ବିପଦରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର, ଚିଠି ଲେଖିଲେ ଦେବୋତ୍ତର କମିଶନର

Published By : Prameya-News7 Bureau | September 26, 2019 IST

ଭୁବନେଶ୍ବର (କିଶନ ବାରାଇ) ୨୬|୯: ସଂଙ୍କଟରେ ଓଡ଼ିଶାର ଧାର୍ମିକ ସ୍ଥଳ ଓ ଏହାର କାରୁକାର୍ଯ୍ୟ । ପୂର୍ବରୁ ଶ୍ରୀମନ୍ଦିର ଓ କୋଣାର୍କ ମନ୍ଦିରର ବିପଦସଙ୍କୁଳ ଚିତ୍ର ସାମ୍ନାକୁ ଆସିଛି । ଆଉ ଏବେ ଶ୍ରୀଲିଙ୍ଗରାଜ ମନ୍ଦିରର ସ୍ଥିତିକୁ ନେଇ ଖୋଦ୍ ଦେବୋତ୍ତର କମିଶନର ଉଦବେଗ ପ୍ରକାଶ କରିଛନ୍ତି । ଏଭଳି ସ୍ଥିତି ଲାଗି ସେ ସିଧା ସିଧା ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇର ଅବହେଳାକୁ ଦାୟୀ କରିଛନ୍ତି ।

{"id":162998}

ବିପଦରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର । ରାଜ୍ୟର ଏହି ପ୍ରମୁଖ ଶୈବ କ୍ଷେତ୍ରର ରକ୍ଷଣାବେକ୍ଷଣରେ ଚରମ ଅବହେଳା କରୁଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ । ମନ୍ଦିରର ସ୍ଥିତି ସଙ୍କଟରେ । ହେଲେ ଏଏସଆଇର ସ୍ଥାନୀୟ ଅଧିକାରୀ କିଛି ବୁଝୁ ନାହାନ୍ତି କି ଶୁଣୁନାହାନ୍ତି । ଲିଙ୍ଗରାଜ ମନ୍ଦିରକୁ ନେଇ ଏଭଳି ଗଭୀର ଉଦବେଗ ପ୍ରକାଶ କରି ଏଏସଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି ଦେବୋତ୍ତର ଆୟୁକ୍ତ ଚିତ୍ତରଞ୍ଜନ ମହାପାତ୍ର ।

{"id":162999}

୬ ପୃଷ୍ଠା ସମ୍ବଳିତ ଚିଠିରେ କମିଶନର ଲେଖିଛନ୍ତି, ମନ୍ଦିର ଦଧିନଉତି ଫାଟି ଆଁ କରିଛି । ମୁଖ୍ୟ ମନ୍ଦିରରେ ଥିବା ଭାସ୍କର୍ଯ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ । କାନ୍ଥରେ ଶିଉଳି ଓ ଗଛଲତା ଭର୍ତ୍ତି ହୋଇଗଲାଣି । ମନ୍ଦିର ଭିତରେ ବିଭିନ୍ନ ସ୍ଥାନରେ ବର୍ଷା ପାଣି ଗଳୁଛି । ଏଏସଆଇର ଓଡ଼ିଶା ଅଫିସ ମନ୍ଦିରଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଥାଇ ବି ମନ୍ଦିରର ମରାମତି ହୋଇପାରୁନି । ଯେକୌଣସି ସମୟରେ ବି ମନ୍ଦିରରୁ ପଥର ଖସିବା ଆଶଙ୍କାକୁ ଏଡ଼ାଇ ଦିଆ ଯାଇନପାରେ ।

{"id":163000}

ରାଜ୍ୟର ସ୍ବର୍ଣ୍ଣ ତ୍ରିଭୁଜ ମଧ୍ୟରୁ ଏକାମ୍ର କ୍ଷେତ୍ର ଭୁବନେଶ୍ବର । ମହାପ୍ରଭୁ ଲିଙ୍ଗରାଜଙ୍କୁ ନେଇ ଏହାର ପରିଚୟ । ଏକାଦଶ ଖ୍ରୀଷ୍ଟାବ୍ଦରେ ଯଯାତି ରାଜବଂଶ ଦ୍ବାରା ନିର୍ମିତ ଏହି ମନ୍ଦିର ଉଭୟ ଧାର୍ମିକ ଓ ପର୍ଯ୍ୟଟନ ଦୃଷ୍ଟିରୁ ଆକର୍ଷଣର କେନ୍ଦ୍ର । ଯାହାର ମରାମତି ଓ ସଂରକ୍ଷଣ ଭାର ରହିଛି ଏଏସଆଇ ହାତରେ । ପୂର୍ବରୁ ଏଏସଆଇର ଅବହେଳାକୁ ନେଇ ଅନେକ ଅଭିଯୋଗ ଉଠିଛି । ଏବେ ଖୋଦ୍ ଦେବୋତ୍ତର କମିଶନର ଏ ନେଇ ସଂଗୀନ ଅଭିଯୋଗ ଆଣିଛନ୍ତି । କେବଳ ମୁଖ୍ୟ ମନ୍ଦିର ନୁହେଁ, ବେଢାରେ ଥିବା ଜଗନ୍ନାଥ ମନ୍ଦିର, ପାର୍ବତୀ ମନ୍ଦିର, ଗଣେଶ ମନ୍ଦିର, ରୋଷଘର, ଭୋଗ ମଣ୍ଡପ, ବିଶ୍ବକର୍ମା ମନ୍ଦିର, ଭୁବନେଶ୍ବରୀ ମନ୍ଦିରର ବି ସ୍ଥିତି ଠିକ୍ ନ ଥିବା କମିଶନର କହିଛନ୍ତି ।

{"id":163001}

ଦେଶର ଅନେକ ଐତିହ୍ୟ ସଂପନ୍ନ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବରେ ରହିଛି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା । ତେବେ ଓଡ଼ିଶା କ୍ଷେତ୍ରରେ ଏହି ସଂସ୍ଥା ଅତ୍ୟନ୍ତ ବେପରୁଆ ଢଙ୍ଗରେ କାର୍ଯ୍ୟ କରୁଥିବା କ୍ରମାଗତ ଅଭିଯୋଗ ହୋଇ ଆସୁଛି । ଶ୍ରୀମନ୍ଦିରରେ ଫାଟ ହେଉ କି କୋଣାର୍କ ମନ୍ଦିରର ଭଗ୍ନ ଅବସ୍ଥା ସବୁଥିରେ ଏଏସ୍ଆଇର ଅବହେଳା ଜଳଜଳ ହୋଇ ଦିଶୁଛି । ଆଉ ଏବେ ଲିଙ୍ଗରାଜ ମନ୍ଦିରର ସ୍ଥିତି ଦର୍ଶାଉଛି, ଓଡ଼ିଶାର କାରୁକାର୍ଯ୍ୟକୁ ବୁଝି ଏହାର ମରାମତି କରିବାରେ ଏଏସଆଇ ସଂପୂର୍ଣ୍ଣ ବିଫଳ । ତେଣୁ ଏ ଦିଗରେ ରାଜ୍ୟ ସରକାର ଗମ୍ଭୀରତାର ସହ ବିଚାର କରିବାର ଆବଶ୍ୟକତା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.