କୃଷି ଆଇନ୍ ଉପରେ ସୁପ୍ରିମକୋର୍ଟର କମିଟିରୁ ଓହରିଲେ ଭୂପିନ୍ଦର ସିଂହ ମାନ, କହିଲେ- କୃଷକଙ୍କ ହିତ ସହ ସାଲିସ୍ କରି ପାରିବି ନାହିଁ
14/01/2021 at 4:20 PM

ନୂଆଦିଲ୍ଲୀ ୧୪।୦୧: ନୂତନ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଦ୍ଵାରା ଗଠିତ ଚାରି ସଦସ୍ୟ ବିଶିଷ୍ଟ କମିଟିରୁ ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ସଭାପତି ତଥା ଅଖିଳ ଭାରତୀୟ କିଷାନ ସମନ୍ଵୟ କମିଟିର ସଭାପତି ଭୂପିନ୍ଦର ସିଂହ ମାନ ନିଜକୁ ଅଲଗା କରି ଦେଇଛନ୍ତି। ଭୂପିନ୍ଦରଙ୍କ ନାମକୁ ନେଇ ଆରମ୍ଭରୁ ବିବାଦ ଆରମ୍ଭ ହୋଇଥିଲା। ଆନ୍ଦୋଳନରତ କୃଷକ ସଂଗଠନଙ୍କ ମତରେ ଭୂପିନ୍ଦର ସିଂହ ମାନ ପ୍ରଥମରୁ ହିଁ ତିନି କୃଷି ଆଇନ୍ର ସମର୍ଥନ କରି ସାରିଛନ୍ତି।
ଭୂପିନ୍ଦର ସିଂହ ମାନ କମିଟିରେ ତାଙ୍କୁ ସଦସ୍ୟ ଭାବେ ସାମିଲ କରା ଯାଇଥିବାରୁ ସୁପ୍ରିମକୋର୍ଟ ପ୍ରତି କୃତଜ୍ଞତା ଜଣାଇଛନ୍ତି। ସେ ଏହା ମଧ୍ୟ ଲେଖିଛନ୍ତି ଜଣେ କୃଷକ ଓ ସଂଗଠନ ନେତା ହୋଇଥିବାରୁ ସେ ଭଲ ଭାବେ କୃଷକଙ୍କ ଭାବନା ଓ ବ୍ୟଥାକୁ ବୁଝିଛି। ମୁଁ ନିଜର କୃଷକ ଭାଇ ଓ ପଞ୍ଜାବ ପ୍ରତି ବିଶ୍ଵସ୍ତ ରହିଛି। ସେମାନଙ୍କ ହିତରେ କୌଣସି ପ୍ରକାରର ସାଲିସ୍ କରାଯାଇ ପାରିବ ନାହିଁ। ମୁଁ ଏଥିପାଇଁ ଯେତେ ବଡ ପଦ କିମ୍ବା ସମ୍ମାନକୁ ବଳି ଚଢାଇବାକୁ ପ୍ରସ୍ତୁତ। ମୁଁ ମାନ୍ୟବାର ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ଦିଆଯାଇଥିବା ଦାୟିତ୍ଵ ସଂପାଦନ କରି ପାରିବି ନାହିଁ। ମୁଁ ନିଜେ ଏହି କମିଟିରୁ ଓହରି ଯାଉଛି।
Bhupinder Mann, a member of the SC-formed committee over #FarmLaws, recuses himself from it.
— ANI (@ANI) January 14, 2021
"In view of prevailing sentiments & apprehensions amongst farm unions & public, I'm ready to sacrifice any position so as not to compromise Punjab & farmers' interests," his letter reads
ମାନ ନିଜକୁ ଅଲଗା କରିବା ପରେ କମିଟିରେ ଏବେ ସଦସ୍ୟଙ୍କ ସଂଖ୍ୟା ୩କୁ ହ୍ରାସ ପାଇଛି। ଏଥିରେ ଅନ୍ତରାଷ୍ଟ୍ରୀୟ ଖାଦ୍ୟ ନୀତି ଅନୁସନ୍ଧାନ ସଂସ୍ଥାନର ଡ. ପ୍ରମୋଦ କୁମାର ଯୋଶୀ, କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି ଓ ଶେତକାରୀ ସଂଗଠନର ସଭାପତି ଅନିଲ ଧନବତ ସାମିଲ।
କିଏ ଭୂପିନ୍ଦର ସିଂହ ମାନ ?
ସୁପ୍ରିମକୋର୍ଟ କୃଷକ ଏବଂ ସରକାର ମଧ୍ୟରେ ଜାରି ଗତିରୋଧକୁ ସମାପ୍ତ କରିବା ସହିତ ସମାଧାନର ରାସ୍ତା ବାହାର କରିବା ପାଇଁ ଚାରି ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛନ୍ତି। ଭୂପିନ୍ଦର ସିଂହ ମାନ ଭାରତୀୟ କିଷାନ ୟୁନିୟନର ସଭାପତି ଏବଂ ପୂର୍ବତନ ରାଜ୍ୟସଭା ସାଂସଦ। କୃଷକ ସଂଘର୍ଷରେ ତାଙ୍କର ଯୋଗଦାନକୁ ଦୃଷ୍ଟିରେ ରଖି ୧୯୯୦ରେ ରାଷ୍ଟ୍ରପତିଙ୍କ ପକ୍ଷରୁ ମାନଙ୍କୁ ରାଜ୍ୟସଭାର ସଦସ୍ୟ ଭାବେ ମନୋନୀତ କରାଯାଇଥିଲା।