ଫୋନିକୁ ପୂରିଲା ୭ଦିନ: ବିଜୁଳି , ପାଣି ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜଧାନୀର ଅବସ୍ତା କଣ ରହିଛି ଜାଣନ୍ତୁ

Published By : Prameya-News7 Bureau | May 10, 2019 IST

ଭୁବନେଶ୍ବର୧୦|୫: ବାତ୍ୟା ଫୋନିର ୭ଦିନ ପରେ କେମିତି ରହିଛି ରାଜଧାନୀର ହାଲ । କୋଉଠି କରେଣ୍ଟ୍‌ ଆଖି ମିଟିକା ମାରୁଛି ତ ଆଉ କୋଉଠି ଏବେ ବି ଚାଲିଛି ଅନ୍ଧାରି ରାଜ୍‌ । ଏସବୁ ଭିତରେ କିନ୍ତୁ ଭୁବନେଶ୍ବରରେ ସ୍ବାସ୍ଥ୍ୟସେବା ସ୍ବାଭାବିକ ହୋଇଛି । ପ୍ରମୁଖ ସରକାର ଓ ବେସରକାରୀ ହସ୍ପିଟାଲଗୁଡ଼ିକୁ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି । ସେପଟେ ନିଜର ଉଜୁଡ଼ା ସଂସାରକୁ ପୁଣି ଥରେ ସଜାଡ଼ିବାକୁ ଅଣ୍ଟା ଭିଡ଼ିଛନ୍ତି ବସ୍ତିବାସିନ୍ଦା । ହେଲେ ୧୫ଦିନ ତଳେ ଭୋଟ୍‌ ପାଇଁ ବସ୍ତିରେ ଚକ୍କର କାଟୁଥିବା ନେତା ମନ୍ତ୍ରୀଙ୍କର କିନ୍ତୁ ଦେଖା ମିଳୁନି । କ’ଣ ରହିଛି ରାଜଧାନୀର ହାଲ ଚାଲନ୍ତୁ ଦେଖିବା ଏଇ ରିପୋର୍ଟରେ ।   

{"id":110594}

ଫୋନି ମାଡ଼ରେ ଧ୍ବସ୍ତବିଧ୍ବସ୍ତ ସହର । ତା’ ଉପରେ ପୁଣି ଦାଉ ସାଧୁଛି ଭୀଷଣ ତାତି, ଗୁଳୁଗୁଳି । ବିଜୁଳି ନାହିଁ, ପାଣି ମିଳୁନି । ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ବିଜୁଳି, ଜଳଯୋଗାଣ ସ୍ବାଭାବିକ ହେବ ବୋଲି ଆଶ୍ବାସନା ଦେଉଛନ୍ତି ସରକାର । ହେଲେ ସ୍ଥିତିରେ ଆଖି ଦୃଶିଆ ସୁଧାର ଆସିନି । ଗୁରୁବାର ମାତ୍ର ୩୭ ପ୍ରତିଶତ ଉପଭୋକ୍ତାଙ୍କୁ ମିଳିଛି ବିଦ୍ୟୁତ୍‌ ସଂଯୋଗ । ବ୍ୟାପକ ଅଂଚଳ ଏବେ ବି ଅନ୍ଧାର । ସାରା ରାତି ଗରମ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେବା ପରେ ଲୋକେ କରେଣ୍ଟ ଆସିଯିବ ବୋଲି ଆଶା ବାନ୍ଧୁଛନ୍ତି । ହେଲେ ପୁଣି ଯୋଉ କଥାକୁ ସେଇ କଥା ।

{"id":110595}

ପାଣିପାଗ ବିଭାଗର ଆକଳନ ୧୨ଯାଏଁ ବଢ଼ିବ ତାତି । ସେପଟେ ସରକାର କହୁଛନ୍ତି ୧୨ ଭିତରେ ଭୁବନେଶ୍ବରରେ ୯୦ ପ୍ରତିଶତ ବିଦ୍ୟୁତ୍‌ ସେବା ସ୍ବାଭାବିକ ହେବ । ବର୍ତମାନ ସୁଦ୍ଧା ଭୁବନେଶ୍ବରରେ ୮୬ହଜାର ଘରୋଇ ଉପଭୋକ୍ତାଙ୍କୁ ବିଜୁଳି ମିଳିସାରିଛି । ହେଲେ ଦିନ ବେଳେ କାମ ପାଇଁ କରେଣ୍ଟ କାଟି ଦିଆଯାଉଥିବାରୁ ଗରମ ଗୁଳୁଗୁଳିରେ ଷଢ଼ୁଛନ୍ତି ଲୋକେ । ଭୁବନେଶ୍ବର ବିସିଡିଡି-୧ର ୪୪ ଫିଡର ଭିତରୁ ୩୭ଟି କାର୍ଯ୍ୟକ୍ଷମ ହୋଇଛି । ବାକି ୭ଟି ଫିଡର କାର୍ଯ୍ୟକ୍ଷମ ହେବ । କାମରେ ଲାଗିଛନ୍ତି ୩ହଜାର କର୍ମଚାରୀ । ଯୁଦ୍ଧ କାଳୀନ ଭିତ୍ତିରେ କାମ ଚାଲିଛି । ସେହିଭଳି ଭୁବନେଶ୍ବରରେ ନିୟୋଜିତ ହୋଇଥିବା ୪୭୫ଜଣ ଅଗ୍ନିଶମ କର୍ମଚାରୀଙ୍କ ମଧ୍ୟରୁ ପ୍ରତି ଟିମ୍‌ରେ ୫ଜଣ ଲେଖାଏଁ ହିସାବରେ ୨୬ଟି ଟିମ୍‌ ସେସୁ ସହ କାମ କରୁଛନ୍ତି । ସେହିଭଳି ଲୋକମାନଙ୍କୁ ପାନୀୟ ଜଳ ଯୋଗାଣରେ ମଧ୍ୟ ଅଗ୍ନିଶମ କର୍ମଚାରୀମାନେ ଲାଗିଛନ୍ତି । ଦମକଳ ଗାଡ଼ି ଯୋଗେ ଜନବସତି ଅଂଚଳରେ ପାଣି ଯୋଗାଇଦିଆଯାଉଛି ।

