ଭୁବନେଶ୍ୱର ୧୨।୦୨: କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ପଞ୍ଝାରେ ପଡ଼ିଥିବା ବନ୍ଧୁକ ବେପାରୀ ଶାନୁ ପୋଦାର ଓ ସୁରଜ କୁମାର ପାଣିଗ୍ରାହୀ ଗିରଫ ହେବା ପରେ ଅନେକ ତଥ୍ୟ ମିଳିଛି । ଏସ୍ଟିଏଫ୍ ଜାଣିବାକୁ ପାଇଛି ଏହି ୨ଜଣ କିଛି ବିଲ୍ଡର ଓ ଯୁବନେତାଙ୍କୁ ଚୋରା ବନ୍ଧୁକ ବିକ୍ରି କରିଛନ୍ତି । ତେଣୁ ଏସ୍ଟିଏଫ୍ ୨ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିଛି । ରିମାଣ୍ଡରେ ଆସିବା ପରେ ଚୋରା ବନ୍ଧୁକ କ୍ରେତାଙ୍କ ତାଲିକା ପ୍ରସ୍ତୁତ ହେବ । ତା’ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । କ୍ରାଇମ୍ବ୍ରାଞ୍ଚ ଟିମ୍ କେବେବି ଏଭଳି ଅତ୍ୟାଧୁନିକ ବନ୍ଧୁକ ଜବତ କରି ନଥିଲା । ଏହି ବନ୍ଧୁକ ଇଟାଲିରୁ ଆସିଥିବା ଜଣା ପଡ଼ିବା ପରେ ଏସ୍ଟିଏଫ୍ ତଦନ୍ତକୁ ଅଧିକ ଗୁରୁତ୍ୱ ଦେଇଛି ।
ମାତ୍ର ଦେଢ଼ ଲକ୍ଷ ଟଙ୍କା ଦେଲେ ଭୁବନେଶ୍ୱରରେ କାରବାଇନ୍ ବନ୍ଧୁକ ମିଳୁଛି । ତା’ପୁଣି ହୋମ୍ ଡେଲିଭରୀରେ । ଖାଲି ସେତିକି ନୁହେଁ ଗୁଳି ଦରକାର ପଡ଼ିଲେ ଯୋଗାଇ ଦିଆଯାଉଛି । ଏସ୍ଟିଏଫ୍ ଏହି ଦୁଇ ବେପାରୀଙ୍କ ଠାରୁ ଏମିତି କିଛି ବିସ୍ଫୋରକ ତଥ୍ୟ ପାଇଛି । ଏମାନଙ୍କ ପଛରେ ଏକ ବଡ଼ ଗ୍ୟାଙ୍ଗ୍ କାମ କରୁଛି । ଏହି ଗ୍ୟାଙ୍ଗ୍କୁ ଧରିବାକୁ ରାଜ୍ୟ ବାହାରକୁ ଯିବ ଏସ୍ଟିଏଫ୍ର ଏକ ଟିମ୍ । ଭୁବନେଶ୍ୱର ଗଳିକନ୍ଦିରେ ବିକ୍ରି ହେଉଛି ବନ୍ଧୁକ । ପ୍ରତି ବର୍ଷ ପୁଲିସ୍ ୩୦ରୁ ୪୦ ବନ୍ଧୁକ ଜବତ କରୁଛି । କେଉଁଠି କାରଖାନା ଆଉ କେଉଁଠି ଚୋରାରେ ବିକ୍ରି ତାହା ଉପରେ ଗୁଇନ୍ଦାଙ୍କ ପାଖରେ କିଛି ତଥ୍ୟ ନାହିଁ । ପୁଲିସ୍ର ନିଜସ୍ୱ ଖବରି ନଥିବାରୁ ସେତେଟା ସଫଳ ମିଳୁନାହିଁ । ୨୦୧୮ ଓ ୧୯ରେ କେବଳ ଭୁବନେଶ୍ୱରରୁ ୫୦ ବନ୍ଧୁକ ଜବତ ହୋଇଥିଲା । ସେପଟେ ଏସ୍ଟିଏଫ୍ ୨୦୧୮ ଓ ୧୯ରେ ୨୫ ଟି ଚୋରା ବନ୍ଧୁକ ଜବତ କରିଥିଲା । ଯେତେ ବନ୍ଧୁକ ବେପାରୀଙ୍କୁ ପୁଲିସ୍ ଗିରଫ କଲେ ବି ସେମାନଙ୍କ ମୂଳ ପର୍ଯ୍ୟନ୍ତ ପହଞ୍ଚି ପାରୁନି ।
