‘ବହୁତ ଜଲଦି ପୂର୍ବତନ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ’- ଭୁପେଶ ବଘେଲ
25/02/2021 at 9:43 AM

ନୂଆଦିଲ୍ଲୀ,୨୫/୦୨: ଗୁଜୁରାଟର ମୋଟେରା ଷ୍ଟାଡିୟମର ନାଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ପରିବର୍ତ୍ତନକୁ ନେଇ ବିବାଦ ଜାରି ରହିଛି । ବିରୋଧୀ ଦଳ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । କଂଗ୍ରେସର ଜାତୀୟସ୍ତରୀୟ ନେତାଙ୍କ ପରେ ଏବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମୋଦୀଙ୍କ ଆସନ ଅତିଶୀଘ୍ର ଚାଲିଯିବ ବୋଲି କହିଛନ୍ତି । ଏନେଇ ଲକ୍ଷଣ ଦେଖାଯିବା ଆରମ୍ଭ ହେଲାଣି ବୋଲି ମଧ୍ୟ ସେ କହିଛନ୍ତି ।
ଭୁପେଶ ବଘେଲ କହିଛନ୍ତି ଯେ, ଏହା ବିଜେପିର ପରମ୍ପରା । ଯେବେ ଅଟଳ ବିହାରୀ ବାଜପେୟୀ ଜୀବିତ ଥିଲେ ତାଙ୍କ ନାଁରେ ଅଟଳ ଚୌକ ନିର୍ମାଣ ହୋଇଥିଲା । ଏହାପରେ ସେ ଆଉ ପ୍ରଧାନମନ୍ତ୍ରୀ ରହିନଥିଲେ । ଏବେବି ତାଙ୍କ ନାମରେ ଅଟଳ ଚୌକ ରହିଛି । ଅର୍ଥାତ ମୋଦୀ ଅତିଶୀଘ୍ର ଅଟଳ ବାଜପେୟୀଙ୍କ ଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ହୋଇଯିବେ ।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଚ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ଯେ, ସତ ବହୁତ ଭଲରେ ସାମ୍ନାକୁ ଆସିଯାଏ । ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ଅଦାନୀ ଏବଂ ରିଲାଏନ୍ସ ଏବଂ ଜୟ ଶାହଙ୍କ ଅଧ୍ୟକ୍ଷତାରେ ଏହା ତିଆରି ହୋଇଛି ବୋଲି ସେ କହିଛନ୍ତି ।
ଗୁଜୁରାଟର କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ମଧ୍ୟ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନାଁରେ ଥିଲା । ଏହାକୁ ନରେନ୍ଦ୍ର ମୋଦୀ ଷ୍ଟାଡିୟମ କରାଯାଇଛି । ଏହା ସର୍ଦ୍ଦାର ପଟେଲଙ୍କ ପ୍ରତି ଅପମାନ ଅଟେ । ସର୍ଦ୍ଦାର ପଟେଲଙ୍କ ନାଁରେ ଭୋଟ୍ ମାଗୁଥିବା ବିଜେପି ଏବେ ତାଙ୍କୁ ହିଁ ଅପମାନ କରୁଛି । ଗୁଜୁରାଟବାସୀ ଏହି ଅପମାନ ସହିବେ ନାହିଁ ବୋଲି ସେ କହିଛନ୍ତି ।