟାନ ସରକାର ବିରୋଧରେ ନାରାବାଜି କରିଛନ୍ତି । ଏହାସହ ଭାରତ-ଭୁଟାନକୁ ଯୋଗାଯୋଗ କରୁଥିବା ରାସ୍ତାରୁ ଅବରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ୧୯୫୩ରୁ ଭୁଟ୍ଟାନ ଆସାମ ସୀମାବର୍ତ୍ତୀ ଅଞ୍ଚଳରେ ପାଣି ଉପଲବ୍ଧ କରିଥାଏ । କାଳନ୍ଦୀ ନଦୀରୁ ପାଣି ଭାରତୀୟ ସୀମାରେ ପ୍ରବେଶ କରିଥାଏ । ଏବେ ଭୁଟ୍ଟାନ  ସରକାର ଲକଡାଉନ୍ ଲାଗୁ କରି ପାଣିକୁ ରୋକିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.