ରାମ ମନ୍ଦିର ନିର୍ମାଣ ପାଇଁ ଜୁଲାଇ ୨ରେ ଭୂମି ପୂଜନ, ସାମିଲ୍ ହେବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 17, 2020 IST

ନୂଆଦିଲ୍ଲୀ ୧୭।୦୬: ରାମଜନ୍ମଭୂମି ପରିସରରେ ବିରାଜମାନ ରାମଲଲାଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଜୁଲାଇ ୨ରେ ସକାଳ ୮ଟାରୁ ୧୦ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବ। କରୋନା କାରଣରୁ ଦେଶର ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଆୟୋଜନରେ ସାମିଲ ହେବେ।  ଭୂପି ପୂଜନ ପରେ ନିଜର ସନ୍ଦେଶ ମଧ୍ୟ ଦେବେ।

ଜୁନ ୩ରେ ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟା ଆସିଥିବା ରାଷ୍ଟ୍ରୀୟ ସ୍ଵଂୟସେବକ ସଂଘର ସର କାର୍ଯ୍ୟବାହ ଭୈୟାଜୀ ଯୋଶୀ ରାମଜନ୍ମଭୂମି ପରିସରର ପବିତ୍ର ମାଟି ନିଜ ସହ ନେଇ ଫେରି ଯାଇଛନ୍ତି। ସେ ଏହି ମାଟିକୁ  ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ପହଞ୍ଚାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୧ରେ ନିର୍ଦ୍ଧାରିତ ମୁହୂର୍ତ୍ତରେ ମାଟି ପୂଜନ କରିବେ ଏବଂ ନିଜର ପ୍ରତିନିଧିତ୍ଵ ଓ ମନ୍ଦିର ନିର୍ମାଣ ସମିତିର ସଭାପତି ନୃପେନ୍ଦ୍ର ମିଶ୍ରଙ୍କ ହାତରେ ଉକ୍ତ ମାଟିକୁ ଅଯୋଧ୍ୟା ପଠାଇବେ। ଭୂମି ପୂଜନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାମଜନ୍ମଭୂମି ଟ୍ରଷ୍ଟର ପଦାଧିକାରୀ ଏବଂ ଅନ୍ୟ ସନ୍ଥ-ମହନ୍ତ ସାମିଲ ହେବେ। କୁହାଯାଉଛି ଯେ, ଶ୍ରୀ ରାମଜନ୍ମଭୂମି ମନ୍ଦିରରେ ରାମଲଲାଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହେବେ।

ଭୂମି ପୂଜନ ସହିତ ଫାଉଣ୍ଡେସନ ପାଇଁ ମାଟି ଖୋଳା  ଆରମ୍ଭ ହେବ

ବିଶ୍ଵ ହିନ୍ଦୁ ପରିଷଦର କେନ୍ଦ୍ରୀୟ ମନ୍ତ୍ରୀ ଅଶୋକ ତିଓ୍ଵାରୀ ବୁଧବାର କହିଛନ୍ତି ଯେ, ଜୁଲାଇ ୨ରେ ଭୂମି ପୂଜନ ସହିତ ରାମ ଜନ୍ମଭୂମିରେ ମନ୍ଦିରର ଫାଉଣ୍ଡେସନ ଲାଗି ମାଟି ଖୋଳା ଆରମ୍ଭ ହୋଇଯିବ। ମନ୍ଦିର ନିର୍ମାଣର ଏହି କାର୍ଯ୍ୟ ଏଲଆଣ୍ଡଟି କମ୍ପାନୀ ଜରିଆରେ ହେବ। ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ରାମମନ୍ଦିର ନିର୍ମାଣ ପାଁ ୧୯୮୯ ନଭେମ୍ବର ୯ରେ ଶିଳାନ୍ୟାସ୍ ହୋଇ ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.