ଜଗା କାଳିଆଙ୍କ ଓଡିଶା ଫେରିବା ଆଶା ମଉଳିଲା, ରଖିବାକୁ ମନାକଲା ଭୁବନେଶ୍ବର ଏମ୍ସ
2/08/2019 at 3:53 PM

ଭୁବନେଶ୍ବର ୨|୮: ଜଗା କାଳିଆଙ୍କୁ ରଖିବାକୁ ମନାକଲା ଭୁବନେଶ୍ବର ଏମ୍ସ । ଯୋଡ ମୁଣ୍ଡରୁ ଅଲଗା ହୋଇଥିବା ଜଗା କାଳିଆଙ୍କୁ ସ୍ବାସ୍ଥ୍ୟସେବା ଯେଗାଇଦେବାକୁ ଭିତ୍ତିଭୂମୀ ନାହିଁ ବୋଲି ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କୁ ଜଣାଇଦେଇଛନ୍ତି ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷ । ଫଳରେ ନିକଟରେ ଜଗା କାଳିଆଙ୍କ ଓଡିଶା ଫେରିବା ଆଶା ଏକପ୍ରକାର ମଉଳି ଯାଇଛି ।

ଜଗା କାଳିଆଙ୍କୁ ଫେରାଇ ଆଣିବାରେ କୌଣସି ଅସୁବିଧା ନାହିଁ ବୋଲି ନିକଟରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ସୂଚନା ଦେଇଥିଲେ । କିନ୍ତୁ ଏଥିପାଇଁ ଦିଲ୍ଲୀ ଓ ଭୁବନେଶ୍ବର ଏମ୍ସ ମଧ୍ୟରେ ସମନ୍ବୟ ରହିବା ଆବଶ୍ୟକ ବୋଲି ସେ କହିଥିଲେ । ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷ ଭୁବନେଶ୍ବର ଏମ୍ସ କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ଏହାର ସମାଧାନର ବାଟ ବାହାର କରିବେ । ରାଜ୍ୟ ସରକାରଙ୍କଠାରୁ କୌଣସି ସାହାଯ୍ୟ ଚାହିଁଲେ ଆମେ ଯୋଗାଇଦେବୁ ବୋଲି ମନ୍ତ୍ରୀ କହିଥିଲେ ।

କିନ୍ତୁ ଭୁବନେଶ୍ବର ଏମ୍ସ ଜଗା କାଳିଆଙ୍କୁ ରଖିବାକୁ ସିଧା ସିଧା ମନାକରିଦେଇଛି । ୨୦୧୯ ଜୁନ୍ ୨୯ରେ ଜଗା କାଳିଆଙ୍କ ଡିସଚାର୍ଜ ସଂପର୍କରେ ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଓଡିଶାର ୫ଜଣିଆ ଡାକ୍ତରୀ ଦଳ । ଓଡିଶା ଫେରିବାକୁ ବାରମ୍ବାର ଅନୁରୋଧ କରୁଛନ୍ତି ଜଗାକାଳିଆଙ୍କ ବାପା ଭୂୟାଁ କହଁର ।