{"id":110596}

ସେପଟେ ରାଜଧାନୀରେ ସ୍ବାଭାବିକ ହୋଇଛି ସ୍ବାସ୍ଥ୍ୟସେବା । ଭୁବନେଶ୍ବରରେ ଥିବା ଅଧିକାଂଶ ସରକାରୀ ଓ ଘରୋଇ ହସ୍ପିଟାଲକୁ ବିଦ୍ୟୁତ୍‌ ସଂଯୋଗ ହୋଇସାରିଛି । କ୍ୟାପିଟାଲ ହସ୍ପିଟାଲରେ ଫୋନି ମାଡ଼ରେ ଭାଙ୍ଗିରୁଜି ଯାଇଥିବା ଏସଏନସିୟୁ କାମ ପ୍ରାୟ ସରିଛି । କେବଳ ଫାୟାର ଆଲାର୍ମ ଚେକ୍‌ ହେବା ପରେ କାର୍ଯ୍ୟକ୍ଷମ ହେବ । ଶୁକ୍ରବାର ଠାରୁ ୨୪ଟି ବେଡ୍‌ରେ ଶିଶୁମାନଙ୍କୁ ରଖି ଚିକିତ୍ସା ଆରମ୍ଭ ହୋଇଛି । ଏଥି ସହ ହସ୍ପିଟାଲର ଓଟି , ଆଇସିୟୁ, ବେଡ୍‌ ସବୁ ପୂର୍ବଭଳି କାମ କରୁଛି । ୬ଦିନ ପରେ କ୍ୟାମ୍ପସ ଭିତରେ ଉପୁଡ଼ି ପଡ଼ିଥିଲା ଗଛଗୁଡ଼ିକୁ ସଫା କରାଯାଇଛି । ସେପଟେ ଭୁବନେଶ୍ବର ଏମସ୍‌ ଏବଂ ସମ୍‌ ହସ୍ପିଟାଲରେ ସ୍ବାଭିବିକ ହୋଇଛି ଚିକିତ୍ସାସେବା ।ସମ୍‌ ହସ୍ପିଟାଲକୁ ଦୁଇ ଦିନ ହେଲା ବିଦ୍ୟୁତ୍‌ ସଂଯୋଗ ମିଳିଛି । ଏଠାରେ ଓଟି ଠାରୁ ଆରମ୍ଭ କରି ଆଇସିୟୁ ସବୁ ସ୍ବାଭାବିକ ଚାଲିଛି ।

{"id":110597}

ସେପଟେ  ରାଜଧାନୀର ବସ୍ତିଗୁଡ଼ିକରେ ଉଜୁଡ଼ା ସଂସାରକୁ ସଜାଡ଼ିବାରେ ବ୍ୟସ୍ତ ଅଛନ୍ତି ସ୍ଥାନୀୟ ବାସିନ୍ଦା । ସାଲିଆ ସାହି, ଭରତପୁର, ତପୋବନ, ଖଣ୍ଡଗିରି, କୋଳଥିଆ, ପଥରଗାଡ଼ିଆ, ଝରଣାସାହି, ୟୁନିଟ୍‌ -୩, ଭିଏସଏସନଗର, ବାଣୀବିହାର ପାଖରେ ଥିବା ବସ୍ତିଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଏଠାରେ ରହୁଥିବା ବସ୍ତିବାସିନ୍ଦାଙ୍କ ଭିତରୁ କାହାର ଛପର ଉଡ଼ିଯାଇଛି ତ ଆଉ କାହାର ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଫଳରେ ନିରାଶ୍ରିତ ହୋଇପଡ଼ିଛନ୍ତି ବସ୍ତିବାସିନ୍ଦା ।

{"id":110598}

ଏଭଳି ସମୟରେ କିନ୍ତୁ ସେମାନଙ୍କ ପାଖରେ ନେତା ମନ୍ତ୍ରୀଙ୍କର ଦେଖା ନାହିଁ ।  କିଛି ଦିନ ତଳେ ଭୋଟ୍‌ ସାଉଣ୍ଟିବାକୁ ବସ୍ତିର ଚକ୍କର ଲଗାଉଥିବା ନେତା ଏବେ ପାଖ ମାଡ଼ୁନାହାନ୍ତି । ଲୋକେ ନିଜ ଭାଗ୍ୟକୁ ଆଦରି ପୁଣି ଛାଳ ଛପର କୁଡ଼ିଆ ସଜାଡ଼ିବା କାମରେ ଲାଗିଛନ୍ତି । ସେହିଭଳି ପରିବା ହାଟରେ ମଧ୍ୟ ଅବସ୍ଥା ସୁଧୁରିବାରେ ଲାଗିଛି । କିଛି ଦୋକାନୀ ସେମାନଙ୍କ ଛପର ସଜାଡ଼ିବା କାମରେ ବ୍ୟସ୍ତ ଥିଲେ ତ ଆଉ କିଛି ଅଳ୍ପ ଅଳ୍ପ ପରିବା ଧରି ବସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.