ଭୁବନେଶ୍ୱର ପାତ୍ରପଡା ବୋମାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବାବୁ ନାୟକ ଗିରଫ
3/02/2019 at 11:48 AM

ଭୁବନେଶ୍ୱର ୩/୨ : ଭୁବନେଶ୍ୱର ପାତ୍ରପଡା ବୋମାମାଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ ପୋଲିସ | ମୁଖ୍ୟ ଅଭିଯୁକ୍ତ ବାବୁ ନାୟକକୁ ଭୁବନେଶ୍ୱର ଏମ୍ସ ଛକରୁ ଗିରଫ କରିଛି ପୋଲିସ | ଗତ ଜାନୁଆରୀ ୧୦ ତାରିଖ ରାତିରେ ପାତ୍ରପଡାରେ ବୋମାମାଡ କରି ୩ ଦୁର୍ବୁର୍ତ୍ତ ଫେରାର ହୋଇଯାଇଥିଲେ |
ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ୧୦ ତାରିଖରେ ଏକ ବାଇକରେ ଆସି ପାତ୍ରପଡାରେ ରହୁଥିବା ଗୋଟିଏ ପରିବାର ଉପରକୁ ୩ଜଣ ଦୁର୍ବୁର୍ତ୍ତ ୩ଟି ବୋମା ମାଡ କରି ସେଠାରୁ ଫେରାର ହୋଇଯାଇଥିଲେ | ଘର ବାହାରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା ଖଣ୍ଡଗିରି ପୋଲିସ | ଯାଞ୍ଚରୁ ଜଣାପଡିଥିଲା ବାବୁ ନାୟକ ନାମକ ଯୁବକ ଏବଂ ତାର ଦୁଇ ସହଯୋଗୀ ବୋମାମାଡ କରିଛନ୍ତି | ଏହାପରେ ବାବୁକୁ ଧରିବା ପାଇଁ ଜାଲ ବିଛାଇଥିଲା କମିଶନରେଟ ପୋଲିସ |

ଗତକାଲି ପୋଲିସ ଜାଣିବାକୁ ପାଇଥିଲା ଯେ, ବାବୁ ନାୟକର ଘର ଖଣ୍ଡଗିରି ନିକଟରେ | ବାବୁ ନାୟକ ଗତକାଲି ଘରକୁ ଆସିଥିଲା | ବାବୁ ନାୟକ ଘରକୁ ଆସିଥିବା ସୂଚନା ପାଇ ପୋଲିସ ଗତକାଲି ରାତିରେ ବାବୁ ନାୟକର ଘରେ ଚଢ଼ାଉ କରିଥିଲା | କିନ୍ତୁ ବାବୁ ଘରେ ନଥିଲା | ଏମ୍ସ ହସ୍ପିଟାଲରୁ ବାବୁ ନାୟକର ଘରକୁ ଯେଉଁ ରାସ୍ତା ରହିଥିଲା ସେଠାରେ ପୋଲିସ ଛଦ୍ମ ଭେଷରେ ଲୁଚି ରହିଥିଲା | ବାବୁ ନାୟକ ସେହି ରାସ୍ତା ଦେଇ ଯିବା ଖବର ସ୍ପେସିଆଲ ସ୍କ୍ୱାର୍ଡ ପାଇବା ପରେ ଏମ୍ସ ରାସ୍ତା ନିକଟରେ ପହଞ୍ଚିଥିଲା | ଏମ୍ସ ରାସ୍ତାରୁ ଭୁବନେଶ୍ୱର କମିଶନରେଟ ପୋଲିସ ବାବୁକୁ ଗିରଫ କରିଥିଲା | ଅନ୍ୟ ଦୁଇ ସହଯୋଗୀଙ୍କୁ ଖୋଜୁଛି ପୋଲିସ |