ଭୁବନେଶ୍ବର ଡୁମଡୁମା ରଘୁନାଥ ନଗର ବୋମାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଗ୍ନି ଷଡ଼ଙ୍ଗୀ ସମେତ ୫୦ ଗିରଫ, ଗାଁ ପୁରୁଷ ଶୂନ୍ୟ…ଆଗକୁ ମହିଳାଙ୍କ ପାଳି

Published By : Prameya-News7 Bureau | October 03, 2018 IST

ଭୁବନେଶ୍ବର ୩|୧୦: ଭୁବନେଶ୍ବର ଡୁମଡୁମା ରଘୁନାଥ ନଗର ଗଣ୍ଡଗୋଳ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଅଗ୍ନି ଷଡ଼ଙ୍ଗୀକୁ ଗିରଫ କରାଯିବା ସହ ତା’ର ବାପାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ ।  ଘଟଣାରେ ସଂପୃକ୍ତ ପ୍ରାୟ ୫୦ରୁ ଅଧିକ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେପଟେ ଡୁମଡୁମା ଅଂଚଳରେ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ କରୁଛନ୍ତି ଶାନ୍ତି କମିଟି ସଦସ୍ୟ । ….. ଏବେ ପୁରୁଷ ଶୂନ୍ୟ ହୋଇପଡ଼ିଛି ରଘୁନାଥ ନଗର । ବୁଧବାର ଭୋର୍‌ରୁ ଖଣ୍ଡଗିରି ପୋଲିସ ସଂପୃକ୍ତ ଅଂଚଳରେ ଘର ଘର ବୁଲି  ତଲାସି କରିବା ସହ ପ୍ରାୟ ୫୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରିଛି । ମଙ୍ଗଳବାର ରାତିରେ ପୋଲିସ କମିସନର, ଭୁବନେଶ୍ବର ଡିସିପି ଖଣ୍ଡଗିରି ଥାନାରେ ପହଞ୍ଚି  ଥାନାର ସମସ୍ତି ଅଧିକାରୀଙ୍କୁ ଡାକି ମିଟିଂ କରିଥିଲେ । ଏହାପରେ ରାତିରେ ଆରମ୍ଭ ହୋଇଥିଲା ଗିରଫଦାରି । ସେପଟେ ଡୁମୁଡୁମା ଅଞ୍ଚଳରେ ଶାନ୍ତି ଫେରାଇ ଆଣିବାକୁ ୪ଟି ଓ୍ବାର୍ଡ଼ର କର୍ପୋରେଟର ଏବଂ ଶାନ୍ତି କମିଟିର ସଦସ୍ୟମାନେ ପୋଲିସ କମିସନରଙ୍କୁ ଭେଟିଥିଲେ ।  ସାଧାରଣଲୋକଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦେବା ସହ ଗଣ୍ଡଗୋଳ ପାଇଁ  ଯେଉଁମାନେ ପ୍ରକୃତରେ ଦାୟି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଶାନ୍ତି କମିଟି ସଦସ୍ୟ । ଆଗକୁ ଗଣ୍ଡଗୋଳରେ ସଂପୃକ୍ତି ଅଭିଯୋଗରେ  ପୋଲିସ କିଛି ମହିଳାଙ୍କୁ ଗିରଫ କରିବାକୁ ତାଲିକା ପ୍ରସ୍ତୁତ କରୁଥିବାର ସୂଚନା ମିଳିଛି । ରଘୁନାଥପୁର ଗଣ୍ଡଗୋଳରେ ଖଣ୍ଡଗିରି ଥାନା ଅଧିକାରୀ ଏବଂ ୪ଜଣ ପୋଲିସ କର୍ମଚାରୀଙ୍କ ସମେତ କିଛି ଗ୍ରାମବାସୀ ଆହତ ହେବାପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ହେଲେ ଏବେ ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.