ଏସ୍ଟିଏଫ୍ ଜବତ କରିଥିବା ୩ ବନ୍ଧୁକରେ ଇଟାଲି ଲେଖା ରହିଛି । ଏସ୍ଟିଏଫ୍ ଏସ୍ପି ଅନୁମାନ କରୁଛନ୍ତି ଏହା ଇଟାଲିରୁ ଆସିଥାଇ ପାରେ । ପ୍ରକୃତରେ ଏହା ଇଟାଲିର ବନ୍ଧୁକ ନାଁ ନକଲି ତାହା ଜାଣିବା ପାଇଁ ଏସ୍ଟିଏଫ୍ ଉକ୍ତ ଜବତ ବନ୍ଧୁକ କୋଲକାତାରେ ଥିବା ଅତ୍ୟାଧୁନିକ ଲ୍ୟାବ୍କୁ ପଠାଇବ । ସେଠାରୁ ବନ୍ଧୁକ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ମିଳିବ ।
ଶାନୁ ପୋଦାର ଘର ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜଗନ୍ନାଥପୁରରେ । ସେ ବିହାରରୁ ଚୋରାରେ ବନ୍ଧୁକ ଆଣି ଖଣ୍ଡଗିରି ଜାଗମରା ଜଗମୋହନ ନଗର ଲେନ୍-୨ରେ ରହୁଥିବା ସୁରଜ କୁମାର ପାଣିଗ୍ରାହୀଙ୍କ ଘରେ ରଖୁଥିଲେ । ସୁରଜଙ୍କ ବାପା ଜଣେ ବଡ଼ ବ୍ୟବସାୟୀ ଥିବାରୁ ତାଙ୍କ ଜରିଆରେ ଅନେକ ନେତା, ବିଲ୍ଡର ଓ ବ୍ୟବସାୟୀ ଚିହ୍ନାଜଣା ଥିଲେ । ସେମାନଙ୍କୁ ୨୨ ଟି ବନ୍ଧୁକ ବିକ୍ରି କରିଛନ୍ତି । ଶାନୁର ଫୋନ୍ରୁ ଏହି ତଥ୍ୟ ପାଇଛି ପୁଲିସ୍ । ଏ ସବୁ ଦେଖିବା ପରେ ଏସ୍ଟିଏଫ୍ ଏବେ ଚିନ୍ତା କରୁଛି କେଉଁଠୁ ତଦନ୍ତ ଆରମ୍ଭ କରିବ ।
ଅଭିଯୁକ୍ତ ୩ ଟି ବନ୍ଧୁକକୁ ୧ ଲକ୍ଷ ୧୦ ହଜାର ଟଙ୍କାରେ କିଣିଥିଲେ । ଅର୍ଥାତ ଗୋଟିଏ ବନ୍ଧୁକର ମୂଲ୍ୟ ୩୫ ହଜାର ଟଙ୍କା ପଡୁଥିଲା । ହେଲେ ବିକ୍ରି କରୁଥିଲେ ୫୦ରୁ ୬୦ ହଜାର ଟଙ୍କାରେ । ତା’ଛଡା କିଛି ଏମାନେ ହାତ ତିଆରି ଦେଶୀ ବନ୍ଧୁକ ମଧ୍ୟ ବିକ୍ରି କରୁଥିଲେ । ଦେଶୀ ବନ୍ଧୁକ ମାତ୍ର ୧୫ରୁ ୨୦ ହଜାର ଟଙ୍କାରେ ବିକୁଥିଲେ । ଏଥିରେ ୨ଗୁଣ ଲାଭ ମିଳୁଥିଲା ।
ଅଭିଯୁକ୍ତ ଦ୍ୱୟ ସାଢ଼େ ୩ ବର୍ଷ ହେବ ବେପାର କରି ଆସୁଥିଲେ ବୋଲି ଏସ୍ଟିଏଫ୍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରଥମେ ଏମାନେ ଜଣେ ଚୋରା ବେପାରୀ ସହ ବନ୍ଧୁକ କାରବାର କରୁଥିଲେ । ସେ ବେପାରୀ ସହ ଶାନୁ ଓ ସୁରଜଙ୍କ ଯୋଗଯୋଗ ଥିଲା । ଉକ୍ତ ବ୍ୟକ୍ତିକୁ ୨୦୧୭ରେ ବିହାର ପୁଲିସ୍ ଗିରଫ କରିଥିଲା । ତା’ପରେ ଏମାନେ ନିଜେ ଆରମ୍ଭ କରିଥିଲେ ଚୋରା ବନ୍ଧୁକ ବେପାର । ଏମାନଙ୍କ ବିଷୟରେ କମିଶନରେଟ୍ ପୁଲିସ୍ କୌଣସି ତଥ୍ୟ ପାଇ ନଥିଲା ।