ସେପ୍ଟେମ୍ୱର ୧ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ଅହମ୍ମଦାବାଦକୁ ଆରମ୍ଭ ହେବ ବିମାନସେବା

Published By : Prameya-News7 Bureau | August 30, 2018 IST

ଭୁବନେଶ୍ୱର ୩୦/୮: ଓଡ଼ିଶାର ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ଗୁଜରାଟର ଅହମଦାବାଦକୁ ଆରମ୍ଭ ହେବ ବିମାନସେବା। ପ୍ରତିଦିନ ମଧ୍ୟାହ୍ନ ୧୧ଟା ୫୦ ମିନିଟ୍‌ରେ ଭୁବନେଶ୍ୱରରୁ ବିମାନ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୨ଟା ୧୦ ମିନିଟ୍‌ରେ ଅହମଦାବାଦ୍‌ରେ ପହଞ୍ଚିବ। ସେହିଭଳି ଅହମଦାବାଦରୁ ସକାଳ ୮ଟା ୫୫ ମିନିଟ୍‌ରୁ ବାହାରି ଦିନ ୧୧ଟା ୨୦ ମିନିଟ୍‌ରେ ବିମାନ ଭୁବନେଶ୍ୱରରେ ପହଞ୍ଚିବ। ସେପଟେ ‘ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ’ ପକ୍ଷରୁ ‘ୱିଣ୍ଟର ସିଡ୍ୟୁଲ୍‌ ପ୍ଲାନ୍‌’ ଘୋଷଣା ହୋଇଛି। ନୂଆ ପ୍ଲାନ୍‌ ଅନୁଯାୟୀ, ଭୁବନେଶ୍ୱରରୁ ବିମାନ ଉଡ଼ାଣ ସଂଖ୍ୟା ୬୮ରେ ପହଞ୍ଚିବ। ବର୍ତ୍ତମାନ ସମୟରେ ଭୁବନେଶ୍ୱରରୁ ପ୍ରତିଦିନ ୪୨ଟି ଉଡ଼ାଣ ହେଉଛି। ନୂଆ ପ୍ଲାନ୍‌ରେ ଭୁବନେଶ୍ୱରରୁ କୋଏମ୍ବାଟୁରକୁ ମଧ୍ୟ ବିମାନସେବା ଆରମ୍ଭ ହେବ। ୱିଣ୍ଟର ସିଡ୍ୟୁଲ୍‌ରେ ‘ଉଡ଼ାନ୍‌’ ଯୋଜନାରେ ଆରମ୍ଭ ହେବାକୁ ଥିବା ବିମାନ ଉଡ଼ାଣ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଆରମ୍ଭ ହେବ। ‘ଉଡ଼ାନ୍‌’ ଯୋଜନାରେ ଭୁବନେଶ୍ୱରରୁ ରାୟପୁର, ରାଉରକେଲା ଓ ଝାରସୁଗୁଡ଼ାକୁ ଉଡ଼ାଣ ଆରମ୍ଭ ହେବ। ନୂଆ ପ୍ଲାନ୍‌ ଅନୁଯାୟୀ, ପ୍ରତ୍ୟହ ନୂଆଦିଲ୍ଲୀକୁ ୧୨ଟି, କୋଲକାତାକୁ ୧୭, ବେଙ୍ଗାଲୁକୁ ୧୫, ହାଇଦ୍ରାବାଦ୍, ମୁମ୍ବାଇ ଚେନ୍ନାଇକୁ ୫ଟି ଲେଖାଏଁ, ଅହମଦାବାଦ୍ ଓ ରାୟପୁରକୁ ଦୁଇଟି ତଥା ଭାଇଜାଗ୍, କୋଏମ୍ବାଟୁର, ଝାରସୁଗୁଡ଼ା, ରାଉରକେଲା ଓ କୁଆଲାଲାମ୍ପୁରକୁ ଗୋଟିଏ ଲେଖାଏଁ ବିମାନ ଚାଲିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.